ସାହାରା ବିକିବ ଇଲେ୍କ୍ଟ୍ରିକ୍ ଗାଡ଼ି

ଭୁବନେଶ୍ୱର: ସାହାରା ଇଣ୍ଡିଆ ପରିବାର ଅଟୋମୋବାଇଲ୍ ବ୍ୟବସାୟରେ ପ୍ରବେଶ କରିଛି। କଂପାନି ଏହାର ଅଟୋମୋବାଇଲ୍ ବ୍ରାଣ୍ଡ୍ ନାମ “ସାହାରା ଇଭଲସ’ ରଖିଛି। ଏହି ସଂସ୍ଥା ଭାରତରେ ଇଲେକ୍ଟ୍ରିକ୍ ଯାନ ଉନ୍ମୋଚନ କରିବା ସହିତ ଅନ୍ୟାନ୍ୟ ଆନୁଷଂଗିକ ସୁବିଧା ସୁଯୋଗ ଯୋଗାଇଦେବ। ସାହାରା ଇଭଲସ୍ ପକ୍ଷରୁ ଇଲେକ୍ଟ୍ରିକ୍ ସ୍କୁଟର, ମୋଟରସାଇକଲ୍, ତିନି ଚକିଆ ଓ ମାଲବାହୀ ଯାନ ବିକ୍ରି କରାଯିବ । ପ୍ରଥମ ଥର ପାଇଁ ଏହା ବ୍ୟାଟେରି ଚାର୍ଜିଂ ତଥା ସ୍ୱାପିଙ୍ଗ ଷ୍ଟେସନକୁ ଉନ୍ମୋଚନ କରିଛି। ସାହାରା ଇଭଲସ୍ ଏହାର ଯାତ୍ରା ଲକ୍ଷ୍ନୌରୁ ଆରମ୍ଭ କରିବ ଏବଂ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ସହରରେ ପ୍ରବେଶ କରିବ । ଆସନ୍ତା ଆର୍ଥିକ ବର୍ଷରେ ଏହା ନିଜର ଉତ୍ପାଦ ଓ ସେବାକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରିବ । ଏ ସମ୍ପର୍କରେ ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରାୟ କୁହନ୍ତି, ଭାରତରେ ଇଲେକ୍ଟ୍ରିକ ଯାନର ଏକ ପୂରା ପରିବେଶ ସୃଷ୍ଟି କରିଥିବାରୁ ଆମେ ବହୁତ ଖୁସି। ଦେଶର ବାୟୁ ପ୍ରଦୂଷଣକୁ କମାଇବା ସହିତ ତୈଳ ଆମଦାନୀକୁ ହ୍ରାସ କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ ରାୟ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର