ନୂଆ ନୋଟ୍‌ ରଖିବାକୁ ଜାଗା ନାହିଁ

ଅଚଳ ନୋଟ୍‌ରେ କରେନ୍ସି ଚେଷ୍ଟ୍‍, ଭଲ୍‌ଟ ଭର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଚଳିତ ବର୍ଷ କମ୍‌ ପରିମାଣର ନୂଆ ନୋଟ୍‌ ଛପାଇବ। ଏହାର କାରଣ ହେଉଛି ନୂଆ ନୋଟ୍‌ଗୁଡ଼ିକୁ ରଖିବା ପାଇଁ ଆର୍‌ବିଆଇ ପାଖରେ ଆଉ ଜାଗା ନାହିଁ। ଆର୍‌ବିଆଇ ଓ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ପାଖରେ ଥିବା ଭଲ୍‌ଟ ଏବଂ କରେନ୍ସି ଚେଷ୍ଟଗୁଡ଼ିକରେ ଅଚଳ ନୋଟ୍‌ ଭର୍ତ୍ତି ହୋଇରହିଛି। ସେଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାନଯିବା ପର୍ଯ୍ୟନ୍ତ ନୂଆ ନୋଟ୍‌ ରଖିବା ପାଇଁ ସ୍ଥାନ ମିଳିବନି।

ବିମୁଦ୍ରାକରଣ ପରେ ଅଚଳ ହୋଇଯାଇଥିବା ନୋଟ୍‌ଗୁଡ଼ିକୁ ବ୍ୟାଙ୍କରେ ବିନିମୟ କରାଯାଇଥିଲା। ସେଗୁଡ଼ିକ ଏବେ କରେନ୍ସି ଚେଷ୍ଟ ଏବଂ ଭଲ୍‌ଟରେ ପଡ଼ି ରହିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଅଚଳ ନୋଟ୍‌ ଗଣତି ଶେଷ ହୋଇନାହିଁ। ସେଥିପାଇଁ ଅଚଳ ନୋଟ୍‌ଗୁଡ଼ିକର କିଛି କରାଯାଇପାରୁନାହିଁ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଗତ ପାଞ୍ଚ ବର୍ଷ ଭିତରେ ପ୍ରତି ବର୍ଷ ହାରାହାରି ୨୫୦୦ କୋଟି ଖଣ୍ଡ ନୋଟ୍‌ ଛପାଯାଇଥାଏ। ଚଳିତ ବର୍ଷ କିନ୍ତୁ ଏହା ୨୧୦୦ କୋଟି ଖଣ୍ଡ ନୋଟ୍‌ ଛପାଇବାର ବରାଦ ହାସଲ କରିଛି। ଗତବର୍ଷ ୨୮୦୦ କୋଟି ଖଣ୍ଡ ନୋଟ୍‌ ଛପାଯାଇଥିଲା। ବୋଧହୁଏ ବିମୁଦ୍ରାକରଣକୁ ଦୃଷ୍ଟିରେ ରଖି ଗତବର୍ଷ ଅଧିକ ନୂଆ ନୋଟ୍‌ ଛପାଯାଇଥିଲା। ୯୦% ଅଚଳ ନୋଟ୍‌ ସ୍ଥାନର ସ୍ଥାନ ନୂଆ ନୋଟ୍‌ ନେଇସାରିଲେଣି। ଆର୍‌ବିଆଇର ତଥ୍ୟ ମୁତାବକ ୨୦୧୭ ଅକ୍ଟୋବର ୧୩ ସୁଦ୍ଧା ପ୍ରଚଳନରେ ୧୫.୩ ଲକ୍ଷ କୋଟି ଟଙ୍କା ରହିଛି।

ଦେଶର ବିଭିନ୍ନ ସ୍ଥାନରେ ଥିବା କରେନ୍ସି ଚେଷ୍ଟ୍‍ରୁ ୫୦-୬୦% ଅଚଳ ନୋଟ୍‌ ଆର୍‌ବିଆଇ ପାଖକୁ ପଠାଇ ଦିଆଯାଇଛି। ଏହା ସତ୍ତ୍ୱେ ନୂଆ ନୋଟ୍‌ ରଖିବାକୁ ଜାଗା ନାହିଁ।

ବିମୁଦ୍ରାକରଣ ପରେ ନୋଟ୍‌ର ଅଭାବ ଦେଖା ଦେବାରୁ ୧୨୦୦ କୋଟି ଖଣ୍ଡ ଚିରାଫଟା ନୋଟ୍‌ ବଜାରକୁ ଆସିଥିଲା। ସେଗୁଡ଼ିକୁ ବଦଳାଇବା ପାଇଁ ମଧ୍ୟ ନୂଆ ନୋଟ୍‌ ଛପା ହେଉନାହିଁ। ବିମୁଦ୍ରାକରଣ ପରେ ୧୦, ୨୦ ଏବଂ ୫୦ ଟଙ୍କିଆ ଚିରାଫଟା ନୋଟ୍‌ ବଜାରକୁ ଆସିଥିଲା।

ସମ୍ବନ୍ଧିତ ଖବର