ନିର୍ମଳାଙ୍କ ବଜେଟରେ ରେଳଗାଡ଼ିର ଗତି ଧିମା ! ପିପିପି ମୋଡରେ ଗଡ଼ିବ ୧୫୦ ନୂଆ ଟ୍ରେନ୍, ସୌରଶକ୍ତି ଉତ୍ପାଦନ କରିବ ଭାରତୀୟ ରେଳ

ନୂଆଦିଲ୍ଲୀ : ଭାରତୀୟ ରେଳ ଲାଗି ସାଧାରଣ ବଜେଟରେ ରଖାଯାଇଥିବା ବ୍ୟୟବରାଦ ସଂପର୍କରେ ଆଜି ଘୋଷଣା କରିଛନ୍ତି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୦-୨୧ ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ଭାରତୀୟ ରେଳର ଆୟ ବଢ଼ାଇବା ଉପରେ ଗୁରୁତ୍ବ ଦେଇଛନ୍ତି। ତେଣୁ ପିପିପି ମୋଡରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ବ୍ୟବସ୍ଥା ଚଳିତ ବଜେଟରେ ରଖାଯାଇଛି। ଏଥିସହ ରେଳଯାତ୍ରାକୁ ଆଧୁନିକ ଓ ସୁରକ୍ଷିତ କରିବା ଲାଗି ବଜେଟ‌ରେ ବ୍ୟବସ୍ଥା ଥିବା କଥା ସେ ଘୋଷଣା କରିଛନ୍ତି। ଦେଶରେ ଅଧିକ ସଂଖ୍ୟକ ତୀବ୍ରବେଗଗାମୀ ତେଜସ ଶ୍ରେଣୀୟ ଟ୍ରେନ୍ ଚଳାଇବା ଲାଗି ୨୦୨୦-୨୧ ବଜେଟରେ ବ୍ୟବସ୍ଥା ହୋଇଛି। ଏହି ଟ୍ରେନ୍ ଜରିଆରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଯୋଡ଼ାଯିବ ।

ସେହିପରି ପଚନଶୀଳ କୃଷିଜାତ ସାମଗ୍ରୀ ପରିବହନ ଲାଗି ଭାରତୀୟ ରେଳ ‘କିଷାନ୍‌ ରେଳ’ ଆରମ୍ଭ କରିବ। ପିପିପି ମୋଡରେ ହେବାକୁ ଥିବା ଏହି କିଷାନ୍‌ ରେଲ୍‌ ଯୋଗେ ଖୁବ୍‌ ଶୀଘ୍ର ପଚନଶୀଳ ସାମଗ୍ରୀଗୁଡ଼ିକର ପରିବହନ କରିହେବ। ଏଥିସହ ପିପିପି ମୋଡରେ ୧୫୦ଟି ନୂତନ ଟ୍ରେନ୍ ଚାଲିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ।

image source-ndtv

ନିଜର ବଜେଟ୍ ଅଭିଭାଷଣରେ  ନିର୍ମଣା ସୀତାରମଣ କହିଛନ୍ତି, ଭାରତୀୟ ରେଳର ଆୟ ବହୁତ କମ । ଆୟ ବଢ଼ାଇବା ପାଇଁ  ସୌରଶକ୍ତିର ଉପଯୋଗ କରାଯିବ । ଏଥିପାଇଁ ରେଳବାଇର ଫାଙ୍କା ଥିବା ଜମିରେ ସୋଲାର ପ୍ୟାନେଲ ଲଗାଯିବ । ୫୫୦ଟି ରେଲୱ୍ୱେ ଷ୍ଟେସନରେ ୱାଇଫାଇ ସୁବିଧା ଉପଲବ୍ଧ ରହିଛି  ଏବଂ ଏହାକୁ ବୃଦ୍ଧି କରାଯିବ।

ସେହିପରି ସୁରକ୍ଷିତ ରେଳଯାତ୍ରା ଉପରେ ମଧ୍ୟ ବଜେଟରେ ବ୍ୟବସ୍ଥା ରହିଛି। ସାରା ଦେଶରେ ରେଲୱେ କ୍ରସିଂଗୁଡ଼ିକୁ ମାନବ ରହିତ କରାଯିବ। ସେନସର ଦ୍ବାରା ପରିଚାଳିତ ଲେବଲ୍ କ୍ରସିଙ୍ଗ୍ ସ୍ଥାପନ ହେବ। ରେଳ ଷ୍ଟେସନ୍ ଗୁଡ଼ିକର ଉନ୍ନତୀକରଣ ଉପରେ ଅଧିକ ଧ୍ୟାନ ଦିଆଯିବ । ୧୧,୦୦୦  କିଲୋମିଟର  ଟ୍ରାକର ବିଦ୍ୟୁତୀକରଣ କରାଯିବ ।  ସେହିପରି ସୋଲାର ପାୱାର ଗ୍ରିଡ଼ ସ୍ଥାପନ ପାଇଁ ମଧ୍ୟ  ଯୋଜନା ହୋଇଛି । ୧୪୮ କିମି ଦୀର୍ଘ ବେଙ୍ଗାଲୁରୁ ଉପନଗରୀୟ ଟ୍ରେନ୍ ସିଷ୍ଟମ୍ ନିର୍ମାଣ ହେବ । ଆଉ ଏଥିରେ ପାଖାପାଖି ୧୮ ହଜାର ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ୨୫ ପ୍ରତିଶତ ବ୍ୟବରାଦ କରବେ କେନ୍ଦ୍ର ସରକାର ।

ସମ୍ବନ୍ଧିତ ଖବର