ନିର୍ବାଚନ ପରେ ବାଧିବ ପେଟ୍ରୋଲ ଦର

ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୭୧ ଡଲାରରୁ ଅଧିକ ହୋଇଗଲାଣି। ଏହା ସତ୍ତ୍ବେ ତେଲ କଂପାନିଗୁଡ଼ିକ ପେ‌ଟ୍ରୋଲ ଓ ଡିଜେଲ ଦର ବଢ଼ାଉନାହାନ୍ତି। ଦେଶରେ ନିର୍ବାଚନ ଚାଲିଥିବାରୁ କଂପାନିଗୁଡ଼ିକ ତେଲ ଦର ବଢ଼ାଇବା ଉପରେ ବ୍ରେକ ଲଗାଇଛନ୍ତି। ନିର୍ବାଚନ ଶେଷ ହେବା ପରେ ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ବୃଦ୍ଧି ଆରମ୍ଭ ହୋଇଯିବ।

ଅଶୋଧିତ ତେଲ ମହଙ୍ଗା‌ ହେଉଥିବାରୁ ତେଲ ବିକ୍ରି ଉପରେ କଂପାନିଗୁଡ଼ିକ ଏବେ କ୍ଷତି ସହୁଛନ୍ତି। ସେମାନେ ମେ’ ୧୯କୁ ଅପେକ୍ଷା କରିଛନ୍ତି। ସେହିଦିନ ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରଠାରୁ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ବୋଲି ଅନୁମାନ କରାଯାଉଛି। ଆନ୍ତର୍ଜାତିକ ବଜାରରେ ତେଲର ଅଭାବ ଅନୁଭୂତ ହେଲାଣି। ଆମେରିକା ପକ୍ଷରୁ କଟକଣା ଲଗାଯାଇଥିବାରୁ ଇରାନ ଠାରୁ ଭାରତ ତେଲ କିଣିପାରିବ ନାହିଁ। ସେଠାରୁ ଶସ୍ତାରେ ଅଶୋଧିତ ତେଲ ମିଳିଯାଉଥିଲା। ଏବେ ଇରାକ ଓ ସାଉଦି ଆରବ ଜରିଆରେ ଭାରତକୁ ଏହାର ତେଲ ଆବଶ୍ୟକତା ପୂରଣ କରିବାକୁ ପଡ଼ିବ। ଆମେରିକାରୁ ମଧ୍ୟ ତେଣ କିଣାହେବ। କିନ୍ତୁ ଇରାନ ତେଲ ତୁଳନାରେ ଆମେରିକାର ତେଲ ମହଙ୍ଗା ରହିବ। ତାହାର ପ୍ରଭାବ ପେଟ୍ରୋଲ୍ ପମ୍ପ୍ ଦରରେ ପ୍ରତିଫଳିତ ହେବ। ଯେଉଁ ତୈଳ ବିଶୋଧନକାରୀ ସଂସ୍ଥାଗୁଡ଼ିକ ନିଜ କାରଖାନାରେ ଇରାନର ତେଲକୁ ବିଶୋଧନ କରୁଥିଲେ ସେମାନେ ଏତେ ଶୀଘ୍ର ଅନ୍ୟ ଦେଶର ତେଲକୁ ବିଶୋଧନ କରିବାକୁ ନିଜ ବ୍ୟବସ୍ଥାରେ ପରିବର୍ତନ ଆଣିପାରିବେ ନାହିଁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତେଲକୁ ନେଇ ରାଜନୀତି ଆରମ୍ଭ କରିଦେଇଥିବାରୁ କିଛି ଦିନ ଭିତରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୮୦-୮୫ ଡଲାର ସ୍ତରରେ ପହଞ୍ଚିଯିବ ବୋଲି ଅନୁମାନ କରାଯାଉଛି।

ଭାରତ ଏହାର ସର୍ବାଧିକ ତେଲ ଇରାକରୁ ଆଣୁଥିବା ବେଳେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ସାଉଦି ଆରବ ଓ ଇରାନ। ଇରାନରୁ ତେଲ ଅଣାଯିବ ନା ନାହିଁ ସେହି ନିଷ୍ପତ୍ତି ନିର୍ବାଚନ ପରେ ନିଆଯିବ। ଆମେରିକାକୁ ଅସନ୍ତୁଷ୍ଟ କରି ଇରାନରୁ ତେଲ କିଣିବାକୁ ଭାରତ ଚାହିବ ନାହିଁ। ଇରାନର ତେଲ ଅଭାବକୁ ଇରାକ ଓ ସାଉଦି ଆରବ ପୂରଣ କରିବାକୁ ଚାହୁଛନ୍ତି, କିନ୍ତୁ ତେଲ ପାଇଁ ସେମାନେ ଅଧିକ ଦାମ୍ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର