ଜୁନ୍‌ରେ ଗାଡ଼ି ବିକ୍ରି ୨୨% ବଢ଼ିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍‌ରେ ଗାଡ଼ି ବିକ୍ରିରେ ସୁଧାର ଦେଖାଦେଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ରେ ୨୨.୬୨% ଅଧିକ ଗାଡ଼ି ବିକ୍ରି ହୋଇଛି ବୋଲି ଅଟୋମୋବାଇଲ୍ ଡିଲର୍‌ସିପ୍‌ଗୁଡ଼ିକର ସର୍ବଭାରତୀୟ ସଂଘ ଫାଡା ତରଫରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ପ୍ରାୟ ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଛି। ଯେହେତୁ ଗତବର୍ଷ ମହାମାରୀ ପ୍ରଭାବ ଯୋଗୁଁ ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା ତେଣୁ ସେହି ଅନୁସାରେ ଚଳିତ ବର୍ଷର ବିକ୍ରି ଅଧିକ ରହିଛି। କିନ୍ତୁ ମହାମାରୀର ପୂର୍ବବର୍ଷ ଅର୍ଥାତ ୨୦୧୯ ସହିତ ଯଦି ବିକ୍ରି ସଂଖ୍ୟାକୁ ତୁଳନା କରାଯିବ ତେବେ ସ୍ଥିତିରେ ସୁଧାର ହୋଇନଥିବା ଜଣାପଡ଼ିଛି।

ଫାଡା ତଥ୍ୟ ଅନୁଯାୟୀ, ୨୦୨୧ ଜୁନ୍‌ରେ ୧୨,୧୭,୧୫୧ଟି ଗାଡ଼ି ବିକ୍ରି ହୋଇଛି। ୨୦୨୦‌ ଜୁନ୍‌ରେ ହୋଇଥିବା ୯,୯୨,୬୧୦ଟି ଗାଡ଼ି ବିକ୍ରି ତୁଳନାରେ ଏହା ୨୨.୬୨% ଅଧିକ। ମାତ୍ର, ୨୦୧୯ ଜୁନ୍‌ରେ ଦେଶରେ ୧୬,୯୮,୦୦୫ଟି ଗାଡ଼ି ବିକ୍ରି ହୋଇଥିଲା। ଯଦି ଏହାକୁ ବିଚାରକୁ ନିଆଯିବ ତେବେ ୨୦୨୧ ଜୁନ୍‌ରେ ୨୮.୩୨ ପ୍ରତିଶତ କମ୍ ଗାଡ଼ି ବିକ୍ରି ହୋଇଛି ବୋଲି କୁହାଯାଇପାରିବ।

ସମ୍ବନ୍ଧିତ ଖବର