ଏସ୍‌ବିଆଇ ରିପୋର୍ଟ: ରାଜ୍ୟ ଚାହିଲେ ତେଲ ଦର କମିପାରିବ, ଭାଟ୍‌ କମାଇପାରିବେ ରାଜ୍ୟ

ଓଡ଼ିଶା ୬୭୪ କୋଟି ହରାଇବ

ନୂଆଦିଲ୍ଲୀ: ଦରଦାମ୍ ସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାର ନିକଟରେ ପେଟ୍ରୋଲ୍‌ରୁ ୮ ଟଙ୍କା ଓ ଡିଜେଲ୍‌ରୁ ୬ ଟଙ୍କାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ ଓ ଭାଟ୍‌ ହ୍ରାସ କରିବା ଲାଗି ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। ରାଜ୍ୟଗୁଡ଼ିକ କିନ୍ତୁ ଭାଟ୍‌ରେ ଆଉ ହ୍ରାସ କରିବାକୁ ରାଜି ହୋଇନଥିଲେ। ଏବେବି ରାଜ୍ୟଗୁଡ଼ିକ ପାଖରେ ଭାଟ୍‌ ହ୍ରାସ କରିବାର ସୁଯୋଗ ରହିଛି ବୋଲି ଏସ୍‌ବିଆଇ ଇକୋରାପ୍ ରିପୋର୍ଟ‌ରେ କୁହାଯାଇଛି। ରିପୋର୍ଟରେ ହିସାବ ଦିଆଯାଇଛି ଯେ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବୃଦ୍ଧି କରିବା ପରେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକୁ ୪୯,୨୨୯ କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ମିଳିଥିଲା। ‌ଶୁଳ୍କ‌ ହ୍ରାସ ହେବା ପରେ ରାଜ୍ୟମାନେ ୧୫,୦୨୧ କୋଟି ଟଙ୍କା ହରାଇବେ। ମୋଟ ଉପରେ ସେମାନେ ଏବେବି ୩୪,୨୦୮ କୋଟି ଟଙ୍କା ଲାଭରେ ଅଛନ୍ତି। ସେମାନେ ଚାହି‌ଲେ ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଭାଟ୍ ହ୍ରାସ କରିପାରିବେ। ଯଦି ଭାଟ୍‌ କମିବ ତେବେ ପେଟ୍ରୋଲ୍‌ ଦାମ୍‌ରେ ୩ ଟଙ୍କା ଓ ଡିଜେଲ୍‌ରେ ୨ ଟଙ୍କାର ହ୍ରାସ ସମ୍ଭବ। ମହାରାଷ୍ଟ୍ର ଭଳି ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାର ସୁଯୋଗ ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ଡିଜେଲ୍‌ରୁ ୧ ଟଙ୍କାର ଭାଟ୍‌ ହ୍ରାସ ହେଲେ ରାଜ୍ୟମାନେ ୯,୫୦୦ କୋଟି ଟଙ୍କା ଓ ପେଟ୍ରୋଲ୍‌ରୁ ୧ ଟଙ୍କା ଭାଟ୍ କମିଲେ ୪,୫୦୦ କୋଟି ଟଙ୍କାର କ୍ଷତି ସହିବେ। ଯେହେତୁ ରାଜ୍ୟଗୁଡ଼ିକ ଏବେବି ୩୪,୨୦୮ କୋଟି ଟଙ୍କା ଲାଭରେ ଅଛନ୍ତି ସେମାନେ ଯଦି ଡିଜେଲ୍ ଉପରୁ ଭାଟ୍‌ ୨ ଟଙ୍କା ପର୍ଯ୍ୟନ୍ତ ଓ ପେଟ୍ରୋଲ୍‌ରୁ ୩ ଟଙ୍କା ପର୍ଯ୍ୟନ୍ତ ଭାଟ୍‌ ହ୍ରାସ କରିବେ ତେବେ ସେମାନେ କୌଣସି ଆର୍ଥିକ କ୍ଷତି ସହିବେନି। ମହାରାଷ୍ଟ୍ର, ଗୁଜରାଟ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଜିଡିପିକୁ ଋଣ ଅନୁପାତ କମ ରହିଥିବାରୁ ସେମାନଙ୍କ ପାଖରେ ଭାଟ୍‌ରେ ଅଧିକ କମାଇବାର ସୁଯୋଗ ରହିଛି। ହରିୟାଣା, କେରଳ, ରାଜସ୍ଥାନ, ତେଲେଙ୍ଗାନା ଓ ଅରୁଣାଚଳପ୍ରଦେଶ ମଧ୍ୟ ଭାଟ୍‌ରେ ଅଧିକ ହ୍ରାସ କରିପାରିବେ।

ଓଡ଼ିଶା ୬୭୪ କୋଟି ହରାଇବ
ଭୁବନେଶ୍ବର: କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବୃଦ୍ଧି କରିବା ପରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍‌ ବଢ଼ିବାରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ୭୫୫ କୋଟି ଟଙ୍କାର ଅତିରିକ୍ତ ଟିକସ ସଂଗ୍ରହ କରିପାରିଥିଲା। ନିକଟରେ ଶୁଳ୍କରେ ହ୍ରାସ କରାଯାଇଥିବା ଯୋଗୁଁ ଓଡ଼ିଶା ୬୭୪ କୋଟି ଟଙ୍କା ହରାଇବ ବୋଲି ଆକଳନ କରାଯାଇଛି। ମୋଟ ଉପରେ ଗତବର୍ଷ ତୁଳନାରେ ରାଜ୍ୟ ୮୧ କୋଟି ଟଙ୍କା ଲାଭରେ ରହିବ। ଟିକସ ବୃଦ୍ଧି ବେଳେ ପଶ୍ଚିମବଙ୍ଗ ୧,୩୧୫ କୋଟି ଟଙ୍କାର ଲାଭ ପାଇଥିଲା। ଟିକସରେ ହ୍ରାସ ପରେ ଏହି ରାଜ୍ୟ ମାତ୍ର ୪୨୦ କୋଟି ଟଙ୍କା ହରାଇବ। ସେହିପରି, ଟିକସ ବୃଦ୍ଧି ଯୋଗୁଁ ତାମିଲନାଡୁ ୩,୩୨୫ କୋଟି ଟଙ୍କାର ଲାଭ ପାଇଥିଲା, ଟିକସ ହ୍ରାସ ପରେ ଏହା ୭୧୧ କୋଟି ଟଙ୍କା ହରାଇବ। ମହାରାଷ୍ଟ୍ର ୭,୭୫୧ କୋଟି ଟଙ୍କା ଲାଭ ପାଇଥିଲା। ଟିକସ ହ୍ରାସ ପରେ ତାହା ୨,୨୪୧ କୋଟି ଟଙ୍କା ହରାଇବ। ଟିକସ ବୃଦ୍ଧି ବେଳେ ଗୁଜରାଟର ଲାଭ ୫,୬୫୯ କୋଟି ଟଙ୍କା ଥିଲା। ଟିକସ ହ୍ରାସ ଯୋଗୁଁ ଏହା ୮୫୨ କୋଟି ଟଙ୍କା ହରାଇବ। ଟିକସ ବୃଦ୍ଧି ବେଳେ ତେଲେଙ୍ଗାନା ୪,୩୧୦ କୋଟି ଟଙ୍କାର ଲାଭ ପାଇଥିଲା। ଟିକସ ହ୍ରାସ ପରେ ତାହା ୧୦୯୮ କୋଟି ଟଙ୍କା ହରାଇବ।

ସମ୍ବନ୍ଧିତ ଖବର