ଗ୍ୟାସରୁ ଇଥାନଲ୍ ଉତ୍ପାଦନ କରିବ ସେଲ୍‌, ଦେଶରେ ପ୍ରଥମ

ନୂଆଦିଲ୍ଲୀ : ଭାରତୀୟ ଇସ୍ପାତ କର୍ତ୍ତୃପକ୍ଷ ଲିମିଟେଡ୍‌ (ସେଲ୍‌) ଗ୍ୟାସରୁ ଇଥାନଲ୍ ଉତ୍ପାଦନ କରିବା ଯୋଜନା କରୁଛି। ସେଲ୍‌ ଏହାର ଚନ୍ଦ୍ରପୁରସ୍ଥିତ ଫେରୋ ଆଲୟ ପ୍ଲାଣ୍ଟରେ ଏହି ପ୍ରକଳ୍ପ କରିବ। ଏଥିପାଇଁ ୪୦୦ କୋଟି ଟଙ୍କା ବିନିଯୋଗ ହେବ। ଏହି ପ୍ରକଳ୍ପ ଦେଶର ପ୍ରଥମ ବୋଲି କୁହାଯାଉଛି। ଭାରତର ଅଶୋଧିତ ତେଲ ଆମଦାନି ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ କାର୍ବନ ନିର୍ଗତଜନିତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନା ଅଧୀନରେ ଏହି କାର୍ଯ୍ୟ ହାତକୁ ନିଆଯିବ ବୋଲି ଭାରତୀୟ ଇସ୍ପାତ ଗବେଷଣା ଓ ପ୍ରଯୁକ୍ତି ମିସନ(ଏସ୍‌ଆର୍‌ଟିଏମ୍‌ଆଇ)ର ନିର୍ଦ୍ଦେଶକ ମୁକେଶ କୁମାର କହିଛନ୍ତି। ଏହି ପ୍ରକଳ୍ପ ସ୍ଥାପନ କରିବା ଲାଗି ସେଲ୍‌କୁ ଏସ୍‌ଆର୍‌ଟିଏମ୍‌ଆଇ ସହଯୋଗ କରିବ। ପ୍ରକଳ୍ପ ପାଇଁ ନିବେଶ ହେବାକୁ ଥିବା ୪୦୦ କୋଟି ଟଙ୍କାର ମଧ୍ୟରୁ ୨୦ ପ୍ରତିଶତ ପାଣ୍ଠି ଅର୍ଥାତ୍ ୮୦ କୋଟି ଟଙ୍କା କେନ୍ଦ୍ର ସରକାର ଯୋଗାଇ ଦେବେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଇସ୍ପାତ କ୍ଷେତ୍ରରେ ବିଶ୍ବର ଏହା ହେବ ଚତୁର୍ଥ ଏବଂ ଭାରତର ପ୍ରଥମ ପ୍ରକଳ୍ପ। ବର୍ତ୍ତମାନ ସୁଦ୍ଧା ଏହି ଜୈବ ଇଥାନଲ ଇନ୍ଧନ ଉତ୍ପାଦନ ପ୍ରଯୁକ୍ତି ଚୀନର ଦୁଇଟି ଏବଂ ଆର୍ସେଲର ମିତ୍ତଲର ବେଲଜିୟମସ୍ଥିତ ଏକ କାରଖାନାରେ ରହିଛି।

ସମ୍ବନ୍ଧିତ ଖବର