ଓଡ଼ିଶାର ମୁଦ୍ରାସ୍ଫୀତି ଜାତୀୟ ହାରଠୁ ଅଧିକ, ଜୁନ୍‌ରେ ୭.୭୧%

ଭୁବନେଶ୍ବର: ରାଜ୍ୟର ଦରଦାମ୍ ସ୍ଥିତି ଜାତୀୟ ହାରଠାରୁ ଅଧିକ ଖରାପ ରହିଛି। ଜୁନ୍‌ରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୭.୭୧ ପ୍ରତିଶତ ରହିଛି ଯାହା ଜାତୀୟ ହାର ୭.୦୧%ଠାରୁ ଅଧିକ। ଓଡ଼ିଶାର ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ୭.୯୩ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳ ମୁଦ୍ରାସ୍ଫୀତି ହାର ୭.୨୩ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ମୁଦ୍ରାସ୍ଫୀତି ହେଉଛି ବିଭିନ୍ନ ସାମଗ୍ରୀ ଓ ସେବା ମୂଲ୍ୟରେ ଗୋଟିଏ ନିର୍ଦିଷ୍ଟ ମାସରେ ହେଉଥିବା ବୃଦ୍ଧି କିମ୍ବା ହ୍ରାସର ସୂଚକାଙ୍କ। ଯେଉଁ ଅଞ୍ଚଳର ମୁଦ୍ରାସ୍ଫୀତି ଯେତେ ଅଧିକ ସେଠାରେ ବିଭିନ୍ନ ସାମଗ୍ରୀ ଓ ସେବାର ଦାମ୍ ସେତେ ଅଧିକ ରହିଥାଏ। ଉଚ୍ଚ ମୁଦ୍ରାସ୍ଫୀତି ଅର୍ଥନୀତି ପାଇଁ ବିପଦ ଭାବେ ବିଚାର କରାଯାଏ।

ଗତ ମେ’ ତୁଳନାରେ ଜୁନ୍‌ ମାସରେ ଦେଶର ୨୨ଟି ରାଜ୍ୟର ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଛି। ୧୩ଟି ରାଜ୍ୟର ମୁଦ୍ରାସ୍ଫୀତି ଜାତୀୟ ହାରଠାରୁ ଅଧିକ ରହିଛି। ସେହି ତାଲିକାରେ ଓଡ଼ିଶାର ନାମ ରହିଛି। ତେଲେଙ୍ଗାନାର ମୁଦ୍ରାସ୍ଫୀତି ହାର ସର୍ବାଧିକ ୧୦.୦୫% ରହିଛି। ଲଗାତାର ତୃତୀୟ ମାସ ଲାଗି ତେଲେଙ୍ଗାନାର ଗ୍ରାମୀଣ ମୁଦ୍ରାସ୍ଫୀତି ୧୦%ରୁ ଅଧିକ ରହିଛି। ପୁଡୁଚେରିର ମୁଦ୍ରାସ୍ଫୀତି ମଧ୍ୟ ୧୦.୦୯ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ମୁଦ୍ରାସ୍ଫୀତି ଜାତୀୟ ହାରଠାରୁ ଅଧିକ ରହିଛି। ପ୍ରମୁଖ ରାଜ୍ୟ ଭିତରେ ବିହାରର ମୁଦ୍ରାସ୍ଫୀତି ସର୍ବନିମ୍ନ ୪.୬୮ ପ୍ରତିଶତ ରହିଛି।

ରାଜ୍ୟଗୁଡ଼ିକର ମୁଦ୍ରାସ୍ଫୀତି ହାର ସମ୍ପର୍କରେ ଇଣ୍ଡିଆ ରେଟିଙ୍ଗ୍‌ସର ମୁଖ୍ୟ ଅର୍ଥନୀତିଜ୍ଞ ‌ଦେବେନ୍ଦ୍ର ପନ୍ତ କହିଛନ୍ତି ଯେ ସବୁ ରାଜ୍ୟରେ ସାମଗ୍ରୀର ବ୍ୟବହାର ସମାନ ସ୍ତରରେ ରହିନଥାଏ। ଯେଉଁ ସାମଗ୍ରୀଗୁଡ଼ିକର ଦାମ୍‌ ଜୁନ୍‌ ମାସରେ ବଢ଼ିଥିଲା ସେଗୁଡ଼ିକୁ ଯେଉଁ ରାଜ୍ୟର ଲୋକମାନେ ଅଧିକ ମାତ୍ରାରେ ବ୍ୟବହାର କରିଛନ୍ତି ସେମାନଙ୍କ ମୁଦ୍ରାସ୍ଫୀତି ଅଧିକ ହୋଇଛି। ଜୁନ୍ ମାସରେ ଇନ୍ଧନ, ଶକ୍ତି, ପରିବାରରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଓ ସେବା, ଚିତ୍ତବିନୋଦନ ଓ ପର୍ସନାଲ୍ କେୟାର ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଥିଲା। ରୁଷ୍‌-ୟୁକ୍ରେନ୍ ମଧ୍ୟରେ ଗତ ମାର୍ଚ୍ଚ ପରଠାରୁ ଯୁଦ୍ଧ ଆରମ୍ଭ ହେବା ପରେ ସାରା ବିଶ୍ବ ଦରବୃଦ୍ଧି ସମସ୍ୟା ଦେଇ ଗତି କରୁଛି। ମହା ଶକ୍ତିଶାଳୀ ଦେଶ ଆମେରିକାଠାରୁ ଆରମ୍ଭ କରି ଆଫ୍ରିକାର ଗରିବ ଦେଶ ପର୍ଯ୍ୟନ୍ତ ସବୁଆଡ଼େ ଦରବୃଦ୍ଧି ବଡ଼ ବିପଦ ଭାବେ ଉଭା ହୋଇଛି। ଏହାର ମୁକାବିଲା କରିବା ଲାଗି ବିଭିନ୍ନ ଦେଶର ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଇବା ଆରମ୍ଭ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଏହି ଲଢ଼େଇରେ ନିଜକୁ ସାମିଲ କରି ଦୁଇ ଦୁଇ ଥର ସୁଧ ହାର ବୃଦ୍ଧି କରିସାରିଲେଣି। ଯେହେତୁ ଜୁନ୍‌ ମାସରେ ମୁଦ୍ରାସ୍ଫୀତି ନିର୍ଧାରିତ ସୀମା ୬ ପ୍ରତିଶତ ଠାରୁ ଅଧିକ ରହିଛି ତେଣୁ ଆଗାମୀ ଦିନରେ ସୁଧରେ ନିଶ୍ଚିତ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର