‘ୱାର୍କ ଫ୍ରମ୍ ହୋମ୍’ ପାଇଁ ଆସିବ ନୂଆ ଆଇନ

କର୍ମଚାରୀଙ୍କ ସ୍ବାର୍ଥକୁ ସୁରକ୍ଷା ମିଳିବ, ନିର୍ଦିଷ୍ଟ କାର୍ଯ୍ୟ ସମୟ ନିର୍ଘଣ୍ଟ କରାଯିବ, ବିଦ୍ୟୁତ, ଇଣ୍ଟରନେଟ୍‌ ଖର୍ଚ୍ଚ କଂପାନି ବହନ କରିବେ

ନୂଆଦିଲ୍ଲୀ: କରୋନା ମହାମାରୀ ବ୍ୟାପିବା ପରେ ତାହାର ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା ହେବାରୁ ଗମନାଗମନ ସମ୍ଭବ ହୋଇନଥିଲା। ଯେକୌଣସି ଉପାୟରେ କାର୍ଯ୍ୟ ଚାଲୁ ରଖିବା ଲାଗି ‘ୱାର୍କ ଫ୍ରମ୍ ହୋମ୍’ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଯେଉଁ କର୍ମଚାରୀମାନେ ଅଫିସ ଆସିବା ନିହାତି ଦରକାର ପଡ଼ୁନଥିଲା ସେମାନଙ୍କୁ ଘରେ ରହି କମ୍ପ୍ୟୁଟର କିମ୍ବା ଲ୍ୟାପ୍‌ଟପ୍‌ରେ କାମ କରିବାକୁ କୁହାଯାଇଥିଲା। କାମ କରିବାର ଏହି ବ୍ୟବସ୍ଥା ଅନେକ ସଂସ୍ଥା ଓ କର୍ମଚାରୀଙ୍କ ଲାଗି ସମ୍ପୂର୍ଣ୍ଣ ନୂଆ ଥିଲା।

ଏହି ବ୍ୟବସ୍ଥା ପ୍ରାୟ ଦୁଇ ବର୍ଷର ଯାତ୍ରା ପୂର୍ଣ୍ଣ କରିବାକୁ ଯାଉଥିବା ବେଳେ ଏହାର କିଛି ଭଲ ଦିଗ ଓ ଖରାପ ଦିଗ ମଧ୍ୟ ସାମ୍ନାକୁ ଆସିଛି। ବିଶେଷ କରି କର୍ମଚାରୀମାନଙ୍କ ସ୍ବାର୍ଥର ସୁରକ୍ଷା ଏବଂ କାମ ଓ ଜୀବନ ଭିତରେ ସନ୍ତୁଳନ ସବୁଠୁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାରେ କର୍ମଚାରୀମାନଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବା ଲାଗି ଏକ ନୂଆ ଆଇନ ଆଣିବା ବିଷୟରେ ସରକାର ବିଚାର କରୁଛନ୍ତି। ନୂଆ ଆଇନରେ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାକୁ ଏକ ଆଇନଗତ ଦିଗ ଦିଆଯିବ। ଏହି ବ୍ୟବସ୍ଥାରେ ଲୋକମାନେ ଘରେ ସର୍ବାଧିକ କେତେ ସମୟ କାର୍ଯ୍ୟ କରିବେ ତାହା ନିର୍ଧାରଣ କରାଯିବ। କାମ ପାଇଁ କର୍ମଚାରୀଙ୍କ ବିଦ୍ୟୁତ ଓ ଇଣ୍ଟରନେଟ୍ ଆଦି ପାଇଁ ଯେଉଁ ଅତିରିକ୍ତ ଖର୍ଚ୍ଚ ହେଉଛି ତାହା ଯେଭଳି କଂପାନି ଭରଣା କରିବ ସେଥିପାଇଁ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।

ମହାମାରୀ ଦୂର ହେବା ପରେ ମଧ୍ୟ କିଛି କ୍ଷେତ୍ର ଲାଗି ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ସ୍ଥାୟୀ ଭାବେ ରହିବ ବୋଲି ଆକଳନ କରାଯାଉଛି। ସେହି ଦୃଷ୍ଟିରୁ ଏହାକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ସରକାର ଚାହୁଛନ୍ତି। ଭବିଷ୍ୟତରେ ମହାମାରୀ ଭଳି ସ୍ଥିତି ଉପୁଜିଲେ କିଭଳି ଏହି ବ୍ୟବସ୍ଥାକୁ ପାରଦର୍ଶୀ ଢଙ୍ଗରେ ଲାଗୁ କରାଯିବ ସେଥିପାଇଁ ମଧ୍ୟ ନୂଆ ଆଇନରେ ବ୍ୟବସ୍ଥା କରାଯିବ। ଏହି ଆଇନ ପ୍ରସ୍ତୁତ କରିବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ପରାମର୍ଶ ଦେବା ଲାଗି ଏକ କନ୍‌ସଲଟାନ୍ସି ସଂସ୍ଥାକୁ ନିଯୁକ୍ତ କରାଯାଇଛି। କେବଳ କର୍ମଚାରୀ ନୁହେଁ ନିଯୁକ୍ତିଦାତା ସମେତ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ସହ ଜଡ଼ିତ ସବୁ ଅଂଶୀଦାରମାନଙ୍କ ସ୍ବାର୍ଥ ଯେଭଳି ସୁରକ୍ଷିତ ରହିପାରିବ ସେଥିପ୍ରତି ସରକାର ଧ୍ୟାନ ଦେବେ।

ଚଳିତ ବର୍ଷ ଜାନୁଆରିରେ ଏକ ଷ୍ଟାଣ୍ଡିଂ ଅର୍ଡର ଜାରି କରି ସେବା କ୍ଷେତ୍ର ଲାଗି ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାକୁ ସଂଗଠିତ ରୂପ ପ୍ରଦାନ କରାଯାଇଥିଲା। ଆପୋଷ ଆଲୋଚନା ଜରିଆରେ କାର୍ଯ୍ୟ ସମୟ ଓ ସେବାର ସର୍ତ୍ତାବଳୀ ନିର୍ଧାରଣ କରିବା ଲାଗି କର୍ମଚାରୀ ଓ ନିଯୁକ୍ତିଦାତାମାନଙ୍କୁ ଅନୁମତି ଦିଆଯାଇଥିଲା। ସେହି ଷ୍ଟାଣ୍ଡିଂ ଅର୍ଡର ପ୍ରଭାବ ସୀମିତ ରହିଥିଲା। କାରଣ ସେବା କ୍ଷେତ୍ରରେ ଥିବା ଆଇଟି କଂପାନିଗୁଡ଼ିକ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାକୁ ଏହା ପୂର୍ବରୁ ଗ୍ରହଣ କରିସାରିଥିଲେ। ଏବେ ସରକାର ସବୁ କ୍ଷେତ୍ର ଲାଗି ଏକ ସଂଗଠିତ ଢାଞ୍ଚା ପ୍ରସ୍ତୁତ କରିବାକୁ ଚାହୁଛନ୍ତି।

ବିଶ୍ବର କେତେକ ପ୍ରମୁଖ ଦେଶ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବା ଲାଗି ଆଇନ ପ୍ରସ୍ତୁତ କରୁଥିବାରୁ ଏ କ୍ଷେତ୍ରରେ ସେମାନଙ୍କ ସହ ତାଳ ଦେଇ ଆଗକୁ ବଢ଼ିବା ଲାଗି ଭାରତ ସରକାର ମଧ୍ୟ ଏକ ଆଇନ ଆଣିବାକୁ ଚାହୁଛନ୍ତି। କଂପାନି କାର୍ଯ୍ୟାଳୟ ବାହାରେ ରହି କାମ କରୁଥିବା କର୍ମଚାରୀମାନଙ୍କ ସ୍ବାର୍ଥର ସୁରକ୍ଷାକୁ ଏଥିରେ ସର୍ବାଧିକ ଗୁରୁତ୍ବ ଦିଆଯିବ।

ସମ୍ବନ୍ଧିତ ଖବର