ଏନ୍‌ପିଏ ମୁକାବିଲା, ନରମିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଆଦାୟ ହୋଇପାରୁନଥିବା ଋଣ ମାମଲାଗୁଡ଼ିକର ସମାଧାନ କରିବାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ କୋହଳ ମନୋଭାବ ପୋଷଣ କରିଛି। ଆଜି ଏନ୍‌ପିଏକୁ ନେଇ ଏକ ନୂଆ ସର୍କୁଲାର ଜାରି କରାଯାଇଛି। ତାହା ପୂର୍ବାପେକ୍ଷା ବେଶ କୋହଳ। ଏହି ସର୍କୁଲାର ଉଭୟ ଋଣ ଦେଇଥିବା ଓ ଋଣ ନେଇଥିବା ସଂସ୍ଥା ପାଇଁ ଖୁସି ଖବର। ଏନ୍‌ପିଏକୁ ନେଇ ପୂର୍ବରୁ ୨୦୧୮ ଫେବ୍ରୁଆରି ୧୨ରେ ରିଜର୍ଭ ବ୍ୟାଙ୍କ ଏକ କଠୋର ସର୍କୁଲାର ଜାରି କରିଥିଲା। ତାହା ବେଶ‌ ବିବାଦୀୟ ହୋଇପଡ଼ିଥିଲା। ଗତ ଏପ୍ରିଲ୍ ୨ରେ ସୁପ୍ରିମକୋର୍ଟ ଉକ୍ତ ସର୍କୁଲାରକୁ ରଦ୍ଦ କରିଦେଇଥିଲେ। ପୁରୁଣା ସର୍କୁଲାର ଅତ୍ୟନ୍ତ କଠୋର ଥିଲା। ସେଥିରେ କୁହାଯାଇଥିଲା ଯେ ୨୦୦୦ କୋଟି ଟଙ୍କାରୁ ଅଧିକ ଋଣ ନେଇଥିବା ଗ୍ରାହକମାନେ ଯଦି ଋଣ ପରିଶୋଧ କରିବାରେ ଗୋଟିଏ ଦିନ ବି ବିଳମ୍ବ କରନ୍ତି ତେବେ ତାହାର ସମାଧାନ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଥିଲା। ଏଭଳି ମାମଲାରେ ତୁରନ୍ତ ଉକ୍ତ ଋଣ ଖାତାର ସମାଧାନ କରିବା କିମ୍ବା ଋଣର ପୁନର୍ଗଠନ କରିବା ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯାଇଥିଲା। ନୂଆ ସକୁର୍ଲାର ଅନୁସାରେ, ଯଦି କୌଣସି ଋଣ ଖାତାରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି ସେବିଷୟରେ ତୁରନ୍ତ ସୂଚନା ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଯେଉଁ ଗ୍ରାହକମାନେ ଋଣ ଖିଲାପ କରିଛନ୍ତି ସେମାନଙ୍କ ଖାତା ବିଷୟରେ ବ୍ୟାଙ୍କଗୁଡ଼ିକ ପ୍ରତି ସପ୍ତାହର ଶୁକ୍ରବାର ଦିନ ରିପୋର୍ଟ ପ୍ରଦାନ କରିବେ। ଯଦି ଶୁକ୍ରବାର କୌଣସି କାରଣ ଯୋଗୁ ବ୍ୟାଙ୍କ ଛୁଟି ରହିବ ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଉକ୍ତ ରିପୋର୍ଟ ଦେବାକୁ ହେବ। ଏନ୍‌ପିଏ ମାମଲାର ସମାଧାନ ପାଇଁ ପ୍ରତିଟି ବ୍ୟାଙ୍କର ଏକ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରିବେ ଯାହାକୁ ବୋର୍ଡର ମଞ୍ଜୁରି ମିଳିବା ନିହାତି ଦରକାର ବୋଲି ରିଜର୍ଭ ବ୍ୟାଙ୍କ କହିଛି।

୩୦ ଦିନର ମହଲତ ମିଳିବ
ନୂଆ ସର୍କୁଲାରରେ ଗୋଟିଏ ଦିନ ବିଳମ୍ବ ସର୍ତ୍ତକୁ ହଟାଇ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ୨୦୦୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ଋଣ ପରିଶୋଧ ହେବାରେ ଯଦି ବିଳମ୍ବ ହେବ ତେବେ ଏହାର ୩୦ ଦିନ ଭିତରେ ବ୍ୟାଙ୍କ ପକ୍ଷରୁ ଉକ୍ତ ଋଣ ଖାତାର ସମୀକ୍ଷା କରାଯିବ ଏବଂ ଋଣ ଖିଲାପ ହେବା ପୂର୍ବରୁ ତାହାର ସମାଧାନ ପ୍ରକ୍ରିୟା ଆରମ୍ଭ କରାଯିବ। ଏନ୍‌ପିଏର ସମାଧାନ ବେଳେ ବୋର୍ଡ ଦ୍ବାରା ମଞ୍ଜୁର ହୋଇଥିବା ଯେଉଁ ନିୟମ ରହିଛି ତାହାକୁ ସବୁ ବ୍ୟାଙ୍କ ପାଳନ କରିବା ଦରକାର ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ପୂର୍ବର ବିବାଦୀୟ ସକୁର୍ଲାର୍‌ରେ କୁହାଯାଇଥିଲା ଯେ, ଋଣ ନେଇଥିବା ସଂସ୍ଥାର ୧୦୦% ଅନୁମତି ମିଳିବା ପରେ ଋଣ ଖାତାର ସମାଧାନ ପ୍ରକ୍ରିୟା ଆରମ୍ଭ କରାଯିବ। ଏବେ ସେହି ସୀମାକୁ ୭୫%କୁ ଖସାଇ ଦିଆଯାଇଛି। ସମାଧାନ ଯୋଜନା କିଭଳି ହେବ ଏବଂ ତାହାକୁ କିଭଳି ଲାଗୁ କରାଯିବ ତାହାର ସମ୍ପୂର୍ଣ୍ଣ ସ୍ବାଧୀନତା ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ ପ୍ରଦାନ କରାଯାଇଛି। ଋଣ ଦେଉଥିବା ସବୁ ସଂସ୍ଥା ବାଧ୍ୟତାମୂଳକ ଭାବେ ଏକ ଇଣ୍ଟର କ୍ରେଡିଟର୍‌ ଏଗ୍ରିମେଣ୍ଟ୍‌ (ଆଇସିଏ)ରେ ଦସ୍ତଖତ କରିବେ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଋଣ ସମାଧାନ ଯୋଜନା ପ୍ରସ୍ତୁତିରେ ବହୁମତ ରହିଛି ବୋଲି ଏହା ଦ୍ବାରା ପ୍ରମାଣିତ ହେବ।

ସମ୍ବନ୍ଧିତ ଖବର