ଏଲ୍‌ପିଜି ଦାମ୍ ଅସମ୍ଭାଳ, ତିନି ଦିନ ପରେ ପୁଣି ୨୫ ଟଙ୍କା ବଢ଼ିଲା

ରାହୁଲଙ୍କ ସମାଲୋଚନା, ତିନି ମାସରେ ବଢ଼ିଲାଣି ୨୨୫ ଟଙ୍କା

ନୂଆଦିଲ୍ଲିୀ: ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ଆକାଶଛୁଆଁ ସ୍ତରରେ ସ୍ଥିର ହୋଇଯାଇଥିବା ବେଳେ ଏଲ୍‌ପିଜି ମୂଲ୍ୟ ବଢ଼ିବାରେ ଲାଗିଛି। ତିନି ଦିନର ବ୍ୟବଧାନ ପରେ ଏଲ୍‌ପିଜି ଦାମ୍‌ରେ ଆଉ ୨୫ ଟଙ୍କାର ବୃଦ୍ଧି ହୋଇଛି। ଫେବ୍ରୁଆରିରେ ତିନି ଥର ଏଲ୍‌ପିଜି ଦାମ୍ ବଢ଼ିଥିଲା। ଫେବ୍ରୁଆରି ୪ରେ ୨୫ ଟଙ୍କା, ୧୪ରେ ୫୦ ଟଙ୍କା ଓ ଶେଷ ଥର ଲାଗି ୨୫ ତାରିଖରେ ୨୫ ଟଙ୍କା ବଢ଼ିଥିଲା। ମାର୍ଚ୍ଚ ପହିଲାରେ ଗ୍ୟାସ୍‌ କଂପାନି ପୁଣି ଦର ବଢ଼ାଇଛନ୍ତି। ଏହି ଦରବୃଦ୍ଧି ପରେ ଖୋର୍ଦ୍ଧାରେ ବିକ୍ରି ହେଉଥିବା ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ଦାମ୍ ୮୪୫ ଟଙ୍କା ୫୦ ପଇସା ହୋଇଛି।
ଗତ ଡିସେମ୍ବର ପରଠାରୁ ବିଭିନ୍ନ ପର୍ଯ୍ୟାୟରେ ଏଲ୍‌ପିଜି ଦାମ୍‌ ୨୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ସାଧାରଣତଃ ମାସର ପ୍ରଥମ ଦିନରେ ଗ୍ୟାସ୍‌ ଦର ପରିବର୍ତ୍ତନ ହେଉଥିଲା। କିନ୍ତୁ ଫେବ୍ରୁଆରିରେ ସେଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ଶେଷ ଥର ଲାଗି ୨୦୨୦ ଡିସେମ୍ବରରେ ଏଲ୍‌ପିଜି ଦାମ୍ ବଢ଼ିବା ପରେ ୨୦୨୧ ଜାନୁଆରିରେ ସ୍ଥିର ରହିଥିଲା। ତେଣୁ ଫେବ୍ରୁଆରି ଦର ଦ୍ରୁତଗତିରେ ବଢ଼ିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେଲେ ‌ପେଟ୍ରୋଲ୍ ଓ ଡିଜେଲ୍ ସହ ଏଲ୍‌ପିଜି ଦାମ୍ ମଧ୍ୟ ବଢ଼ିଥାଏ।

ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ଏବେ ୬୫.୪୯ ଡଲାର ରହିଛି। ୧୪.୨ କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ଯେଉଁ ବୃଦ୍ଧି ହୋଇଛି ତାହା ସବ୍‌ସିଡିରେ ଗ୍ୟାସ୍‌ କିଣୁଥିବା ଗ୍ରାହକଙ୍କ ଠାରୁ ଆରମ୍ଭ କରି ଉଜ୍ଜ୍ବଳା ହିତାଧିକାରୀ ଆଦି ସମସ୍ତଙ୍କୁ ପ୍ରଭାବିତ କରିବ। ସବୁ ପ୍ରକାର ଗ୍ରାହକ ବଜାର ଦାମ୍‌ରେ ସିଲିଣ୍ଡର କିଣୁଛନ୍ତି। ସାରା ଦେଶରେ ଗୋଟିଏ ଦରରେ ଏଲ୍‌ପିଜି ବିକ୍ରି ହେଉଛି। ସରକାର ପ୍ରତି ପରିବାର ପିଛା ବର୍ଷକୁ ୧୨ଟି ସିଲିଣ୍ଡର ରିହାତି ଦରରେ ଦେଉଛନ୍ତି। ଏହା ଠାରୁ ଅଧିକ ସିଲିଣ୍ଡର କିଣୁଥିବା ଗ୍ରାହକମାନଙ୍କୁ ବଜାର ଦାମ୍ ଗଣିବାକୁ ପଡ଼ୁଛି। ରିହାତିରେ ଦିଆଯାଉଥିବା ସିଲିଣ୍ଡର ପିଛା ଏବେ ନଗଣ୍ୟ ପରିମାଣର ସବ୍‌ସିଡି ଦିଆଯାଉଛି। ୨୦୨୦ ମେ’ ପରଠାରୁ ଦିଲ୍ଲୀ ଭଳି ମେଟ୍ରୋ ସହରର ଗ୍ରାହକଙ୍କୁ କୌଣସି ସବ୍‌ସିଡି ମିଳୁନାହିଁ। ଆଭ୍ୟନ୍ତରୀଣ, ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳର ଗ୍ରାହକମାନଙ୍କୁ ବହୁତ କମ୍ ଟଙ୍କାର ସବ୍‌ସିଡି ହସ୍ତାନ୍ତର କରାଯାଉଛି। ସେଥିପାଇଁ ସେହି ରାଶି ଏବେ ଗୁରୁତ୍ବ ରଖୁନି।

ଆଜି ଏଲ୍‌ପିଜି ସହିତ ତେଲ କଂପାନିଗୁଡ଼ିକ ବିମାନ ଇନ୍ଧନ ଏଟିଏଫ୍‌ର ମୂଲ୍ୟ ବଢ଼ାଇଛନ୍ତି। ଏଟିଏଫ୍‌ର କିଲୋଲିଟର ପିଛା ଦାମ୍ ୩୬୬୩ ଟଙ୍କା ବୃଦ୍ଧି ପାଇ ୫୯,୪୦୦ ଟଙ୍କା ହୋଇଛି। ଫେବ୍ରୁଆରି ପରଠାରୁ ଏଟିଏଫ୍ ଦାମ୍‌ ତିନି ଥର ବଢ଼ିଲାଣି। ଶେଷ ଥର ଲାଗି ଫେବ୍ରୁଆରି ୧୬ରେ ଏଟିଏଫ୍‌ର କିଲୋଲିଟର ପିଛା ଦାମ୍ ୩୨୪୬.୭୫ ଟଙ୍କା ବଢ଼ିଥିଲା। ଇନ୍ଧନ ମହଙ୍ଗା ହେଉଥିବାରୁ ବିମାନ କଂପାନିଗୁଡ଼ିକ ଟିକଟ ମୂଲ୍ୟ ବଢ଼ାଇବାକୁ ବାଧ୍ୟ ହୋଇପାରନ୍ତି।

ରାହୁଲଙ୍କ ସମାଲୋଚନା
ନୂଆଦିଲ୍ଲୀ: ଏଲ୍‌ପିଜି ଦାମ୍‌ରେ ପୁଣି ଥରେ ବୃଦ୍ଧି କରାଯାଇଥିବା ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି ଯେ ‌କେନ୍ଦ୍ର ସରକାର ଲୋକମାନଙ୍କୁ ତିନି ପ୍ରକାର ବିକଳ୍ପ ଦେଇଛନ୍ତି। ତାହା ହେଉଛି ବ୍ୟବସାୟ ବନ୍ଦ କରିଦିଅ, ରୋଷେଇ ‌ଷ୍ଟୋଭ୍ ଫୋପାଡ଼ି ଦିଅ ଓ ଜୁମ୍‌ଲା (ମିଥ୍ୟା ପ୍ରତିଶ୍ରୁତି) ଖାଅ। ଲୋକମାନଙ୍କ ପାଖରେ ବାସ୍ତବରେ କୌଣସି ବିକଳ୍ପ ନାହିଁ ବୋଲି ସେ ଜଣାଇଛନ୍ତି।

ତିନି ମାସରେ ବଢ଼ିଲାଣି ୨୨୫ ଟଙ୍କା
ନୂଆଦିଲ୍ଲୀ: ୨୦୨୦ ଡିସେମ୍ବର ପହିଲାରେ ଏଲ୍‌ପିଜି ଦାମ୍ ୫୦ ଟଙ୍କା ବଢ଼ିବା ପରେ ସେହି ମାସ ୧୬ରେ ଆଉ ୫୦ ଟଙ୍କା ବଢ଼ିଥିଲା। ଏହାପରେ ଜାନୁଆରିରେ ଦର ସ୍ଥିର ରହିଥିଲା। ଫେବ୍ରୁଆରି ମାସର ୪ରେ ୨୫ ଟଙ୍କା, ୧୪ରେ ୫୦ ଟଙ୍କା ଓ ୨୫ରେ ଆଉ ୨୫ ଟଙ୍କା ବଢ଼ିଥିଲା। ମାର୍ଚ୍ଚ ମାସ ଆରମ୍ଭରୁ ପହିଲାରେ ପୁଣି ଥରେ ଦର ୨୫ ଟଙ୍କା ବଢ଼ିଛି। ତିନି ମାସରେ ଏଲ୍‌ପିଜି ଦାମ୍ ୨୨୫ ଟଙ୍କା ବଢ଼ିଥିବା ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର