ଆକର୍ଷଣ ହରାଉଛି ଓଲା, ଉବର

ଗାଡ଼ି ପହଞ୍ଚିବା ବିଳମ୍ବ ହେଉଛି, ଭଡ଼ା ବଢ଼ିଛି

ବେଙ୍ଗାଲୁରୁ: ସୁଲଭ ମୂଲ୍ୟରେ ଲୋକମାନଙ୍କୁ ଗମନାଗମନ ସୁବିଧା ପ୍ରଦାନ କରୁଥିବା ଓଲା ଓ ଉବର୍‌ ଭଳି ସଂସ୍ଥା ନିଜର ଆକର୍ଷଣ ହରାଇଲେଣି। ସେମାନଙ୍କ ଲୋକପ୍ରିୟତା ମଳିନ ପଡ଼ିବାରେ ଲାଗିଛି। ପୂର୍ବରୁ ଯେଉଁ ହାରରେ ଏହି ସେବା ହାସଲ କରିବାକୁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ରହୁଥିଲା, ଏବେ ତାହା ବହୁତ କମିଗଲାଣି। ସେଥିପାଇଁ ଗତ ଛଅ ମାସ ଭିତରେ ଓଲା ଓ ଉବର ଭଳି କଂପାନିର ଦୈନିକ ଯାତ୍ରୀଙ୍କ ସଂଖ୍ୟାରେ ମାତ୍ର ୪%ର ବୃଦ୍ଧି ହୋଇଛି। ଦିନକୁ ଏହି ସବୁ ଗାଡ଼ିରେ ୩୬ ଲକ୍ଷ ୫୦ ହଜାର ଲୋକ ଗମନାଗମନ କରୁଛନ୍ତି। ଦୁଇ ବର୍ଷ ପୂର୍ବେ ଏହି ସେବା ଲୋକମାନଙ୍କ ମଧ୍ୟରେ ଜବରଦସ୍ତ ହିଟ୍ ଥିଲା। ସେତେବେଳେ ବୁକିଙ୍ଗ କରିବାର ୨-୪ ମିନିଟ୍‌ରେ ଗାଡ଼ି ପହଞ୍ଚିଯାଉଥିଲା। ଏବେ ସେହି ଗାଡ଼ି ପହଞ୍ଚିବାକୁ ୧୨-୧୫ ମିନିଟ୍ ସମୟ ଲାଗୁଛି। କେବଳ ସେତିକି ନୁହେଁ ଭଡ଼ା ମଧ୍ୟ ବହୁତ ବଢ଼ିଯାଇଛି। ପ୍ରମୁଖ ସହରଗୁଡ଼ିକର ରାସ୍ତା ଭିଡ଼ ନଥିବା ସମୟରେ ଭଡ଼ା ପୂର୍ବାପେକ୍ଷା ୧୫-୨୦% ବଢ଼ିଛି। ଓଲା ଓ ଉବର୍‌ ଆକର୍ଷଣ ହରାଇବାର ଅନେକ କାରଣ ରହିଛି। ତା’ ଭିତରୁ ଗୋଟିଏ ପ୍ରମୁଖ କାରଣ ହେଉଛି ଡ୍ରାଇଭର୍‌ମାନଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନରେ ହ୍ରାସ। ସେଥିପାଇଁ ଅଧିକ ଲୋକ ଉଲା ଓ ଉବର୍‌ ଭଳି ଗାଡ଼ିର ଡ୍ରାଇଭର୍‌ ହେବାକୁ ଆଗ୍ରହ ଦେଖାଉନାହାନ୍ତି। ଫଳରେ ଡ୍ରାଇଭର୍‌ଙ୍କ ଅଭାବ ଅନୁଭୂତ ହୋଇଛି। ଗତ ଏକ ବର୍ଷ ଭିତରେ ଡ୍ରାଇଭରଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନରେ ୪୦% ହ୍ରାସ ହୋଇଛି। ସେଥିପାଇଁ ଅନେକ ଗାଡ଼ି ମାଲିକ ନିଜର ଋଣ ପରିଶୋଧ କରିବାରେ ସମସ୍ୟା ସାମ୍ନା କରୁଛନ୍ତି। ମୋବାଇଲ୍ ଆପ୍ ଭିତ୍ତିକ ଗମନାଗମନ ସେବାରେ ୨୦୧୬ରେ ୯୦% ବୃଦ୍ଧି ହୋଇଥିବା ବେଳେ ୨୦୧୭ରେ ସେହି ହାର ୫୭%କୁ ଖସିଯାଇଥିଲ। ଏବଂ ୨୦୧୮ରେ ତାହା ୨୦% ସ୍ତରକୁ ଖସିଗଲା। ୨୦୧୯ର ପ୍ରଥମ ଛଅ ମାସରେ ଅଭିବୃଦ୍ଧି ହାର ମାତ୍ର ୪% ରହିଛି।

ସମ୍ବନ୍ଧିତ ଖବର