ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ, ଓଡ଼ିଶା ମାଗିଲା କେନ୍ଦ୍ରୀୟ ସହା‌ୟତା

ହିଞ୍ଜିଳି, କେସିଙ୍ଗାରେ ଖୋଲିବ ଏମ୍ଏସ୍‌ଏମ୍‌ଇ ଶିଳ୍ପ ପାର୍କ

ଭୁବନେଶ୍ବର,: ବାତ୍ୟା ଫନି ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏସ୍ଏମ୍ଇ)ଗୁଡ଼ିକ ପାଇଁ ଓଡ଼ିଶା କେନ୍ଦ୍ରୀୟ ସହାୟତା ମାଗିଛି। ଆଜି ଇଡ୍‌କଲ୍ ଅଡିଟୋରିୟମ୍ ଠାରେ ଓଡ଼ିଶା ଆସୋସିଏସନ୍ ଅଫ୍ ଏସ୍‌ଏମ୍‌ଇ (ଓସ୍‌ମି) ପକ୍ଷରୁ ଆୟୋଜନ କରାଯାଇଥିବା ଓଡ଼ିଶା ଏମ୍‌ଏସ୍‌ଏମ୍ଇ ମିଟ୍ ୨୦୧୯ରେ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ଦାବିକୁ କେନ୍ଦ୍ର ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏହି କ୍ଷେତ୍ରର ବିକାଶ ପାଇଁ ସହଯୋଗ ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି। ରାଜ୍ୟର ପ୍ରତିଟି ପଛୁଆ ଅଞ୍ଚଳରେ ଏମ୍ଏସ୍‌ଏମଇ ପାର୍କ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ହିଞ୍ଜିଳି ଓ କେସିଙ୍ଗା ପାଇଁ ଦୁଇଟି ଏମ୍‌ଏସ୍‌ଏମଇ ପାର୍କ ମଞ୍ଜୁର କରାଯାଇଛି। ଗ୍ରାମାଞ୍ଚଳରେ କ୍ଷୁଦ୍ର ଶିଳ୍ପ ସଂଖ୍ୟା ବଢ଼ାଇବା ଲାଗି ପଛୁଆ ଅଞ୍ଚଳରେ ଏମ୍ଏସ୍‌ଏମ୍‌ଇ ପାର୍କର ହବ୍ ସେଣ୍ଟର୍‌ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

ଏହି ଅବସରରେ କେନ୍ଦ୍ର ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ଅର୍ଥନୀତି ପ୍ରତି ଏମ୍ଏସ୍‌ଏମ୍‌ଇ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ମାନୁଫାକ୍‌ଚରିଂ ପ୍ରତି ଏହି କ୍ଷେତ୍ରର ଅବଦାନ ୪୫% ରହିଥିବା ବେଳେ ରପ୍ତାନି ପ୍ରତି ୨୦% ଓ ଦେଶର ଜିଡିପିକୁ ଅବଦାନ ୨୮% ରହିଛି। ଏହି କ୍ଷେତ୍ର ରୁଗ୍‌ଣ ହେଲେ ଅର୍ଥନୀତି ଦୁର୍ବଳ ହୋଇଯିବ। ଏମ୍ଏସ୍‌ଏମ୍ଇ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ବ୍ୟବସାୟୀଙ୍କୁ ବ୍ୟାଙ୍କଗୁଡ଼ିକ ସହଜରେ ଋଣ ପ୍ରଦାନ କରୁନଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଋଣ ନେଇଥିବା ପ୍ରତିଟି ବ୍ୟବସାୟୀ ନିରବ ମୋଦୀ କିମ୍ବା ବିଜୟ ମାଲ୍ୟା ନୁହନ୍ତି। ଋଣ ଆଦାୟ ବେଳେ ବ୍ୟବସାୟୀଙ୍କ ପ୍ରତି ସଦୟ ହେବାକୁ ସେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଯେଉଁ ବ୍ୟବସାୟୀମାନେ ବ୍ୟାଙ୍କ ଋଣ ପାଇବାରେ ଅସୁବିଧା ସାମ୍ନା କରୁଛନ୍ତି ସେମାନେ କେନ୍ଦ୍ର ସରକାରଙ୍କ ଯୋଜନାରେ ୫୯ ମିନିଟ୍‌ରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ହାସଲ କରିପାରିବେ ବୋଲି ସେ କହିଛନ୍ତି। ଏଥିପାଇଁ ସେମାନଙ୍କୁ ଜିଏସ୍‌ଟି ପରିଚୟ ନମ୍ବର, ଆୟର ରିଟର୍ଣ୍ଣ, ପାନ୍‌ କାର୍ଡ, ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ୍‌ ଓ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରିବାକୁ ହେବ ବୋଲି ସେ କହିଛନ୍ତି। ସାଂପ୍ରତିକ ଅର୍ଥନୈତିକ ପରିସ୍ଥିତିରେ ଉତ୍ପାଦନ ଖର୍ଚ କମାଇବା ଓ ଲାଭ ବଢ଼ାଇବା ପ୍ରତି ବ୍ୟବସାୟୀଙ୍କୁ ଅଧିକ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି ଯେ, କ୍ଷୁଦ୍ର ଶିଳ୍ପ ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ପାଇଁ ବାତ୍ୟା ଫନି ପରେ ଓଡ଼ିଶା ଦୃଢ଼ ଭାବେ ଠିଆ ହୋଇଛି। ରାଜ୍ୟରେ ୭୦ ଲକ୍ଷ ମହିଳା ଏସ୍‌ଏଚ୍‌ଜି ଜରିଆରେ ‌ନିଜ ପାଇଁ ରୋଜଗାର ସୃଷ୍ଟି କରି ସାରା ‌ଦେଶରେ ପ୍ରଶଂସାର ପାତ୍ର ହୋଇପାରିଥିବା ସେ କହିଛନ୍ତି। ଆଜି ଓସ୍‌ମି ପକ୍ଷରୁ ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରାଯାଇଛି। ଏହି ଅବସରରେ ଓସ୍‌ମି ସ୍ମରଣିକା ଉନ୍ମୋଚନ କରାଯାଇଥିବା ବେଳେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରର ଶ୍ରେଷ୍ଠ ଉଦ୍ୟୋଗୀ ଓ ସଂସ୍ଥାଗୁଡ଼ିକୁ ଓସ୍‌ମି ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି। ଏହି ଅବସରରେ ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ, କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ବିଭାଗର ସଚିବ ଅରୁଣ ପଣ୍ଡା, ଓସ୍‌ମିର ଅଧ୍ୟକ୍ଷ ଗୌରୀ ଶଙ୍କର ମିଶ୍ର ଓ ସାଧାରଣ ସମ୍ପାଦକ ସାତ୍ତ୍ବିକ ସ୍ବାଇଁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର