ଚିକେନ ସ୍ବାଦକୁ ପଣସ କଠାରେ ଦେବାକୁ ଲାଗିପଡିଛନ୍ତି ଏହି ଯୁବକ

ପାଣାଜୀ: ଚିକେନ ଭଳି ଲାଗିବ ପଣସ କଠା | କଥାଟି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହାକୁ ବାସ୍ତବ କରି ଦେଖାଇଛନ୍ତି ଗୋଆର ଜଣେ ଯୁବକ | ନିଜର ଏକ ଷ୍ଟାର୍ଟଅପ ଖୋଲି ଏବେ ସେ ପଣସରୁ ପ୍ରସ୍ତୁତ ବ୍ୟଞ୍ଜନର ସ୍ୱାଦ ଚଖାଉଛନ୍ତି | ସାଇରାଜ ଢୋଂଡ଼, ଗୋଆରେ ରହୁଥିବାବେଳେ ଛୋଟବେଳୁ ନିଜ ଜେଜେମାଙ୍କ ଦ୍ୱାରା ପ୍ରସ୍ତୁତ ପଣସ ତରକାରୀକୁ ଚିକେନ ତରକାରୀ ଭାବୁଥିଲେ | ଆଉ ନିଜର ଓକିଲାତି ପାଠପଢା ସମାପ୍ତ କରିବା ପରେ ଲକଡାଉନ ସମୟରେ ସେ ‘ୱାକଓ ଫୁଡସ’ ନାମରେ ଏକ ଷ୍ଟାର୍ଟଅପ ଆରମ୍ଭ କରିଥିଲେ |

ଏହି ଷ୍ଟାର୍ଟଅପରେ ବିଭିନ୍ନ ପ୍ରକାରର ଖାଦ୍ୟ ମିଳୁଥିବାବେଳେ ପଣସର ଅଧିକାଂଶ ବ୍ୟଞ୍ଜନ ରଖାଯାଇଛି | ଟୋରିୟକୀ ଜ୍ୟାକ, ବଟର ଜ୍ୟାକ, ବିବିକ୍ୟୁ ଜ୍ୟାକ ଓ ଜ୍ୟାକ ବର୍ଗର ଭଳି ମନଲୋଭା ନାମ ଦେଇ ସେ ପଣସର ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି | ଆଉ ବଡ କଥା ଯେ ଶାକାହାରୀମାନଙ୍କ ମଧ୍ୟରେ ଏବେ ଏହା ଲୋକପ୍ରିୟ ହୋଇଯାଇଛି | ସେହିପରି ଗୋଆର ବଡ ବଡ ହୋଟେଲ ସାଙ୍ଗକୁ ଦୋକାନମାନଙ୍କରେ ସାଇରାଜଙ୍କ ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜନର ଚାହିଦା ରହିଛି | ବର୍ତ୍ତମାନ ମାସକୁ ୨ରୁ ୩ ଟନ ପଣସରୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିବାବେଳେ ସାଇରାଜଙ୍କ କହିବା କଥା ଯେ କୋଭିଡ ୧୯ ମହାମାରୀ ପରେ ଅଧିକାଂଶ ଲୋକ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇପଡିଛନ୍ତି |

photo-better india

କେଉଁ ସବୁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ସେ ଉପରେ ନଜର ଦେଉଛନ୍ତି | ଆଉ ପଣସରେ ପୋଟାସିୟମ ସହ ଫାଇବର ଅଧିକ ମାତ୍ରାରେ ମିଳୁଥିବାବେଳେ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ମଧ୍ୟ ରହିଥାଏ | ଯାହାକି ରକ୍ତଚାପ କମାଇବାରେ ସାହାଯ୍ୟ କରିଥାଏ | ତେଣୁ ଅଧିକାଂଶ ଲୋକ ପଣସରୁ ପ୍ରସ୍ତୁତ ବର୍ଗର ଓ ଅନ୍ୟାନ୍ୟ ବ୍ୟଞ୍ଜନ ଖାଇବାକୁ ପସନ୍ଦ କରୁଛନ୍ତି |

ସମ୍ବନ୍ଧିତ ଖବର