ଦେଶରେ ତେଲ ସଙ୍କଟ ଦେଖାଦେବନି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ଇରାନ ଓ ଆମେରିକା ମଧ୍ୟରେ ଦେଖାଦେଇଥିବା ବିବାଦର ପ୍ରଭାବରେ ଆନ୍ତର୍ଜାତିକ ବଜାରରେ ତେଲ ମହଙ୍ଗା ହେବାରେ ଲାଗିଛି। ଆଜି ଏହି ଘଟଣା ଉପରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଦେଶରେ ‌ତେଲ ସଙ୍କଟ ଦେଖାଦେବ ନାହିଁ। ଆମେରିକା ଓ ଇରାନ ବିବାଦ ଯୋଗୁଁ ତେଲ ବଜାରରେ ଯେଉଁ ସମସ୍ୟା ଦେଖାଦେବ, ଭାରତ ତାହାର ମୁକାବିଲା କରିବ। ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ କୌଣସି ଗମ୍ଭୀର ସଙ୍କଟ ଆସିନାହିଁ। ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ବିଭିନ୍ନ ଦେଶ ସହିତ ସମ୍ଭାବ୍ୟ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ଭାରତର ସ୍ବାର୍ଥ ଯେଭଳି ରକ୍ଷା ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ବିଭିନ୍ନ ଦେଶକୁ କୁହାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଇରାନର ଜଣେ ଜେନେରୋଲ୍‌ଙ୍କୁ ଆକ୍ରମଣ କରି ଆମେରିକା ମାରିବା ପରଠାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍ ୩ ଡଲାରରୁ ଅଧିକ ମହଙ୍ଗା ହୋଇସାରିଲାଣି। ଏବେ ଅଶୋଧିତ ତେଲର ବ୍ୟା‌ରେଲ ପିଛା ଦାମ୍ ୭୨ ଡଲାର ପାଖାପାଖି ରହିଛି। ଯେହେତୁ ଭାରତ ଏହାର ଆବଶ୍ୟକତାର ୮୪ ପ୍ରତିଶତ ତେଲ ବିଦେଶରୁ ଆଣୁଛି ତେଣୁ ‌ଆନ୍ତର୍ଜାତିକ ବଜାରରେ ତେଲ ଦର ବଢ଼ିଲେ ଭାରତ ଚିନ୍ତିତ ହେବା ସ୍ବାଭାବିକ। ଏହାର ପ୍ରଭାବରେ ‌କେବଳ ଦେଶ ଭିତରେ ପେଟ୍ରୋଲ୍ ଓ ଡିଜେଲ୍ ଦର ମହଙ୍ଗା ହେବ ତାହା ନୁହେଁ, ଏହା ଦେଶର ବିତ୍ତୀୟ ଗଣିତକୁ ମଧ୍ୟ ବିଗାଡ଼ି ଦେବ। ଆମଦାନି ବିଲ୍ ବହୁତ ବଢ଼ିଯିବ ଯଦ୍ବାରା ଚଳନ୍ତୀ ଜମା ନିଅଣ୍ଟ ବେଲଗାମ ହୋଇପଡ଼ିବ।

ସମ୍ବନ୍ଧିତ ଖବର