ଆରମ୍ଭରୁ ଝଟ୍‌କା : କମିଲା ଅଭିବୃଦ୍ଧି, ବଢ଼ିଲା ବେକାରି

ଚୀନଠାରୁ ପଛରେ ପଡ଼ିଲା ଭାରତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନରେ ଜାତୀୟ ଅର୍ଥନୀତି ନେଇ ନୈରାଶ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଦେଶର ଅଥନୈତିକ ଅଭିବୃଦ୍ଧି ହାର ୫.୮% ସ୍ତରକୁ ଖସିଆସିଥିବା ବେଳେ ବେକାରି ହାର ୪୫ ବର୍ଷର ଉଚ୍ଚ ସ୍ତରରେ ପହଞ୍ଚିଯାଇଛି। ୨୦୧୮-୧୯ର ଅଭିବୃଦ୍ଧି ୬.୮%କୁ ଖସିଯାଇଛି। ଏହି ବର୍ଷର ଶେଷ ତିନି ମାସରେ ଅଭିବୃଦ୍ଧି ହାର ୫.୮% ରହିଥିଲା। ଏଥି ସହିତ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ମଧ୍ୟ ହରାଇଛି। ବିକାଶ କ୍ଷେତ୍ରରେ ଭାରତକୁ ଟପିଯାଇଛି ଚୀନ୍‌। ସେହିପରି, ଦେଶର ବେକାରୀ ହାର ୪୫ ବର୍ଷରେ ସର୍ବାଧିକ ୬.୧% ହୋଇଛି। ଅତୀତରେ ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନ୍‌ଏସ୍‌ଏସ୍‌ଓ)ର ଲିକ୍ ହୋଇଯାଇଥିବା ରିପୋର୍ଟରେ ଯାହା କୁହାଯାଇଥିଲା ଆଜି ସରକାର ଜାରି କରିଥିବା ରିପୋର୍ଟରେ ସମାନ ତଥ୍ୟ ରହିଛି।

ପ୍ରଥମ ଦିନରେ ଝଟ୍‌କା, ଅଭିବୃଦ୍ଧି ୫.୮%କୁ ଖସିଲା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦ୍ବିତୀୟ ପାଳିର ପ୍ରଥମ ଦିନରେ ଦୁଇଟି ବଡ଼ ଝଟ୍‌କା ଲାଗିଛି। ୨୦୧୮-୧୯ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୫.୮ପ୍ରତିଶତକୁ କମିଯାଇଛି। ଏହାଫଳରେ ସମଗ୍ର ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ତଳକୁ ଖସି ୬.୮ପ୍ରତିଶତ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ୮.୧ ପ୍ରତିଶତ ରହିଥିଲାବେଳେ ସମୁଦାୟ ଆର୍ଥିକ ବର୍ଷ ପାଇଁ ଏହା ୭.୨ ପ୍ରତିଶତ ରହିଥିଲା। ତେଣୁ ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତୁଳନାରେ ୨୦୧୮-୧୯ର ଚତୁର୍ଥ ତ୍ରୟମାସରେ ଜିଡିପି ଅଭିବୃଦ୍ଧିରେ ୨.୩ ପ୍ରତିଶତର ବୃହତ୍ ହ୍ରାସ ପରିଲକ୍ଷିତ ହୋଇଛି। ସେହିଭଳି ସମୁଦାୟ ଆର୍ଥିକ ବର୍ଷର ଜିଡିପିକୁ ତୁଳନା କରିଲେ ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ଜିଡିପି ଅଭିବୃଦ୍ଧି ୦.୪ ପ୍ରତିଶତ ଖସିଯାଇଛି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି। ଏଥିସହିତ ବିଶ୍ବର ବୃହତ୍ ଅର୍ଥନୀତି ଗୁଡ଼ିକ ମଧ୍ୟରେ ଭାରତ ପଛରେ ସର୍ବାଧିକ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ରର ଯେଉଁ ଟ୍ୟାଗ୍ ଲାଗିଥିଲା ତାହା ଭାରତକୁ ହରାଇବାକୁ ପଡ଼ିଛି। ଚତୁର୍ଥ ତ୍ରୟମାସର ଜିଡିପି ଅଭିବୃଦ୍ଧି ହ୍ରାସ ଯୋଗୁ ଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅର୍ଥନୈତିକ ଅଭିବୃଦ୍ଧିରେ ଚୀନଠାରୁ ଭାରତ ପଛରେ ପଡ଼ିଯାଇଛି।

ସୂଚନା ଅନୁଯାୟୀ ୨୦୧୮-୧୯ର ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୮ ପ୍ରତିଶତ ଥିବାବେଳେ ଦ୍ବିତୀୟ ତ୍ରୟମାସରେ ଏହା ୭ ପ୍ରତିଶତ, ତୃତୀୟ ତ୍ରୟମାସରେ ୬.୬ ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସରେ ଏହା କ୍ରମାଗତ ହ୍ରାସ ପାଇ ୫.୮ ପ୍ରତିଶତ ରହିଛି। ଗତ ୫ ବର୍ଷ ମଧ୍ୟରେ କୌଣସି ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬ ପ୍ରତିଶତରୁ କମ୍ ହୋଇ ନଥିଲା। ଗତ ୧୭ଟି ତ୍ରୟମାସ ମଧ୍ୟରେ ଚତୁର୍ଥ ତ୍ରୟମାସର ଜିଡିପି ଅଭିବୃଦ୍ଧି ସବୁଠୁ କମ୍ ରହିଛି।

ଏପରିକି ଚତୁର୍ଥ ତ୍ରୟମାସର ଅଭିବୃଦ୍ଧି ନେଇ ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନ ଠାରୁ ମଧ୍ୟ ଅଭିବୃଦ୍ଧି କମ୍ ରହିଛି। ଶିଳ୍ପ ଉତ୍ପାଦନ କମିବା ସହିତ ସରକାରୀ ଖର୍ଚ୍ଚରେ ହ୍ରାସ ଯୋଗୁ ଚତୁର୍ଥ ତ୍ରୟମାସରେ ଅଭିବୃଦ୍ଧି କମିବ ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଥିଲେ। ଦେଶର ବିଭିନ୍ନ ବ୍ୟାଙ୍କର ଆକଳନ ଅନୁଯାୟୀ ଅଭିବୃଦ୍ଧି ୬ରୁ ୬.୩ ପ୍ରତିଶତ ମଧ୍ୟରେ ରହିବା ଅନୁମାନ କରାଯାଇଥିଲା। କୋଟାକ ମହିନ୍ଦ୍ରା ବ୍ୟାଙ୍କ ୬ ପ୍ରତିଶତ, ଏକ୍ସିସ ବ୍ୟାଙ୍କ ଓ ଏସବିଆଇ ୬.୧ ପ୍ରତିଶତ, ୟେସ ବ୍ୟାଙ୍କ ୬.୨ ପ୍ରତିଶତ, ଇଣ୍ଡିଆ ରେଟିଂ ଓ କ୍ରିସିଲ ୬.୩ ପ୍ରତିଶତ, ଏଚଡିଏଫସି ବ୍ୟାଙ୍କ ୬.୧ରୁ ୬.୨ ପ୍ରତିଶତ ଏବଂ ଆଇସିଆଇସିଆଇ ବ୍ୟାଙ୍କ ୬.୨ରୁ ୬.୩ ପ୍ରତିଶତ ଅଭିବୃଦ୍ଧି ରହିବ ବୋଲି ଆକଳନ କରିଥିଲେ। କିନ୍ତୁ ଅଭିବୃଦ୍ଧି ୫.୮ ପ୍ରତିଶତକୁ କମିଯାଇଛି। ଅଭିବୃଦ୍ଧି ହ୍ରାସ ପାଇଥିବାରୁ ରିଜର୍ଭ ବ୍ୟାଙ୍କ ଉପରେ ରେପୋ ହାର ହ୍ରାସ କରିବା ଚାପ ଏବେ ବୃଦ୍ଧି ପାଇବ। ଜୁନ୍ ୬ ତାରିଖରେ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ଦ୍ବିମାସିକ ମୁଦ୍ରା ନୀତି ଘୋଷଣା କରିବ। ଏଥିରେ ରେପୋ ହାର ହ୍ରାସ ପାଇବା ସମ୍ଭାବନା ସୃଷ୍ଟି ହୋଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏବେ ରେପୋ ହାର ୫.୭୫ ପ୍ରତିଶତରେ ରଖାଯାଇଛି।

ସମ୍ବନ୍ଧିତ ଖବର