ନୂଆ ଗାଡ଼ି ନେବାକୁ ସୋ’ରୁମ୍‌ରେ ଭିଡ଼, ଗତ ବର୍ଷ ତୁଳନାରେ ବିକ୍ରି ୪୦% ଅଧିକ

ନୂଆଦିଲ୍ଲୀ: ଧନ୍‌ତେରସ୍‌ରେ ଲୋକମାନେ ନୂଆ ଗାଡ଼ି କିଣିବାର ପରମ୍ପରା ରହିଛି। ଚଳିତ ବର୍ଷ ଏହି ଦିନ ରେକର୍ଡ ପରିମାଣର କାର୍ ଓ ଦୁଇ ଚକିଆ ଯାନ ବିକ୍ରି ହୋଇଥିବା ଅନୁମାନ କରାଯାଉଛି। ଦୁଇଟି ବର୍ଷ ମହାମାରୀ ଯୋଗୁଁ ବରବାଦ ହେବା ପରେ ପ୍ରଥମ ଚଳିତ ବର୍ଷ ଧନ୍‌ତେରସ୍‌ରେ ବହୁ ଲୋକ ଗାଡ଼ି କିଣିଥିବା ଆଶା କରାଯାଇଛି। ସେଥିପାଇଁ ଗାଡ଼ି ସୋ’ରୁମ୍‌ଗୁଡ଼ିକର ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଉତ୍ସବ ଋତୁରେ ଲୋକମାନେ ବୋନସ୍ ପାଇଥାନ୍ତି। ସେଥିପାଇଁ ବର୍ଷର ଅନ୍ୟ ଯେକୌଣସି ସମୟ ତୁଳନାରେ ଏହି ସମୟରେ ଲୋକମାନଙ୍କ ପାଖରେ ଅଧିକ ଟଙ୍କା ରହିଥାଏ। ତାହାକୁ ନଜରରେ ରଖି ଗାଡ଼ି କଂପାନିଗୁଡ଼ିକ ମନଲୋଭ ଅଫର ଘୋଷଣା କରିଥିଲେ। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ବିଜ୍ଞାପନରେ ମଧ୍ୟ ବିପୁଳ ଖର୍ଚ୍ଚ କରିଥିଲେ। ତାହାର ଲାଭ ସେମାନଙ୍କ ବିକ୍ରି ସଂଖ୍ୟାରେ ପ୍ରତିଫଳିତ ହୋଇଛି।

ଅଟୋମୋବା‌ଇଲ୍‌ ଡିଲରଙ୍କ ମହାସଂଘ ଫାଡାର ସଭାପତି ମନିଷ ରାଜ ସିଂଘାଣିଆ କହିଛନ୍ତି ଯେ ବହୁ ଗ୍ରାହକ ଧନ୍‌ତେରସ୍‌ ଦିନ ଗାଡ଼ି ଡେଲିଭରି ନେବା ଲାଗି ଆଗୁଆ ବୁକିଂ କରିଥିଲେ। ସେମାନଙ୍କୁ ଗାଡ଼ି ହସ୍ତାନ୍ତର କରାଯାଇଛି। କାର୍‌, ବାଇକ୍‌, ସ୍କୁଟର ଏବଂ କମର୍ସିଆଲ ଗାଡ଼ି ବିକ୍ରି ବଢ଼ିଥିବା ଆଶା କରାଯାଉଛି। କୋଭିଡ୍ ମହାମାରୀ ପୂର୍ବରୁ ଗାଡ଼ି ବଜାରରେ ଯେଭଳି ଉତ୍ସାହ ଥିଲା ତାହା ଆଜି ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଧନ୍‌ତେରସ୍‌ରେ ୪୦ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଥିବା ଆଶା କରାଯାଉଛି। ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ଅର୍ଧ ସହରାଞ୍ଚଳ ଆଦି ସବୁ ସ୍ଥାନରେ ଗାଡ଼ି ସୋ’ରୁମ୍‌ରେ ଉତ୍ସାହ ଦେଖିବାକୁ ମିଳିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଗାଡ଼ି ବିକ୍ରିରେ ୧୧ ପ୍ରତିଶତ ବୃଦ୍ଧି ହୋଇଥିଲା। ଦେଶ ଭିତରେ ୩,୦୭,୩୮୯ କାର୍‌ ବିକ୍ରି ହୋଇଥିଲା ଯାହା ପୂର୍ବ ବର୍ଷର ସମାନ ମାସର ବିକ୍ରି ସଂଖ୍ୟା ତୁଳନାରେ ୯୨ ପ୍ରତିଶତ ଅଧିକ। ଲୋକମାନେ ନୂଆ ଗାଡ଼ି କିଣିବା ଲାଗି ଆଗୁଆ ବୁକିଂ କରୁଛନ୍ତି। ସେମାନଙ୍କୁ ନିର୍ଧାରିତ ସମୟରେ ଗାଡ଼ି ହସ୍ତାନ୍ତର କରାଯାଉଛି। ଅଗାମୀ ମାସରେ ମଧ୍ୟ ବହୁ ସଂଖ୍ୟକ ଗାଡ଼ି ଗ୍ରାହକଙ୍କୁ ଡେଲିଭରି ଦିଆଯିବ। ତିନି ମାସିଆ ଆଧାରରେ କାର୍ ବିକ୍ରି ବହୁ ଦିନ ପରେ ୧୦ ଲକ୍ଷରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର