ନିରାଶ କଲା ମୋଦୀଙ୍କ ମାନସମନ୍ଥନ

ତେଲ ଦର ହ୍ରାସ ଘୋଷଣା ହେଲାନି, ଖର୍ଚ୍ଚ କମିବନି, ନିଅଣ୍ଟ ବଢ଼ିବନି

ନୂଆଦିଲ୍ଲୀ: ସରକାର ଚଳିତ ଆର୍ଥିକ ବର୍ଷ ପୁଞ୍ଜି ବ୍ୟୟରେ କୌଣସି ହ୍ରାସ କରିବେ ନାହିଁ। ଅର୍ଥନୀତିର ଅଭିବୃଦ୍ଧି ପାଇଁ ବ୍ୟୟ ଅପରିହାର୍ଯ୍ୟ ହୋଇଥିବାରୁ ସରକାର ଏହାକୁ ବଜାୟ ରଖିବେ। ଏହା କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି। ତେବେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଏବେ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଥିବା ବେଳେ ଆଜି ମୋଦୀଙ୍କ ମାନସମନ୍ଥନ ପରେ କିଛି ଘୋଷଣା ହେବ ବୋଲି ଆଶା ରଖାଯାଇଥିଲା। କିନ୍ତୁ ବୈଠକ ପରେ ଜେଟ୍‌ଲି ତେଲ ସମ୍ପର୍କରେ ପଦୁଟିଏ କହି ନଥିବାରୁ ମୋଦୀଙ୍କ ମାନସମନ୍ଥନ ଲୋକଙ୍କୁ ନିରାଶ କରିଛି।

ଭାରତୀୟ ଅର୍ଥନୀତିରେ ଏବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଦେଖାଦେଇଛି। ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବହୁ ଉଚ୍ଚ ସ୍ତରରେ ପହଞ୍ଚି ଯାଇଥିବା ବେଳେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରକୁ ଖସିଯାଇଛି। ଏ ସମ୍ପର୍କରେ ଆଲୋଚନା ସହିତ ଅର୍ଥନୀତିର ସ୍ୱାସ୍ଥ୍ୟ ପରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନ ହେଲା ଅର୍ଥମନ୍ତ୍ରୀଙ୍କ ସମେତ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ମାନସମନ୍ଥନ କରିଛନ୍ତି। ଶୁକ୍ରବାର ହୋଇଥିବା ମାନସମନ୍ଥନରେ ଅର୍ଥନୀତି ପାଇଁ କେତେକ ପଦକ୍ଷେପ ଘୋଷଣା କରିଥିଲେ। ସେହିଭଳି ଆଜି ମଧ୍ୟ କେତେକ ନିଷ୍ପତ୍ତି ସରକାର ନେଇଛନ୍ତି। ଏଥିରେ ଚଳିତ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟରେ କୌଣସି ହ୍ରାସ କରାଯିବ ନାହିଁ ବୋଲି ସ୍ଥିର କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଶନିବାର ରାତିରେ ଏହି ସୂଚନା ଦେଇଛନ୍ତି। ବଜେଟ୍‌ରେ ଯେଉଁ ବ୍ୟୟବରାଦ କରାଯାଇଛି ସେଥିରେ କୌଣସି ହ୍ରାସ କରାଯିବ ନାହିଁ ବୋଲି ସେ କହିଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ସରକାର ବଜେଟ୍‌ରେ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ମଧ୍ୟରୁ ୪୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଖର୍ଚ୍ଚରେ କୌଣସି କାଟଛାଣ୍ଟ କରାଯିବ ନାହିଁ ବୋଲି ସେ କହିଛନ୍ତି। ସେହିଭଳି ବିତ୍ତୀୟ ନିଅଣ୍ଟକୁ ଜିପିଡିର ୩.୩ ପ୍ରତିଶତରେ ରଖିବା ପାଇଁ ବଜେଟ୍‌ରେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ଉଲ୍ଲଂଘନ ହେବନାହିଁ ବୋଲି ମଧ୍ୟ ଜେଟ୍‌ଲି କହିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ଥିବାରୁ ଆକଳନଠାରୁ ଦେଶର ଅଭିବୃଦ୍ଧି ଅଧିକ ରହିବ। କଳାଟଙ୍କା ବିରୋଧରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସହିତ ବିମୁଦ୍ରୀକରଣ ଯୋଗୁ ପ୍ରତ୍ୟକ୍ଷ ଟିକସ ଆଦାୟ ଭଲ ରହିଛି। ଟିକସଦାତାଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ବଜେଟ୍‌ରେ ରଖାଯାଇଥିବା ପ୍ରତ୍ୟକ୍ଷ ଟିକସ ଆଦାୟ ଲକ୍ଷ୍ୟକୁ ହାସଲ କରାଯାଇପାରିବ। ସେହିଭଳି ଜିଏସ୍‌ଟି ବ୍ୟବସ୍ଥିତ ହେବାରେ ଲାଗିଛି। ଏଥିଯୋଗୁଁ ଆଗାମୀ ଦିନରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଆଦାୟ ବୃଦ୍ଧି ପାଇବ ବୋଲି ଜେଟ୍‌ଲି କହିଛନ୍ତି। ଅର୍ଥନୀତିର ବିଭିନ୍ନ ମାନଦଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ଥିବା କୁହାଯାଉଛି।

ତେଲ ଦର ହ୍ରାସ ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ: ଅମିତ୍‌


ହାଇଦ୍ରାବାଦ: ଲୋକଙ୍କୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରୁ ରିହାତି ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ନଥିଲେ ମଧ୍ୟ ଲୋକଙ୍କୁ ଏ ନେଇ ଆଶ୍ୱାସନା ଶୁଣାଇଛନ୍ତି ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ। ହାଇଦ୍ରାବାଦଠାରେ ଆଜି ଶ୍ରୀ ଶାହ ତେଲ ଦର ବୃଦ୍ଧି ପାଇଁ ବାହ୍ୟ କାରଣକୁ ଦାୟୀ କରିଛନ୍ତି। ତେବେ ସରକାର ଖୁବ୍‌ଶୀଘ୍ର ଏ ନେଇ ସମାଧାନ ଆଣିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର