ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ରେପୋ ହାରକୁ ୬%ରେ ଅପରିବର୍ତିତ ରଖାଯାଇଛି। ଋଣ ନେଇଥିବା ଗ୍ରାହକ ଓ କର୍ପୋରେଟ୍ ଜଗତକୁ ଏହା ନିରାଶ କରିଛନ୍ତି। ଋଣ ନେଇଥିବା ଗ୍ରାହକଙ୍କ ବୋଝ ହାଲୁକା ହେବନି। ଇଏମ୍ଆଇ କମିବନି। ସେମାନଙ୍କୁ ପୂର୍ବଭଳି କିସ୍ତି ଗଣିବାକୁ ପଡ଼ିବ।
ରିଜର୍ଭ ବ୍ୟାଙ୍କର ପାଞ୍ଚ ଜଣିଆ ମୁଦ୍ରାନୀତି କମିଟି ସୁଧ ହାର ଅପରିବର୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ରିଭର୍ସ ରେପୋ ହାର ୫.୭୫% ରହିଛି। ରେପୋ ହାର ଅନୁସାରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସ୍ୱଳ୍ପମିଆଦୀ ଋଣ ପ୍ରଦାନ କରାଯାଏ। ରିଭର୍ସ ରେପୋ ହାରରେ ବ୍ୟାଙ୍କଗୁଡ଼ିକଠାରୁ ରିଜର୍ଭ ବ୍ୟାଙ୍କ ଋଣ ନେଇଥାଏ।
ଆଗାମୀ ଦିନରେ ଦରଦାମ ସ୍ଥିତିରେ ସୁଧାର ହେବ ବୋଲି ରିଜର୍ଭ ବ୍ୟାଙ୍କ ଅନୁମାନ ଲଗାଇଛି। ୨୦୧୮-୧୯ରେ ମୁଦ୍ରାସ୍ଫୀତି ହାର ୪.୭-୫.୧% ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ମୁଦ୍ରାସ୍ଫୀତି ହାରକୁ ୪% ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହାର ଉଦ୍ୟମ ଜାରି ରଖିଛି। ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ବଢ଼ିଲେ ମୁଦ୍ରାସ୍ଫୀତି ହାର ବଢ଼ିଥାଏ। ୨୦୧୮-୧୯ରେ ଦେଶର ଅଭିବୃଦ୍ଧି ହାର ୭.୪%କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ୨୦୧୭-୧୮ରେ ଅଭିବୃଦ୍ଧି ହାର ୬.୬%ରେ ରହିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ବେଞ୍ଚମାର୍କ ଲେଣ୍ଡିଂ ରେଟ୍୍ରେ ୦.୨୫% ହ୍ରାସ କରାଯାଇଛି। ଫଳରେ ଏହି ହାର ୬%କୁ ଖସିଆସିଛି। ବିଗତ ୬ ବର୍ଷ ଭିତରେ ବେଞ୍ଚମାର୍କ ଲେଣ୍ଡିଂ ରେଟ୍ ଏହାର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଚଳିତ ଆର୍ଥିକ ବର୍ଷର୍ରେ ମୌସୁମୀ ସ୍ୱାଭାବିକ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଯଦି ମୌସୁମୀ ବର୍ଷା ପରିମାଣ କମ୍ ହେବ ତେବେ ଖାଦ୍ୟ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିବ ବୋଲି କୁହାଯାଇଛି।
ମୁମ୍ବାଇ,: ଦେଶର ଅର୍ଥନୀତିର ଅଭିବୃଦ୍ଧି ହାର ଆକଳନ କରିବା ପାଇଁ ପ୍ରଚଳନ କରାଯାଇଥିବା ଗ୍ରସ୍ ଭାଲ୍ୟୁ ଆଡେଡ୍ (ଜିଭିଏ) ମଡେଲ୍କୁ ରିଜର୍ଭ ବ୍ୟାଙ୍କ ବନ୍ଦ କରିଦେଇଛି। ପୁଣି ଥରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ମଡେଲ୍କୁ ଗ୍ରହଣ କରାଯାଇଛି। ୨୦୧୫ ଜାନୁଆରିଠାରୁ ଜିଭିଏ ମଡେଲ୍କୁ ଗ୍ରହଣ କରାଯାଇଥିଲା। ଏହା ଉତ୍ପାଦନ ଓ ଯୋଗାଣ ଦୃଷ୍ଟିରୁ ଅର୍ଥନୀତିର ବିକାଶ ହାର ଆକଳନ କରିଥାଏ। ସାରା ବିଶ୍ୱରେ ଜିଡିପି ମଡେଲ୍ ଅଧିକ ଗ୍ରହଣୀୟ। ବିଭିନ୍ନ ସରକାରଙ୍କଠାରୁ ଆରମ୍ଭ କରି ବିଶ୍ୱ ସ୍ତରୀୟ ସଂସ୍ଥା ଓ ନିବେଶକମାନେ ଜିଡିପି ତଥ୍ୟକୁ ଅଧିକ ବିଶ୍ୱାସକୁ ନେଇଥାନ୍ତି। ସେଥିପାଇଁ ପୁଣି ଥରେ ଜିଡିପି ମଡେଲ୍୍କୁ ପ୍ରଚଳନ କରାଯାଇଛି। ମାତ୍ର ଜିଡିପି ମଡେଲ୍ରେ ଗ୍ରାହକ ଓ ଚାହିଦାକୁ ବିଚାରକୁ ନିଆଯାଇଥାଏ।
ମୁମ୍ବାଇ, : ସରକାରୀ ବ୍ୟାଙ୍କଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଆମ ପାଖରେ ଆବଶ୍ୟକ କ୍ଷମତା ନାହିଁ। ସରକାରୀ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ଯେଉଁ କ୍ଷମତା ଦିଆଯାଇଛି ସେଥିରେ ଅସମାନତା ରହିଛି ବୋଲି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ୍ କହିଛନ୍ତି। ଘରୋଇ ବ୍ୟାଙ୍କଗୁଡ଼ିକୁ ସହଜରେ ନିୟନ୍ତ୍ରଣ କରାଯାଇପାରୁଛି। ମାତ୍ର ସରକାରୀ ବ୍ୟାଙ୍କ ପାଇଁ ଆମ ପାଖରେ ସୀମିତ କ୍ଷମତା ରହିଛି ବୋଲି ସେ କହିଛନ୍ତି।ବ୍ୟାଙ୍କିଙ୍ଗ ନିୟାମକ ନିୟମରେ ସଂଶୋଧନ ଆଣି ରିଜର୍ଭ ବ୍ୟାଙ୍କକୁ ଅଧିକ କ୍ଷମତା ଦେବାକୁ ସେ ଦାବି କରିଛନ୍ତି।
ମୁମ୍ବାଇ, : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ ଘୋଷଣା କରାଯାଇଛି। ଦେଶ ଭିତରେ କାରବାର କରୁଥିବା କୌଣସି ବ୍ୟାଙ୍କ ଓ ଓ୍ଵାଲେଟ୍ କ୍ରିପ୍ଟୋକରେନ୍ସି କାରବାର କରିପାରିବେ ନାହିଁ। ବ୍ୟାଙ୍କ କିମ୍ବା ଓ୍ଵାଲେଟ୍ ଜରିଆରେ ବିଟ୍କଏନ୍ ଭଳି ଡିଜିଟାଲ୍ କରେନ୍ସିର କିଣାବିକା ହୋଇପାରିବ ନାହିଁ। ତେବେ ରିଜର୍ଭ ବ୍ୟାଙ୍କ ନିଜସ୍ୱ କ୍ରିପ୍ଟୋକରେନ୍ସି ଆଣିବା ଉପରେ ବିଚାର କରିବ ବୋଲି ସୂଚନା ଦେଇଛି। ଏଥିପାଇଁ ଏକ ଆନ୍ତଃ ବିଭାଗୀୟ କମିଟି ଗଠନ କରାଯାଇଛି। କମିଟି ଏହାର ରିପୋର୍ଟ ଜୁନ୍ ସୁଦ୍ଧା ପ୍ରଦାନ କରିବ। ବର୍ତ୍ତମାନ ସୁଦ୍ଧା ଡିଜିଟାଲ୍ କରେନ୍ସିକୁ ନେଇ କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏକ ନିର୍ଦିଷ୍ଟ ନିଷ୍ପତ୍ତିରେ ପହଞ୍ଚିପାରିନାହାନ୍ତି। ସେଥିପାଇଁ ରିଜର୍ଭ ବ୍ୟାଙ୍କ ପ୍ରଥମେ ଡିଜିଟାଲ୍ କରେନ୍ସିର ସମ୍ଭାବନାକୁ ନେଇ ଆକଳନ କରିବ। କମିଟି ଯେଉଁ ସୁପାରିସ କରିବ ସେହି ଅନୁସାରେ ରିଜର୍ଭ ବ୍ୟାଙ୍କ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବ।