ଝୁନଝୁନୱାଲାଙ୍କ ସଂସ୍ଥା କିଣିବ ୭୨ ବିମାନ

ଇଞ୍ଜିନ କିଣିବାକୁ ବି ବରାଦ ଦେଲେ,ଆସନ୍ତା ବର୍ଷ ଅକ୍ଟୋବରରୁ ଉଡ଼ିବ

ଦୁବାଇ: ଚର୍ଚ୍ଚିତ ଷ୍ଟକ ବଜାର ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ବିମାନ କଂପାନି ଆକାଶ ଏୟାର ୭୨ଟି ବୋଇଂ ୭୩୭ ମ୍ୟାକ୍ସ ବିମାନ କିଣିବା ଲାଗି ବରାଦ ଦେଇଛି। ଏଥିପାଇଁ ଏହି ସଂସ୍ଥା ୯୦୦ କୋଟି ଡଲାର ବ୍ୟୟ କରିବ। ଖୁବ୍‌ଶୀଘ୍ର ଦେଶର ନୂଆ ବିମାନ କଂପାନି ଭାବେ ଆକାଶ ଏୟାର ଏହାର ଯାତ୍ରା ଆରମ୍ଭ କରିବାକୁ ଯାଉଛି। କଂପାନି ଚାଲୁ କରିବା ଲାଗି ଯାହା ସବୁ ଦରକାର ଏବେ ସେହି ବ୍ୟବସ୍ଥା କରିବାରେ ପ୍ରତିଷ୍ଠାତାମାନେ ଲାଗି ପଡ଼ିଛନ୍ତି। ଇଣ୍ଡିଗୋର ପୂର୍ବତନ ସିଇଓ ଆଦିତ୍ୟ ଘୋଷଙ୍କ ସହ ମିଶି ଝୁନ୍‌ଝୁନ୍‌ୱାଲା ଏହି କଂପାନି ଆରମ୍ଭ କରିଛନ୍ତି। ଜେଟ୍‌ ଏୟାରୱେଜ୍‌ର କିଛି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।

ଗତକାଲି ଆକାଶ ଏୟାର ପକ୍ଷରୁ ଲିପ୍-୧ବି ଇଞ୍ଜିନ ମଗାଇବା ଲାଗି ସିଏଫ୍ଏମ୍ ଇଣ୍ଟରନ୍ୟାସନାଲ୍ ନାମକ ସଂସ୍ଥା ସହ ବୁଝାମଣା କରାଯାଇଛି। ଏହି ସଂସ୍ଥା ଆକାଶ ଏୟାରର ଇଞ୍ଜିନ ପାଇଁ ସ୍ପେୟାର ପାର୍ଟସ୍‌ ଯୋଗାଇବ ଓ ସର୍ଭିସ୍‌ ସୁବିଧା ମଧ୍ୟ ପ୍ରଦାନ କରିବ। ଉଭୟ ସଂସ୍ଥା ମଧ୍ୟରେ ୪୫୦ କୋଟି ଡଲାରର ବୁଝାମଣା ହୋଇଛି। ଭାରତୀୟ ବିମାନ ଚଳାଚଳ ଶିଳ୍ପ ଘୋର ଅସ୍ଥିରତା ଦେଇ ଗତି କରୁଥିବା ବେଳେ ବିଗତ କିଛି ବର୍ଷ ଭିତରେ କୌଣସି ନୂଆ ବିମାନ କଂପାନି ସ୍ଥାପନ ହୋଇନାହିଁ। ଓଲଟା ଜେଟ୍ ଏୟାରୱେଜ୍ ଭଳି ସଂସ୍ଥା ଦେବାଳିଆ ହୋଇଛି।

ଏୟାର ଇଣ୍ଡିଆକୁ ସରକାର ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଟାଟା ସହଯୋଗରେ ଆରମ୍ଭ ହୋଇଥିବା ଦୁଇ ବିମାନ କଂପାନି ଏୟାର ଏସିଆ ଇଣ୍ଡିଆ ଓ ଭିସ୍ତାରା ବ୍ୟବସାୟରେ ସଂଘର୍ଷ କରୁଛନ୍ତି। ଏଭଳି ଏକ ସମୟରେ ଝୁନ୍‌ଝୁନ୍‌ୱାଲା ନୂଆ ବିମାନ କଂପାନି ସ୍ଥାପନ କରିବେ ବୋଲି ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ଏହି ସଂସ୍ଥା ସୁଲଭ ମୂଲ୍ୟରେ ଯାତ୍ରୀଙ୍କୁ ବିମାନ ସେବା ପ୍ରଦାନ କରିବ। ଆସନ୍ତା ବର୍ଷ ଅକ୍ଟୋବର ଠାରୁ ଉଡ଼ାଣ ଆରମ୍ଭ କରିବା ଲାଗି କଂପାନିକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ଅନୁମତି ପ୍ରଦାନ କରିଛି।

ଭାରତୀୟ ବିମାନ ଶିଳ୍ପରେ ଦୁଇ ବିଶ୍ବସ୍ତରୀୟ ବିମାନ ନିର୍ମାତା ବୋଇଙ୍ଗ୍ ଓ ଏୟାରବସ୍‌ର ବଜାର ଭାଗ ଅଧିକ ରହିଛି। ଚଉଡ଼ା ବଡିର ବିମାନ ଯୋଗାଣ କରି ବୋଇଙ୍ଗ୍‌ ଏହି ବଜାରରେ ଅଗ୍ରଣୀ ସ୍ଥାନରେ ରହିଥିଲା। ମାତ୍ର ୨୦୧୨ରେ କିଙ୍ଗଫିସର ଏୟାରଲାଇନ୍ସ ଓ ୨୦୧୯ରେ ଜେଟ୍ ଏୟାରୱେଜ୍ ବନ୍ଦ ହେବା ପରେ ଏହାର ଚାହିଦା ହ୍ରାସ ପାଇଥିଲା। ଏବେ କେବଳ ସ୍ପାଇସ୍‌ଜେଟ୍ ପାଖରେ ମ୍ୟାକ୍ସ ବିମାନ ରହିଛି। ଦୁଇଟି ବଡ଼ ଦୁର୍ଘଟଣାରେ ୩୪୬ ଜଣଙ୍କ ମୃତ୍ୟୁ ହେବା ପରେ ମ୍ୟାକ୍ସ ବିମାନ ଉପରେ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କଟକଣା ଲଗାଯାଇଥିଲା। ନିକଟରେ ଏହା ଉପରୁ କଟକଣା ପ୍ରତ୍ୟାହାର କରାଯାଇଥିଲା।

ସମ୍ବନ୍ଧିତ ଖବର