ଜମ୍ମୁ ଓ କଶ୍ମୀରରେ ୧୦ ହଜାର କୋଟିର ବ୍ୟାବସାୟିକ କ୍ଷତି

ଶ୍ରୀନଗର: ଚଳିତ ବର୍ଷ ଅଗଷ୍ଟରେ ଜମ୍ମୁ ଓ କଶ୍ମୀର ସମ୍ପର୍କିତ ଧାରା ୩୭୦କୁ ଉଚ୍ଛେଦ କରାଯିବା ପରଠାରୁ ସେଠାରେ ବ୍ୟାବସାୟିକ କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜମ୍ମୁ ଆଣ୍ଡ୍‌ କଶ୍ମୀର ଚାମ୍ବର ଅଫ୍‌ କମର୍ସ ତରଫରୁ କୁହାଯାଇଛି ଯେ, ଗତ ଅଗଷ୍ଟ ୫ ପରଠାରୁ ରାଜ୍ୟରେ ୧୦ ହଜାର କୋଟି ଟଙ୍କା ପାଖାପାଖି ବ୍ୟାବସାୟିକ ‌କ୍ଷତି ହୋଇଛି। ଧାରା ୩୭୦ ଉଚ୍ଛେଦ କରାଯିବା ପୂର୍ବରୁ ପର୍ଯ୍ୟଟକମାନଙ୍କୁ ଜମ୍ମୁ ଓ କଶ୍ମୀର ଛାଡ଼ି ଚାଲିଯିବାକୁ କୁହାଯାଇଥିଲା। ଇତି ମଧ୍ୟରେ ରାଜ୍ୟରେ ଲଗାଯାଇଥିବା କଟକଣା କୋହଳ କରାଯାଇଥିଲେ ମଧ୍ୟ ପର୍ଯ୍ୟଟକମାନେ ଫେରୁନାହାନ୍ତି ବୋଲି ଚାମ୍ବର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଏକ ଲକ୍ଷରୁ ଅଧିକ ହୋଟେଲ୍ କୋଠରି ଫାଙ୍କା ପଡ଼ିଛି। ସେଥିପାଇଁ ହଜାର ହଜାର ଲୋକ ଜୀବିକା ହରାଇଛନ୍ତି। ଇଣ୍ଟରନେଟ୍ ଉପରେ ଲଗାଯାଇଥିବା କଟକଣା ଯୋଗୁ ଆଇଟି କଂପାନିଗୁଡ଼ିକର କାର୍ଯ୍ୟ ପ୍ରଭାବିତ ହୋଇଛି ଏବଂ ସେହି ସବୁ କଂପାନିଗୁଡ଼ିକରେ କାମ କରୁଥିବା କର୍ମଚାରୀମାନେ ବେରୋଜଗାର ହୋଇପଡ଼ିଛନ୍ତି। ହସ୍ତଶିଳ୍ପ ଠାରୁ ଆରମ୍ଭ କରି ସୂଚନା ପ୍ରଯୁକ୍ତି ପର୍ଯ୍ୟନ୍ତ ରାଜ୍ୟର ପ୍ରତିଟି କ୍ଷେତ୍ର ପ୍ରଭାବିତ ହୋଇଛି। ଏ ବିଷୟରେ ଚାମ୍ବର ତରଫରୁ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର