ନବକିଷାନ-କୃଷି ବିଭାଗ ବୁଝାମଣା

ଭୁବନେଶ୍ବର: କୃଷକ ‌ଉତ୍ପାଦ ଗୋଷ୍ଠୀ (ଏଫ୍‌ପିଓ)ଙ୍କ ପାଇଁ ଋଣ ସୁବିଧା ପ୍ରଦାନ କରିବା ନିମନ୍ତେ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଏକ ସହଯୋଗୀ ସଂସ୍ଥା ନବକିସାନ ଏବଂ ଓଡ଼ିଶାର କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦ୍ୟାନ କୃଷି ନିର୍ଦେଶକ ଡକ୍ଟର ବିଜୟ କେତନ ଉପାଧ୍ୟାୟ ଓ ନବକିଷାନର ସିଇଓ ନିରଜ ବର୍ମା ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, କୃଷି ଓ କୃଷକ ସଶକ୍ତୀକରଣ ସଚିବ ଡକ୍ଟର ସୌରଭ ଗର୍ଗ ଓ ନାବାର୍ଡର ସିଜିଏମ୍ ଏ ଚନ୍ଦ୍ରଶେଖର ଉପସ୍ଥିତ ଥିଲେ। ବୁଝାମଣା ଅନୁସାରେ ରାଜ୍ୟ ସରକାର ୧୦ କୋଟି ଟଙ୍କାର ଏକ ନିଶ୍ଚିତ ଋଣ ପାଣ୍ଠି ଗଠନ କରିବେ ଯାହା ନବକିଷାନ ଦ୍ବାରା ପରିଚାଳିତ ହେବ। ଏହା ମଧ୍ୟମରେ ରାଜ୍ୟର ଏଫ୍‌ପିଓଗୁଡ଼ିକ ବିନା ସୁଧରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ଋଣ ନେଇପାରିବେ। ସେହିପରି, ଭୁବନେଶ୍ବରରେ ଆଇସିଏଆର-ଆଇଆଇପିଆର୍‌ର ଏକ ଆଞ୍ଚଳିକ ଗବେଷଣା କେନ୍ଦ୍ର ସ୍ଥାପନ କରିବା ପାଇଁ ଆଇସିଏଆର-ଆଇଆଇପିଆର୍‌ କାନପୁର ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ମଧ୍ୟରେ ଆଉ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଓୟୁଏଟି ତରଫରୁ ଡିନ୍ (ଗବେଷଣା) ଡକ୍ଟର ଏଲ୍‌ ଏମ୍ ଗଡ଼ନାୟକ ଓ ଆଇଆଇପିଆର୍‌ର କାନପୁରର ନିର୍ଦେଶକ ଡକ୍ଟର ଏନ୍‌ ପି ସିଂହ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଏହି କେନ୍ଦ୍ର ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ଓୟୁଏଟି ପରିସରରେ ୧୦ ହେକ୍ଟର ଜମି ପ୍ରଦାନ କରିଛନ୍ତି। ଏହି ଗବେଷଣା କେନ୍ଦ୍ର ମୁଗ, ବିରି, ବୁଟ, କୋଳଥ, ଝୁଡ଼ଙ୍ଗ ଭଳି ଡାଲି ଜାତୀୟ ଫସଲର ବିହନ ଉତ୍ପାଦନ କରାଯିବ।

ସମ୍ବନ୍ଧିତ ଖବର