ୟେସ୍‌ ବ୍ୟାଙ୍କ ସଂକଟ : ପ୍ରଭାବିତ ହେଲା ‘ଫୋନପେ’ ସେବା

ନୂଆଦିଲ୍ଲୀ : ଆର୍ଥିକ ସଂକଟରେ ପଡ଼ିଥିବା ୟେସ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଜ ନିୟନ୍ତ୍ରଣକୁ ନେଇଯିବା ପରେ ମାସକ ପାଇଁ ବ୍ୟାଙ୍କିଙ୍ଗ୍‌ କାରବାର ଉପରେ କଟକଣା ଲଗାଇଛନ୍ତି । କେବଳ ଜମାକାରୀମାନେ ଏହି ୧ ମାସ ମଧ୍ୟରେ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇପାରିବେ । ତେବେ ଏହି କଟକଣା ଲାଗିବା ପରେ ପେମେଣ୍ଟ ବ୍ୟାଙ୍କ୍‌ ‘ଫୋନପେ’ର ସେବା ଗୁରୁତରଭାବେ ପ୍ରଭାବିତ ହୋଇଛି । ୟେସ ବ୍ୟାଙ୍କ ‘ଫୋନପେ’ର ବୃହତ୍ତମ ବ୍ୟାଙ୍କିଙ୍ଗ୍‌ ପାର୍ଟନର ଥିବାରୁ ଏପରି ହୋଇଛି ବୋଲି ଫୋନପେର ସହ-ପ୍ରତିଷ୍ଠାତା ସମୀର ନିଗମ କହିଛନ୍ତି । ତେବେ ଯଥାଶୀଘ୍ର ସେବା ପୁଣି ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।

 

ଗତକାଲି ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗିଦେବା ସହ ଜମାକାରୀଙ୍କ ପାଇଁ ମାସିକ ଜମା ଉଠାଣକୁ ୫୦ହଜାର ଟଙ୍କା ମଧ୍ୟରେ ସୀମିତ ରଖିଛନ୍ତି । ଏହା ସହିତ ବ୍ୟାଙ୍କ କୌଣସି ନୂଆ ଋଣ ଦେଇପାରିବେ ନାହିଁ କିମ୍ବା ନୂଆ ନିବେଶ କରିପାରିବେ ନାହିଁ । ୟେସ ବ୍ୟାଙ୍କର ପରିଚାଳନା ପାଇଁ ରିଜର୍ଭ ବ୍ୟାଙ୍କ ଏସବିଆଇର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ନିଯୁକ୍ତ କରିଛି । ମାସକ ମଧ୍ୟରେ ୟେସ ବ୍ୟାଙ୍କର ପୁନର୍ଗଠନ କରିବାକୁ ଉଦ୍ୟମ କରାଯାଉଛି ଯଦ୍ୱାରା କି ଜମାକାରୀ ଓ ୟେସବ୍ୟାଙ୍କ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କରାଯାଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ସମ୍ବନ୍ଧିତ ଖବର