ସେନ୍‌ସେକ୍ସରେ ୧,୧୫୮ ପଏଣ୍ଟ୍‌ ହ୍ରାସ, ନିବେଶକ ହରାଇଲେ ୪.୮୨ ଲକ୍ଷ କୋଟି

ମୁମ୍ବାଇ: ନିବେଶକମାନେ ଭୟଭୀତ ହୋଇ ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ସେନ୍‌ସେକ୍ସ ଆଜି ୧,୧୫୮ ପଏଣ୍ଟ୍ ହ୍ରାସ ପାଇ ୫୯,୯୮୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ଛଅ ମାସରେ ଏହା ସେନ୍‌ସେକ୍ସରେ ସବୁଠୁ ବଡ଼ ଧରଣର ହ୍ରାସ। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ୍ ୬ରେ ସେନ୍‌ସେକ୍ସ ୧୭୦୮ ପଏଣ୍ଟ୍‌ ହ୍ରାସ ପାଇଥିଲା। ସେନ୍‌ସେକ୍ସରେ ହୋଇଥିବା ହ୍ରାସ ଯୋଗୁଁ ନିବେଶକମାନେ ଆଜି ୪.୮୨ କୋଟି ଟଙ୍କା ଷ୍ଟକ ବଜାରରେ ହରାଇଛନ୍ତି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ନିଫ୍‌ଟି ମଧ୍ୟ ଆଜି ୩୫୪ ପଏଣ୍ଟ୍‌ ହ୍ରାସ ପାଇ ୧୭,୮୫୭ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ଆଜି ଷ୍ଟକ ବଜାରରେ କାରବାର ଆରମ୍ଭ ହେବା ‌ସମୟରୁ ଘୋର ଅସ୍ଥିରତା ଦେଖାଦେଇଥିଲା। ମର୍ଗାନ୍‌ ଷ୍ଟାନ୍‌ଲି ଓ ନୁମୋରା ଭଳି ସଂସ୍ଥା ଭାରତୀୟ ଇକ୍ବିଟିର ରେଟିଂରେ ହ୍ରାସ କରିବା ଓ ବଜାରରେ ଥିବା ଅତିରିକ୍ତ ନଗଦ ରାଶିକୁ ଦୀର୍ଘମିଆଦୀ ଭିତ୍ତିରେ ପ୍ରତ୍ୟାହାର କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେବା ପରେ ନିବେଶକମାନେ ଭୟଭୀତ ହୋଇପଡ଼ିଛନ୍ତି। ଅତିରିକ୍ତ ନଗଦ ରାଶି ଯୋଗୁଁ ଷ୍ଟକ ବଜାର ସୂଚକାଙ୍କରେ ଦ୍ରୁତ ବୃଦ୍ଧି ହେଉଥିଲା। ୨୦୨୦ ମାର୍ଚ୍ଚରେ ୨୬ ହଜାର ପଏଣ୍ଟ୍‌ ଭଳି ନିମ୍ନ ସ୍ତରକୁ ଖସିଯାଇଥିବା ସେନ୍‌ସେକ୍ସ କିଛି ଦିନ ତଳେ ୬୨ ହଜାର ପଏଣ୍ଟ୍‌ ସ୍ତର ଅତିକ୍ରମ କରିଥିଲା। ତେବେ ଏଭଳି ବୃଦ୍ଧିକୁ ବିଶେଷଜ୍ଞମାନେ ଅସ୍ବାଭାବିକ ବୋଲି କହୁଥିଲେ ଏବଂ ଏଥିରେ ନିଶ୍ଚିତ ସୁଧାର ହେବ ବୋଲି ଆକଳନ କରୁଥିଲେ। ରିଜର୍ଭ ବ୍ୟାଙ୍କର ଅଭିପ୍ରାୟ ଜଣାପଡ଼ିବା ପରେ ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍‌ଏଫ୍‌ଆଇ)ଗୁଡ଼ିକ ଭାରତୀୟ ଇକ୍ବିଟି ସେୟାରକୁ ବିକ୍ରି କରିବା ଆରମ୍ଭ କରିଛନ୍ତି। ସେଥିପାଇଁ ସେନ୍‌ସେକ୍ସରେ ଏଭଳି ବଡ଼ ଧରଣର ହ୍ରାସ ଘଟିଛି।

ନିବେଶକମାନେ ଆଜି ସରକାରୀ ବ୍ୟାଙ୍କ, ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା, ଏଫ୍ଏମ୍‌ସିଜି, ଆଇଟି, ଗଣମାଧ୍ୟମ, ଧାତବ, ଫାର୍ମା, ରିଅଲ ଇଷ୍ଟେଟ୍‌, ତୈଳ ଓ ଗ୍ୟାସ୍‌ କଂପାନିର ସେୟାର ବିକ୍ରି କରିଛନ୍ତି। କୋଲ୍‌ ଇଣ୍ଡିଆ, ଆକ୍ସିସ୍ ବ୍ୟାଙ୍କ, ସିପ୍‌ଲା, ଟାଟା ମୋଟର୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଟାଇଟାନ୍, ଏନ୍‌ଟିପିସି, ହିଣ୍ଡାଲ୍‌କୋ, ଟେକ୍ ମହିନ୍ଦ୍ରା, ଜେଏସ୍‌ଡବ୍ଲୁ ଷ୍ଟିଲ୍‌, ଆଇସର୍ ମୋଟର୍ସ ଓ ୱିପ୍ରୋର ସେୟାର ମୂଲ୍ୟ ଆଜି ହ୍ରାସ ପାଇଛି। ଅନ୍ୟ ପକ୍ଷରେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ, ଏଲ୍‌ଆଣ୍ଡ୍‌ଟି, ଅଲ୍‌ଟ୍ରାଟେକ୍ ସିମେଣ୍ଟ୍‌, ଏସିଆନ୍ ପେଣ୍ଟ୍‌ସ, ଶ୍ରୀ ସିମେଣ୍ଟ୍‌ ଓ ମାରୁତି ସୁଜୁକିର ସେୟାର ମୂଲ୍ୟ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର