ଏସବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ଆଣିବ ଟାଇଟଲ୍‌ ବୀମା

ଭୁବନେଶ୍ବର: ଯେକୌଣସି ପ୍ରକାର ସମ୍ପତ୍ତିର ଟାଇଟଲ୍‌ ବା ସ୍ବତ୍ବର ବୀମା ହୋଇପାରିବ। ଦେଶର ଅଗ୍ରଣୀ ଘରୋଇ ବୀମା କଂପାନି ଏସ୍‌ବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ଏହି ବୀମା ଆଣିବ। ଚଳିତ ଆର୍ଥିକ ବର୍ଷର ପ୍ରଥମ ଭାଗରେ ଟାଇଟଲ୍ ବୀମା ଉପଲବ୍ଧ ହେବ ବୋଲି କଂପାନିର ଏମ୍‌ଡି ଓ ସିଇଓ ପୁସାନ୍ ମହାପାତ୍ର କହିଛନ୍ତି। ଓଡ଼ିଶାରେ ୧୦୦ କୋଟି ଟଙ୍କାର କାରବାର କରୁଥିବା ଏହି କଂପାନି ବାତ୍ୟା ଫନିର କ୍ଷତିଗ୍ରସ୍ତଙ୍କୁ ତ୍ବରିତ ବୀମା ରାଶି ପ୍ରଦାନ କରୁଥିବା ଦାବି କରିଛି। ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆମ ପାଖରେ ୯୦ କୋଟି ଟଙ୍କାର ଦାବି (କ୍ଲେମ୍‌) ଆବେଦନ ପହଞ୍ଚିଛି। ସେଥି ମଧ୍ୟରୁ ୧୪ କୋଟି ଟଙ୍କାର ବୀମା ରାଶି ପ୍ରଦାନ କରାଯାଇସାରିଲାଣି। କ୍ଲେମ୍ ପଞ୍ଜୀକୃତ ହେବାର ୮ ଦିନ ଭିତରେ ସେଗୁଡ଼ିକର ସମାଧାନ ହୋଇଯାଉଛି। କଂପାନି ପାଖକୁ ଏକ ଶିଳ୍ପ ସଂସ୍ଥା ଠାରୁ ସର୍ବାଧିକ ୩୮ କୋଟି ଟଙ୍କାର କ୍ଲେମ୍ ଆବେଦନ ଆସିଛି। ଏହା ବ୍ୟତୀତ ଭୁବନେଶ୍ବର ବିମାନ ବନ୍ଦର, କ୍ଷୁଦ୍ର ଚାଷୀ ଏବଂ ବ୍ୟକ୍ତିବିଶେଷ ମଧ୍ୟ କ୍ଲେମ୍ ଆବେଦନ କରିଥିବା ସେ କହିଛନ୍ତି। ‌ବାତ୍ୟା ଜନିତ କ୍ଷୟକ୍ଷତି ପାଇଁ କଂପାନି ମୋଟ ୧୧୨୦ଟି କ୍ଲେମ୍ ଆବେଦନ ପାଇଛି। ସେଥି ମଧ୍ୟରୁ ୬୦% ଦାବିର ସମାଧାନ ହୋଇସାରିଲାଣି ବୋଲି ସେ କହିଛନ୍ତି। ଓଡ଼ିଶାରେ କଂପାନି ବର୍ଷକୁ ହାରାହାରି ୫୫-୬୦ କୋଟି ଟଙ୍କାର ଦାବି ସମାଧାନ କରିଥାଏ।

ସମ୍ବନ୍ଧିତ ଖବର