ନିତି ଆୟୋଗର ରାଜୀବଙ୍କ ପାଟିରେ ମୋଦୀ-ଜେଟ୍‌ଲିଙ୍କ ଭାଷା

ନୂଆଦିଲ୍ଲୀ: ଦେଶର ଆର୍ଥିକ ନୀତିକୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କ ମୁକାବିଲା କରିବା ପାଇଁ ସରକାର ନିଜର ରଣନୀତି ବଦଳାଇ ଦେଇଛନ୍ତି। କୌଣସି ଅର୍ଥନୈତିକ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସିଧାସଳଖ ଜବାବ ଦେଉନାହାନ୍ତି। ସେମାନଙ୍କୁ ଜବାବ ଦେଉଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ଚଳିତ ସପ୍ତାହରେ ଘଟିଥିବା ଦୁଇଟି ଘଟଣାରୁ ଏହା ଜଣାପଡ଼ୁଛି। ସମାଲୋଚକଙ୍କ ମୁହଁ ବନ୍ଦ କରିବା ପାଇଁ ରାଜୀବଙ୍କୁ ଅସ୍ତ୍ର ଭାବେ ସରକାର ବ୍ୟବହାର କରୁଥିବା ମନେ ହେଉଛି। ଦୁଇ ଦିନ ପୂର୍ବରୁ ପୁରୁଣା ବର୍ଷଗୁଡ଼ିକର ସଂଶୋଧିତ ଜିଡିପି ତଥ୍ୟ ଜାରି କରିବା ପାଇଁ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ରାଜୀବଙ୍କୁ ଦେଖି ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସିଏସ୍‌ଓ କାର୍ଯ୍ୟକ୍ରମରେ ରାଜୀବଙ୍କ ଉପସ୍ଥିତିକୁ ହଜମ କରିପାରିନଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଓ ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ୍ ପ୍ରଣବ ସେନ୍। ସିଏସ୍‌ଓକୁ ଗୌଣ କରିବାକୁ ଉଦ୍ୟମ କରାଯାଉଛି ବୋଲି ପ୍ରଣବ ଅଭିଯୋଗ କରିଥିଲେ। ସିଏସ୍‌ଓ ସାମ୍ବାଦିକ ସମ୍ମିଳନୀରେ ରାଜୀବଙ୍କ କ’ଣ କାମ ବୋଲି ଚିଦମ୍ବରମ୍ ପ୍ରଶ୍ନ କରିଥିଲେ। ଏଥିପାଇଁ ଉଭୟ ଚିଦମ୍ବରମ୍ ଓ ପ୍ରଣବ ସେନ୍ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ସେମାନେ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହାର ଜବାବ ଦେବାକୁ ମୋଦୀ କିମ୍ବା ଜେଟ୍‌ଲିଙ୍କୁ କଷ୍ଟ କରିବାକୁ ପଡ଼ିନଥିଲା। ସେମାନଙ୍କ ସବୁ ପ୍ରଶ୍ନର ଉତ୍ତର ରଖିଥିଲେ ରାଜୀବ। ସେହିପରି, ଗତକାଲି ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ୍ ବିମୁଦ୍ରୀକରଣ ବିଷୟରେ କେତେକ ଅପ୍ରିୟ କଥା କହିଥିଲେ। ଧନୀମାନଙ୍କ କଳାଧନ ବାହାର କରିବା ପାଇଁ ବିମୁଦ୍ରୀକରଣ ନାମରେ ଗରିବଙ୍କୁ କଷ୍ଟ ଦିଆଯାଇଥିଲା ବୋଲି ଅରବିନ୍ଦ କହିଥିଲେ। ଆଜି ତାହାର ଜବାବ ଦେଇଛନ୍ତି ରାଜୀବ। ସେ କହିଛନ୍ତି ଯେ, ବିମୁଦ୍ରୀକରଣ ଦୁର୍ନୀତିଖୋରଙ୍କ ବିରୋଧରେ ଲଢ଼େଇ ଥିଲା, ଧନୀଙ୍କ ବିରୋଧରେ ନୁହେଁ। ସେ କହିଲେ, ବିମୁଦ୍ରୀକରଣ ଉପରେ ଅରବିନ୍ଦଙ୍କୁ ନେଇ ଯେଉଁ ଲେଖା ପ୍ରକାଶ ପାଇଛି ତାହା ମୁଁ ଦେଖିଛି। ସେଥିରେ ସେ ଧନୀ ଶବ୍ଦ କାହିଁକି ବ୍ୟବହାର କରିଛନ୍ତି ତାହା ମୁଁ ବୁଝିପାରୁନାହିଁ। ମୋର ଆଶା ଓ ବିଶ୍ବାସ ରହିଛି ଯେ, ଆମ ଦେଶର ଧନୀ ‌ଲୋକମାନେ ସଚ୍ଚୋଟ, କର୍ମଠ ଓ ଆଇନକୁ ସମ୍ମାନ ଦିଅନ୍ତି। ଅରବିନ୍ଦ ସେମାନଙ୍କ କଥା କହିନଥିବେ ବୋଲି ମୁଁ ଭାବୁଛି। ଉଲ୍ଲେଖଯୋଗ୍ୟ, ‘ମୁଁ ମୋର ଛେଳି ହରାଇଲି ଓ ସେମାନେ ତାଙ୍କ ଗାଈ ହରାଇଲେ’, ନ୍ୟାୟରେ ବିମୁଦ୍ରୀକରଣ ଘୋଷଣା କରାଯାଇଥିଲା ବୋଲି ଗତକାଲି ଅରବିନ୍ଦ କହିଥିଲେ। ଆଜି ସେହି କଥାର ଜବାବ ରଖିଛନ୍ତି ରାଜୀବ।

ସମ୍ବନ୍ଧିତ ଖବର