ଘାତକ ହେବ ‘ମୁଦ୍ରା’: ଯୋଜନା ରିଜର୍ଭ ବ୍ୟାଙ୍କର ଚେତାବନୀ, ବଢ଼ିବ ବ୍ୟାଙ୍କ ଏନପିଏ ସଙ୍କଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ନେଇ ରଜିର୍ଭ ବ୍ୟାଙ୍କ ସତର୍କବାଣୀ ଶୁଣାଇଛି। ଏହି ଯୋଜନା ଯୋଗୁ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ବହୁତ ବଢ଼ିଯିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଏହି ସମ୍ଭାବ୍ୟ ବିପଦ ବିଷୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି। ଭାରତୀୟ ବ୍ୟାଙ୍କ ଶିଳ୍ପ ଏବେ ଏନ୍‌ପିଏ ସଙ୍କଟ ଦେଇ ଗତି କରୁଛି। ବିପୁଳ ପରିମାଣର ଋଣ ଅର୍ଥ ଆଦାୟ ହୋଇପାରୁନଥିବାରୁ ବ୍ୟାଙ୍କଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ଏଭଳି ଏକ ସମୟରେ ମୁଦ୍ରା ଯୋଜନାରେ ଦିଆଯାଉଥିବା ଋଣ ଯଦି ଏନ୍‌ପିଏ ହୋଇଯିବ ତେବେ ବ୍ୟାଙ୍କଗୁଡ଼ିକ ଗୁରୁତର ସମସ୍ୟାରେ ପଡ଼ିଯିବେ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ମୁଦ୍ରା ଯୋଜନାରେ ଦିଆଯାଇଥିବା ଋଣ ମଧ୍ୟରୁ ୧୧ ହଜାର କୋଟି ଟଙ୍କା ଏନ୍‌ପିଏ ବର୍ଗରେ ସାମିଲ ହୋଇସାରିଲାଣି। ୨୦୧୭-୧୮ରେ ମୁଦ୍ରା ଯୋଜନାରେ ବ୍ୟାଙ୍କଗୁଡ଼ିକ ମୋଟ ୨ ଲକ୍ଷ ୪୬ ହଜାର କୋଟି ଟଙ୍କାର ଋଣ ଆବଣ୍ଟନ କରିଛନ୍ତି। ସେଥି ମଧ୍ୟରୁ ୪୦% ଅର୍ଥ ମହିଳା ଉଦ୍ୟୋଗୀଙ୍କୁ ଓ ୩୩% ଅର୍ଥ ସାମାଜିକ କ୍ଷେତ୍ରକୁ ପ୍ରଦାନ କରାଯାଇଛି। ସେହିବର୍ଷ ଏହି ଯୋଜନା ଦ୍ବାରା ୪.୮୧ କୋଟି ଲଘୁ ଋଣଗ୍ରହୀତା ଲାଭବାନ ହୋଇଛନ୍ତି। ୨୦୧୫ ଏପ୍ରିଲ୍‌ ୮ରେ ମୁଦ୍ରା ଯୋଜନା ଆରମ୍ଭ ହୋଇଥିଲା। ଏହି ସ୍କିମ୍‌ରେ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯାଉଛି। ଶିଶୁ (୫୦ ହଜାର ଟଙ୍କା ପର୍ଯ୍ୟନ୍ତ), କିଶୋର (୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ତରୁଣ (୫-୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ) ଭଳି ତିନିଟି ବର୍ଗରେ ମୁଦ୍ରା ଋଣ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର