ତେଲ ହେଉଛି ରାଜ୍ୟମାନଙ୍କ ପାଇଁ ଦୁଧିଆଳୀ ଗାଈ, ଜିଏସଟି ଅଧିନକୁ ଛାଡିବେ ନାହିଁ : ନିତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏବେ ମହଙ୍ଗା ରହିଛି । ଏଥିପାଇଁ ରାଜ୍ୟ ସରକାରମାନେ କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଛନ୍ତି । କେନ୍ଦ୍ର ମଧ୍ୟ ରାଜ୍ୟ ମାନଙ୍କୁ ଦୋଷ ଦେଉଛି ଯେ ସେମାନେ ତେଲ ଉପରେ ଜିଏସଟି ଲାଗୁ ପାଇଁ ରାଜି ହେଉନଥିବାରୁ ଦର ବଢୁଛି । ଆଗାମୀ ଦିନରେ ତେଲ ଉପରେ ଜିଏସଟି ଲାଗୁ କରାଯିବ ବୋଲି କେନ୍ଦ୍ର ସରକାର ଆଶା ପ୍ରକଟ କରିଛନ୍ତି । କିନ୍ତୁ ଏହା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ସେ କହିଛନ୍ତି ଯେ ତେଲ ଉପରେ ଟିକସ ହେଉଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଦୁଧିଆଳୀ ଗାଈ ସଦୃଶ । ସରକାରଙ୍କ ପରୋକ୍ଷ ଟିକସ ରାଜସ୍ୱର ଏକ ବଡ଼ ଭାଗ ହେଉଛି ପେଟ୍ରୋଲ ଓ ଡିଜେଲ ଟିକସ । ଏଣୁ କୌଣସି ରାଜ୍ୟ ସହଜରେ ଏହାକୁ ଛାଡିବାକୁ ଚାହିଁବ ନାହିଁ । ନୀତିଗତ ଭାବେ ସବୁ ସାମଗ୍ରୀ ଜିଏସଟି ଅଧିନକୁ ଆସିବା ଉଚିତ, କିନ୍ତୁ ବାସ୍ତବରେ ଏହା ଲାଗୁ କରିବାକପ ଆହୁରି ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ କହିଛନ୍ତି । ଏହା କରିବାର ଉପଯୁକ୍ତ ଉପାୟ ହେଲା କେନ୍ଦ୍ର ସରକାର ପ୍ରଥମେ ଧୀରେ ଧୀରେ ତେଲ ଉପରୁ ଟିକସ କମାନ୍ତୁ । ଏପରି ହେଲେ ତେଲ ଦର କମିବ ଓ ରାଜ୍ୟମାନେ ତେଲ ଉପରୁ ଟିକସ କମ ଆଦାୟ କରିବେ । ଏପରି ହେଲେ ସେମାନେ ସ୍ୱତଃ ଜିଏସଟି ପାଇଁ ରାଜି ହେବେ ।

ସମ୍ବନ୍ଧିତ ଖବର