କରୋନା ମୁକାବିଲା ପାଇଁ ପ୍ରେମ୍‌ଜୀ ଦେଲେ ୧୧୨୫ କୋଟି

ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ଓଏନ୍‌ଜିସି ଦେଲା ୩୧୬ କୋଟି, ପିଏମ୍-କେୟାରସ୍‌କୁ ବିଭିନ୍ନ କଂପାନିର ସହାୟତା

ବେଙ୍ଗାଲୁରୁ : ଭାରତର ଉଦ୍ୟୋଗୀମାନଙ୍କ ମଧ୍ୟରେ ଅଜିମ୍‌ ପ୍ରେମ୍‌ଜୀ ବେଶ ଚର୍ଚ୍ଚିତ। ପୂର୍ବରୁ ସେ ତାଙ୍କର ଫାଉଣ୍ଡେସନ ମାଧ୍ୟମରେ ଦେଶର ଅନେକ ଜନିହତକର କାର୍ଯ୍ୟ କରି ଆସୁଛନ୍ତି। ବର୍ତ୍ତମାନର କରୋନା ପରିସ୍ଥିତିରେ ମଧ୍ୟ ସେ ପଛଘୁଞ୍ଚା ଦେଇନାହାନ୍ତି। ତାଙ୍କ କମ୍ପାନି ୱିପ୍ରୋ ଲିମିଟେଡ, ୱିପ୍ରୋ ଏଣ୍ଟରପ୍ରାଇଜେସ୍ ଲିମିଟେଡ ଏବଂ ଅଜିମ୍ ପ୍ରେମ୍‌ଜୀ ପ୍ରତି‌ଷ୍ଠାନ କରୋନା ମୁକାବିଲା ପାଇଁ ୧୧୨୫ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ ଆଗଧାଡ଼ିରେ ରହି ସେବା ଯୋଗାଉଥିବା ମେଡିକାଲ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଏହି ପାଣ୍ଠି ସହାୟକ ହେବ ବୋଲି କମ୍ପାନି ପକ୍ଷରୁ ଏକ ମିଳିତ ବିବୃତିରେ କୁହାଯାଇଛି। ୧୧୨୫ ‌କୋଟି ଟଙ୍କାର ସହାୟତା ରାଶି ମଧ୍ୟରୁ ୱିପ୍ରୋ ଲିମିଟେଡ ୧୦୦ କୋଟି ଟଙ୍କା, ଓ୍ପିପ୍ରୋ ଏଣ୍ଟରପ୍ରାଇଜେସ ଲିମିଟେଡ ୨୫ କୋଟି ଟଙ୍କା ଏବଂ ଅଜିମ୍ ପ୍ରେମ୍‌ଜୀ ପ୍ରତିଷ୍ଠାନ ୧୦୦୦ କୋଟି ଟଙ୍କା ପ୍ରଦାନ କରିବ। ୱିପ୍ରୋ ପକ୍ଷରୁ ପ୍ରତିବର୍ଷ ସାମାଜିକ ଦାୟିତ୍ବବୋଧ ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥରାଶି ଏବଂ ଲୋକଙ୍କ ହିତ ପାଇଁ ଅଜିମ୍ ପ୍ରେମ୍‌ଜୀ ପ୍ରତିଷ୍ଠାନ କରୁଥିବା ଖର୍ଚ୍ଚ ବାଦ୍ ଏହି ଅର୍ଥ ଖର୍ଚ୍ଚ ‌‌ହେବ। ଉପଯୁକ୍ତ ସରକାରୀ ପ୍ରତି‌ଷ୍ଠାନ ଏବଂ ନାଗରିକ ସମାଜ ସହ ସମନ୍ବୟ ରକ୍ଷା କରି ଅଜିମ୍ ପ୍ରେମ୍‌ଜୀ ପ୍ରତି‌ଷ୍ଠାନର ୧୬୦୦ ଜଣିଆ ଟିମ୍ କାମ କରିବେ ବୋଲି କୁହାଯାଇଛି।

ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ଓଏନ୍‌ଜିସି ଦେଲା ୩୧୬ କୋଟି
ନୂଆଦିଲ୍ଲୀ : କରୋନା ମୁକାବାଇଲ ପାଇଁ ସରକାର ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି। ଏଭଳି ସମୟରେ ସରକାରଙ୍କୁ ସହଯୋଗ କରିବା ପାଇଁ ରାଷ୍ଟ୍ରାୟତ୍ତ ତୈଳ ଏବଂ ଗ୍ୟାସ କମ୍ପାନି ଓଏନ୍‌ଜିସି ଆଗେଇ ଆସିଛି। ଦେଶରେ ଗ୍ୟାସ ଏବଂ ତୈଳ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଓଏନଜିସିର କର୍ମଚାରୀମାନେ ଦିନରାତି କାମ କରୁଛନ୍ତି। ଏଥିସହିତ ପିଏମ୍‌ କେୟାର୍ସ ଫଣ୍ଡକୁ ଓଏନ୍‌ଜିସି ଏହାର ସିଏସ୍‌ଆର୍‌ ପାଣ୍ଠିରୁ ୩୦୦ କୋଟି ଟଙ୍କା ପ୍ରଦାନ କରିଛି। ଏଥିସହିତ କର୍ମଚାରୀମାନେ ମଧ୍ୟ ସେମାନଙ୍କ ଦୁଇ ଦିନର ଦରମା ବାବଦ ୧୬ କୋଟି ଟଙ୍କା ଏହି ପାଣ୍ଠିକୁ ପ୍ରଦାନ କରିଛନତି। ତୈଳ ଏବଂ ଗ୍ୟାସ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଅନେକ କର୍ମଚାରୀ ଘ‌ରେ ରହି ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସହଯୋଗ ଯୋଗାଇ ଦେଉଛନ୍ତି। ବର୍ତ୍ତମାନର କଠିନ ସମୟରେ ଓଏନଜିସି ସହ ଜଡ଼ିତ ୩୦୧୦୦ ଜଣ ବ୍ୟକ୍ତି ଦେଶ ସହିତ ଛିଡ଼ା ହେବେ ବୋଲି କମ୍ପାନିର ସିଏମ୍‌ଡି ଶଶି ଶଙ୍କର କହିଛନ୍ତି।

ପିଏମ୍-କେୟାରସ୍‌କୁ ବିଭିନ୍ନ କଂପାନିର ସହାୟତା
ନୂଆଦିଲ୍ଲୀ : କୋଭିଡ୍-୧୯ର ମୁକାବିଲା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଓ କଂପାନିଗୁଡ଼ିକ ପିଏମ୍-କେୟାରସ୍ ଫଣ୍ଡ୍‌କୁ ସହାୟତା ପ୍ରଦାନ କରିବା ଜାରି ରଖିଛନ୍ତି। ଟାଟା, ଅମ୍ବାନି ଓ ବିର୍ଲା ଠାରୁ ଆରମ୍ଭ କରି ଟିଭିଏସ୍ ପର୍ଯ୍ୟନ୍ତ ଅନେକ କଂପାନି କୋଟି କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଆଜି ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ତରଫରୁ ପିଏମ୍-କେୟାରସ୍‌କୁ ୧୦୦ କୋଟି ଟଙ୍କା ଦିଆଯାଇଛି। ଏୟାରଟେଲ୍‌ର ମୂଳ କଂପାନି ଭାରତୀ ଏଣ୍ଟରପ୍ରାଇଜେସ୍ ତରଫରୁ ୧୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସରକାରୀ ଇସ୍ପାତ କଂପାନି ସେଲ୍ ଓ ଏହାର କର୍ମଚାରୀମାନେ ମିଶି ୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଭାରତରେ ହୋଣ୍ଡାର ଥିବା ସମସ୍ତ କଂପାନିର ପ୍ରତିନିଧିତ୍ବ କରୁଥିବା ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ତରଫରୁ ୧୧ କୋଟି ଟଙ୍କା ଦାନ କରାଯାଇଛି। ଆର୍ଥିକ ସଂସ୍ଥା ଆଇଆଇଏଫ୍ଏଲ୍ ତରଫରୁ ୫ କୋଟି ଟଙ୍କା ଦିଆଯାଇଛି। ଏସିଆନ୍ ପେଣ୍ଟସ୍ ତରଫରୁ ପିଏମ୍-କେୟାରସ୍‌କୁ ୩୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବିଷୟରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ୍ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର