ଓଡ଼ିଶା ବର୍ଷକୁ ପିଉଛି ୩୪୩ କୋଟିର ଚା’

ପରିବାର ପିଛା ମାସକୁ ୪୨ ଗ୍ରାମ, ଚା’ ପ୍ୟାକେଟ୍‌ରେ ଓଡ଼ିଶା ଛାପ

ଭୁବନେଶ୍ବର: ଚା’ ପ୍ରତି ଓଡ଼ିଶାବାସୀଙ୍କ ପ୍ରବଳ ଆଗ୍ରହ ରହିଛି। ବର୍ଷକୁ ସେମାନେ ୩୪୩.୭ କୋଟି ଟଙ୍କାର ଚା’ (କଳା ରଙ୍ଗର ଚା’) କିଣୁଛନ୍ତି। ଚା’ ଶିଳ୍ପର ଅଗ୍ରଣୀ ସଂସ୍ଥା ଟାଟା କଞ୍ଜ୍ୟୁମର୍‌ ପ୍ରଡକ୍ଟସ୍‌ ତରଫରୁ ଏହି ସୂଚନା ଦିଆଯାଇଛି। କଂପାନି ଦେଇଥିବା ସୂଚନା ଅନୁସାରେ, ପ୍ରତିବର୍ଷ ସାରା ଦେଶରେ ୨୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚା’ ବିକ୍ରି ହେଉଛି। ପ୍ରତିଷ୍ଠିତ ସଂଗଠିତ କ୍ଷେତ୍ରର କଂପାନିଗୁଡ଼ିକ ୧୭ ହଜାର କୋଟି ଟଙ୍କା ଓ ଅଣ ସଂଗଠିତ ଏବଂ ସ୍ଥାନୀୟ କଂପାନିଗୁଡ଼ିକ ବଳକା ୯୦୦୦ କୋଟି ଟଙ୍କାର ଚା’ ବିକ୍ରି କରୁଛନ୍ତି। ଓଡ଼ିଶାରେ ପ୍ରତି ପରିବାର ହାରାହାରି ଭାବେ ମାସକୁ ୪୨ ଗ୍ରାମ ଚା’ ବ୍ୟବହାର କରୁଥିବା ଜଣାପଡ଼ିଛି। ରାଜ୍ୟରେ ବିଭିନ୍ନ ପ୍ରକାର ଚା’ ବିକ୍ରି ହେଉଛି। କିନ୍ତୁ କଳା ରଙ୍ଗର ଚା’ର ବିକ୍ରି ସର୍ବାଧିକ ରହିଛି। ବିଭିନ୍ନ ସ୍ବାଦର ଗ୍ରିନ୍ ଟି’, ହର୍ବାଲ୍‌ ଟି’, ପ୍ରିମିୟମ୍ ମାନର ଟି’ ପାଉଚ୍‌ର ବିକ୍ରି ସୀମିତ ରହିଛି। ସ୍ବାସ୍ଥ୍ୟ ସଚେତନ ଏବଂ କିଛି ନିର୍ଦିଷ୍ଟ ବର୍ଗର ଗ୍ରାହକ ଏହି ସ୍ବତନ୍ତ୍ର ସ୍ବାଦର ଚା’ ପିଉଛନ୍ତି।

ଆଜି କଂପାନିର ବରିଷ୍ଠ ଉପସଭାପତି (ମାର୍କେଟିଂ) ପୁନିତ ଦାସ ଓଡ଼ିଶା ପାଇଁ ସ୍ବତନ୍ତ୍ର ଯୋଗାଯୋଗ ଅଭିଯାନ ଘୋଷଣା କରିବା ଅବସରରେ ଏହି ତଥ୍ୟ ଦେଇଛନ୍ତି। ସେ ଟାଟା ଟି’ ପ୍ରିମିୟମ୍‌ର ‘ଓଡ଼ିଶାର କଡକ୍‌ ଭାବ’ ଅଭିଯାନକୁ ଉନ୍ମୋଚନ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରେ ଥିବା ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲାଗି କଂପାନି ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶାରେ ବିକ୍ରି ହେଉଥିବା ଟାଟା ଟି’ ପ୍ରିମିୟମ୍ ପ୍ୟାକେଟ୍‌ରେ କଂପାନି ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟ ଚିତ୍ରକୁ ମଧ୍ୟ ସ୍ଥାନ ଦେଇଛି। ଟାଟା ଟି ପ୍ରିମିୟମ୍‌ ପ୍ୟାକେଟ୍‌ରେ ଓଡ଼ିଶୀ ନୃତ୍ୟ ଶୈଳୀ, ଧଉଳି ଶାନ୍ତିସ୍ତୁପ ଓ କୋଣାର୍କ ମନ୍ଦିର ଛବିକୁ ବ୍ୟବହାର କରାଯାଇଛି। ସେହିପରି ପ୍ୟାକେଟ୍‌ରେ ଓଡ଼ିଆରେ ଲେଖାଯାଇଛି ‘ଓଡ଼ିଶାର କଡ଼ା ଚା’। ଓଡ଼ିଶା ବଜାରରେ ଟାଟା କଞ୍ଜ୍ୟୁମର୍‌ ପ୍ରଡକ୍ଟସ୍‌ର ୬୮.୩ ପ୍ରତିଶତ ଭଳି ସିଂହ ଭାଗ ଅଂଶ ରହିଛି। ରାଜ୍ୟବାସୀଙ୍କ ଦ୍ବାରା ଟାଟା ଟି ପ୍ରିମିୟମ୍, ଟାଟା ଟି ଅଗ୍ନି, ଟାଟା ଟି ଇଲାଇଚି, ରେଡ୍‌ ଲାବେଲ୍‌, ଏଭିଟି ଏବଂ ଏଭର୍‌ଗ୍ରିନ୍ ବିଶେଷ ଭାବେ ଗ୍ରହଣୀୟ ହୋଇଥିବା ସେ କହିଛନ୍ତି। ନିକଟରେ କଂପାନି ତୁଳସୀ ସ୍ବାଦର ଚା’ ବଜାରକୁ ଆଣିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର