ବ୍ୟବସାୟ ପାଇଁ ପାନ୍ ହେବ ସ୍ବତନ୍ତ୍ର ପରିଚୟ

ନୂଆଦିଲ୍ଲୀ: ସିଙ୍ଗଲ ୱିଣ୍ଡୋ ମଞ୍ଜୁରି ଲାଗି ବ୍ୟାବସାୟିକ ସଂସ୍ଥାଗୁଡ଼ିକ ନିମନ୍ତେ ସ୍ବତନ୍ତ୍ର ପରିଚୟ ଭାବେ ପର୍ମାନେଟ୍ ଆକାଉଣ୍ଟ୍ ନମ୍ବର (ପାନ୍‌)କୁ ବ୍ୟବହାର କରିବା ବିଷୟରେ ସରକାର ବିଚାର କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଠାରୁ ମଞ୍ଜୁରି ଲୋଡ଼ିବା ବେଳେ ଶିଳ୍ପ ସଂସ୍ଥାଗୁଡ଼ିକୁ ପାନ୍ ବ୍ୟବହାର କରିବାକୁ ପଡ଼ିବ। ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଲାଗି ଏବେ ପ୍ରାୟ ୧୩ ପ୍ରକାର ପରିଚୟପତ୍ର ରହିଛି। ଇପିଏଫ୍‌ଓ, ଇଏସ୍‌ଆଇସି, ଜିଏସ୍‌ଟିଏନ୍, ଟିଆଇଏନ୍, ଟିଏଏନ୍ ଓ ପାନ୍ ଆଦିକୁ ପରିଚୟ ଭାବେ ଗ୍ରହଣ କରାଯାଉଛି। ବିଭିନ୍ନ କାର୍ଯ୍ୟରେ ସେଗୁଡ଼ିକ ବ୍ୟବହାର ହେଉଛି।

ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ବ୍ୟବସାୟିକ ସଂସ୍ଥାଗୁଡ଼ିକ ପାଖରେ ଥିବା ଏକାଧିକ ପରିଚୟ ମଧ୍ୟରୁ ପାନ୍‌କୁ ସ୍ବତନ୍ତ୍ର ପରିଚୟ ଭାବେ ବ୍ୟବହାର କରିବା ପାଇଁ ବିଚାର କରାଯାଉଛି। ପାନ୍‌ରୁ କଂପାନି ବିଷୟରେ ମୌଳିକ ତଥ୍ୟ, ଠିକଣା, ନିର୍ଦେଶକ ଏବଂ ଅନ୍ୟାନ୍ୟ ସାଧାରଣ ସୂଚନା ସହଜରେ ମିଳିପାରିବ ବୋଲି ସେ କହିଛନ୍ତି। ବ୍ୟବସାୟ ଜଗତ ଲାଗି ବହୁ ପ୍ରକାର କାର୍ଯ୍ୟକୁ ସହଜ କରିବା ପାଇଁ ଜାତୀୟ ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା ବିକାଶ କରାଯାଇଛି। ପାନ୍ ଜରିଆରେ ମଞ୍ଜୁରି ପାଇଁ ଆବେଦନ କଲେ ତାହାର ପ୍ରକ୍ରିୟାକରଣ ‌ଶୀଘ୍ର ହୋଇପାରିବ। ଜାତୀୟ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାରେ ୨୬ କେନ୍ଦ୍ରୀୟ ମନ୍ତ୍ରାଳୟ ଓ ବିଭାଗ ଏବଂ ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯୋଡ଼ିହୋଇଛନ୍ତି।

ସମ୍ବନ୍ଧିତ ଖବର