ପାଟନା ରେଳ ଷ୍ଟେସନ୍‌‌ ‘ଟିଭି ସ୍କ୍ରିନ୍‌’ରେ ୩ ମିନିଟ୍‌ ଚାଲିଲା ‘ପ୍ରାପ୍ତବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭିଡିଓ’; ଲାଜରେ ବୁଡ଼ିଗଲେ ଲୋକେ

ପାଟନା: ରବିବାର ସକାଳ ପ୍ରାୟ ୯.୩୦ରେ ବିହାରର ପାଟନା ରେଳ ଷ୍ଟେସନ୍‌ରେ ଲାଗିଥିବା ‘ଟିଭି ସ୍କ୍ରିନ୍‌’ରେ ବିଜ୍ଞାପନ ପରିବର୍ତ୍ତେ ୩ ମିନଟ୍‌ ଧରି ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦୀଷ୍ଟ ଚଳଚ୍ଚିତ୍ର ଦୃଶ୍ୟସମ୍ବଳିତ ଭିଡିଓ କ୍ଲିପ୍‌ ଚାଲିବାରୁ ଶହ ଶହ ଲୋକ ଲାଜରେ ବୁଡ଼ିଯାଇଥିଲେ।

କାଳବିଳମ୍ବ ନ କରି ଯାତ୍ରୀମାନେ ‘ଗଭର୍ଣ୍ଣମେଣ୍ଟ୍‌ ରେଲ୍‌ୱେ ପୋଲିସ୍‌’ (ଜିଆର୍‌ପି) ଏବଂ ‘ରେଲ୍‌ୱେ ପ୍ରୋଟେକ୍‌ସନ୍‌ ଫୋର୍ସ’ରେ (ଆର୍‌ପିଏଫ୍‌) ଘଟଣା ସଂକ୍ରାନ୍ତରେ ଅଭିଯୋଗ ଦାଏର କରିଥିଲେ।

କିନ୍ତୁ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ‘ଜିଆର୍‌ପି’ ବିଳମ୍ବ କରିବାରୁ ‘ଆର୍‌ପିଏଫ୍‌’ ‘ଟିଭି ସ୍କ୍ରିନ୍‌’ରେ  ବିଜ୍ଞାପନ ପ୍ରଦର୍ଶନ କରାଉଥିବା ‘ଦତ୍ତ କମ୍ୟୁନିକେସନ୍‌’ ସହିତ ଯୋଗାଯୋଗ କରିଥିଲା। ଏବଂ, ମହିଳା ଓ ପିଲାମାନଙ୍କ ସମେତ ଉପସ୍ଥିତ ଲୋକମାନଙ୍କ ଆଗରେ ‘ପର୍ଣ୍ଣ କ୍ଲିପ୍‌’ ପ୍ରସାରଣ ତୁରନ୍ତ ବନ୍ଦ କରିବା ଲାଗି ଉକ୍ତ ‌ଏଜେନ୍‌ସିର ଅପରେଟର୍‌ମାନଙ୍କୁ ନିର୍ଦେଶ ଦେଇଥିଲା।

Image Courtesy of First Post

ଏହାପରେ ରେଳବାଇ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ‘ଦତ୍ତ କମ୍ୟୁନିକେସନ୍‌’ ନାଁରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଥିଲେ। ରେଳବାଇ ଉକ୍ତ ଏଜେନ୍‌ସିକୁ କଳାତାଲିକାଭୁକ୍ତ କରିବା ସହିତ ତା’ ଉପରେ ଜରିମାନା ମଧ୍ୟ କରିଛି।

ସଂଗୃହୀତ ସୂଚନା ଅନୁସାରେ, ରେଳ‌ ଷ୍ଟେସନ୍‌ରେ ଥିବା ଟେଲିଭିଜନ୍‌ ସ୍କ୍ରିନ୍‌ଗୁଡ଼ିକରେ ବିଜ୍ଞାପନ ପ୍ରସାରଣ ପାଇଁ ଉକ୍ତ ଏଜେନ୍‌ସିକୁ ଦିଆଯାଇଥିବା ଠିକା ରେଳବାଇ ଅଧିକାରୀମାନେ ରଦ୍ଦ କରିଦେଇଛନ୍ତି। ଏହାଛଡ଼ା, ରେଳବାଇ ବିଭାଗ ମଧ୍ୟ ସେ ଘଟଣା ଉପରେ ପୃଥକ୍‌ ତଦନ୍ତ ଆରମ୍ଭ କରିଛି।

ନିର୍ଦ୍ଦିଷ୍ଟ ଭାବେ ୧୦ ନମ୍ବର ପ୍ଲାଟ୍‌ଫର୍ମରେ ଉକ୍ତ ଭିଡିଓ ପ୍ରଦର୍ଶନ କରାଯିବା କଥାରେ କେତେକ ସରକାରୀ ଅଧିକାରୀ ସନ୍ଦେହ ବ୍ୟକ୍ତ କରିଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର