ସିଣ୍ଟେକ୍ସ ଇଣ୍ଡଷ୍ଟ୍ରିଜ୍‌କୁ କିଣିବେ ମୁକେଶ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଦାଖଲ କଲା ବିଡ୍‌

ମୁମ୍ବାଇ : ପ୍ରତି ସପ୍ତାହରେ କଂପାନି କିଣୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଦେବାଳିଆ ହୋଇପଡ଼ିଥିବା ସଂସ୍ଥା ସିଣ୍ଟେକ୍ସ ଇଣ୍ଡଷ୍ଟ୍ରିଜ୍‌ ଉପରେ ଆଖି ପକାଇଛନ୍ତି। ଏହି ସଂସ୍ଥାକୁ କିଣିବା ଲାଗି ସେ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଓ ୱେଲ୍‌ସ୍ପନ୍‌ ଗ୍ରୁପ୍‌ର ସଂସ୍ଥା ସହ ମିଶି ବିଡ୍‌ ଦାଖଲ କରିଛନ୍ତି। ସିଣ୍ଟେକ୍ସ ହେଉଛି ଦେଶର ଏକ ଅଗ୍ରଣୀ ବୟନ କଂପାନି। ଏହା ବିଶ୍ବସ୍ତରୀୟ ବ୍ରାଣ୍ଡ୍‌ ଯଥା ଅର୍ମାନି, ହୁଗୋ ବସ୍, ଡିଜେଲ୍ ଓ ବୁରବେରି ଆଦିକୁ ଫ୍ୟାବ୍ରିକ୍ ଯୋଗାଉଥିଲା। ଏହି ସଂସ୍ଥାକୁ କିଣିବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସହିତ ଅନ୍ୟ ୧୫ଟି ସଂସ୍ଥା ବିଡ୍‌ ଦାଖଲ କରିଛନ୍ତି। ଗୁଜରାଟର ବ୍ୟବସାୟୀ ଅମିତ ପଟେଲ୍‌ଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା କଂପାନି ହେଉଛି ସିଣ୍ଟେକ୍ସ ଇଣ୍ଡଷ୍ଟ୍ରିଜ୍‌। ୨୦୧୭ରେ ଏହି ସଂସ୍ଥା ଠାରୁ ପାଣି ଟାଙ୍କି ତିଆରି କରୁଥିବା ସିଣ୍ଟେକ୍ସ ପ୍ଲାଷ୍ଟିକ୍ସ ଟେକ୍ନୋଲୋଜି ଲିମିଟେଡ୍‌କୁ ଅଲଗା କରିଦିଆଯାଇଥିଲା। ଗ୍ରୁପ୍‌ ଅଧୀନ‌ରେ ଏବେ ବୟନ ବ୍ୟବସାୟ ରହିଛି। ସଂସ୍ଥା ଦେବାଳିଆ ହୋଇପଡ଼ିବା ପରେ ଏହାକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ନିଜ ପାଣ୍ଠି ଫେରିପାଇବା ଲାଗି ଏନ୍‌ସିଏଲ୍‌ଟିରେ ଆବେଦନ କରିଛନ୍ତି। ୨୭ଟି ଆର୍ଥିକ ସଂସ୍ଥା ସିଣ୍ଟେକ୍ସ ଠାରୁ ପ୍ରାୟ ୭୫୩୪.୬ କୋଟି ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଆର୍‌ବିଏଲ୍‌, ଆଦିତ୍ୟ ବିର୍ଲା ଫାଇନାନ୍ସ, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ଏଲ୍‌ଆଇସି ଓ ଏସ୍‌ବିଆଇ ଭଳି ସଂସ୍ଥା ସିଣ୍ଟେକ୍ସକୁ ଋଣ ଦେଇଥିଲେ। ଏମାନଙ୍କ ମଧ୍ୟରୁ ୩ଟି ସଂସ୍ଥା ସିଣ୍ଟେକ୍ସ ଖାତାକୁ ଠକେଇ ବର୍ଗରେ ସାମିଲ କରିଥିଲେ। ଏପ୍ରିଲ୍‌ ମାସରେ କଂପାନିକୁ ବ୍ୟାଙ୍କଗୁଡ଼ିକ କୋର୍ଟକୁ ଟାଣିଥିଲେ। ବର୍ତ୍ତମାନ ଏହି ସଂସ୍ଥା ସମ୍ପର୍କିତ ମାମଲାର ଶୁଣାଣି ଏନ୍‌ସିଏଲ୍‌ଟିରେ ଚାଲିଛି। ଏହାକୁ ବିକ୍ରି କରିବା ଲାଗି ଯୋଗ୍ୟ ନିବେଶକମାନଙ୍କ ଠାରୁ ଆବେଦନ ଆହ୍ବାନ କରାଯାଇଛି। ‌

ସାଧାରଣତଃ ଦେବାଳିଆ ସଂସ୍ଥା କିଣିବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଗ୍ରହ ପ୍ରକାଶ କରିନଥାଏ। ଏହା ପୂର୍ବରୁ କେବଳ ଦେବାଳିଆ ହୋଇପଡ଼ିଥିବା ଆଲୋକ ଇଣ୍ଡଷ୍ଟ୍ରିଜ୍‌କୁ କିଣିବା ଲାଗି କଂପାନି ଉଦ୍ୟମ କରି ସଫଳ ହୋଇଥିଲା। ପରବର୍ତ୍ତୀ ସମୟରେ କେବଳ ଲାଭଦାୟକ କଂପାନିଗୁଡ଼ିକୁ ମୁକେଶଙ୍କ କଂପାନି କିଣୁଛି।

ସମ୍ବନ୍ଧିତ ଖବର