ଭାରତୀୟ ନୋଟରେ ଟାଗୋର ଓ କାଲାମଙ୍କ ଚିତ୍ର ବ୍ୟବହାର ନେଇ କୌଣସି ପ୍ରସ୍ତାବ ନାହିଁ : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଭାରତୀୟ ବ୍ୟାଙ୍କ ନୋଟରେ ମହାତ୍ମାଗାନ୍ଧୀଙ୍କ ବ୍ୟତୀତ ଅନ୍ୟ ମହାପୁରୁଷଙ୍କ ଫଟୋ ରଖିବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ଫଳରେ ଗତକାଲିଠାରୁ ଏ ନେଇ ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚାର ଅବସାନ ହୋଇଛି ।

ରବିବାରଦିନ ବିଭିନ୍ନ ଜାତୀୟ ସ୍ତରରେ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା ଯେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭାରତୀୟ ବ୍ୟାଙ୍କ ନୋଟରେ ବିଶ୍ବକବି ରବୀନ୍ଦ୍ର ନାଥ ଟାଗୋର ଓ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ଓ୍ବାଟରମାର୍କ ରଖିବାକୁ ବିଚାର କରାଯାଉଛି । ଏ ନେଇ କେତେକ ନୂଆ ସିରିଜର ନୋଟ ପ୍ରଚଳନ କରିବାକୁ ଯୋଜନା ଚାଲିଥିବା ରିପୋର୍ଟ ପ୍ରକାଶ ପାଇଥିଲା ।

ଭାରତରେ ବର୍ତ୍ତମାନ ବ୍ୟବହାର କରା ଯାଉଥିବା ନୋଟ୍‌ ଗୁଡ଼ିକରେ ଦେଶର ପିତା ମହାତ୍ମା ଗାନ୍ଧୀଙ୍କର ୱାଟରମାର୍କ ଚିତ୍ରକୁ ବ୍ୟବହାର କରାଯାଉଛି । ଗାନ୍ଧୀ ପ୍ରଥମେ ୧୯୬୯ରେ ଭାରତୀୟ ମୁଦ୍ରା ନୋଟରେ ସ୍ଥାନ ପାଇଥିଲେ ଯେତେବେଳେ ତାଙ୍କର ୧୦୦ ତମ ଜନ୍ମ ଉତ୍ସବକୁ ସମ୍ମାନ ଜଣାଇ ଏକ ଡିଜାଇନ୍‌ ସିରିଜ୍‌ ଜାରି କରା ଯାଇଥିଲା। ତେବେ ଦେଶର ଅନ୍ୟ ମହାପୁରୁଷଙ୍କୁ ମଧ୍ୟ ନୋଟରେ ସ୍ଥାନ ଦେବାକୁ ବିଗତ କିଛି ବର୍ଷ ହେଲା ଦାବି ହୋଇଆସୁଛି । ଆମେରିକା ଓ ବିଶ୍ବର ଅନେକ ଦେଶରେ ଏକାଧିକ ମହାପୁରୁଷଙ୍କ ଫଟୋ ରହିଥାଏ । ଆମେରିକୀୟ ଡଲାରରେ ଜର୍ଜ ଓ୍ବାସିଂଟନ, ଥମାସ ଜେଫାରସନ, ବେଞ୍ଜାମିନ ଫ୍ରାଙ୍କଲିନ ଆଦିଙ୍କ ଫଟୋ ରହିଥାଏ ।

ସମ୍ବନ୍ଧିତ ଖବର