ତୃତୀୟ ପକ୍ଷ ଗାଡ଼ି ବୀମା ପ୍ରିମିୟମ୍‌ ବୃଦ୍ଧି ସ୍ଥଗିତ, ଏପ୍ରିଲ ୧ରୁ କାର୍ଯ୍ୟକାରୀ ହୋଇଥାନ୍ତା

ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବନି

ନୂଆଦିଲ୍ଲୀ: ଘରୋଇ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡ଼ି ମାଲିକଙ୍କ ପାଇଁ ଭଲ ଖବର। ଗାଡ଼ି ଗୁଡ଼ିକର ତୃତୀୟ ପକ୍ଷ ବୀମା ବୃଦ୍ଧି ପାଇଁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ) ପୂର୍ବରୁ ପ୍ରସ୍ତାବ ରଖିଥିଲା। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆସନ୍ତା ଏପ୍ରିଲ ପହିଲାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏବେ କରୋନା ପରିପ୍ରେକ୍ଷୀରେ ଏହାକୁ ସ୍ଥଗିତ ରଖାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଗାଡ଼ି ମାଲିକମାନେ ପ୍ରଦାନ କରୁଥିବା ତୃତୀୟ ପକ୍ଷ ବୀମା ରାଶିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ପୁନଃଆଦେଶ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଇଆରଡିଏଆଇ ଗତକାଲି ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଦେଇଛି। ଫଳରେ ସବୁ ବୀମା କମ୍ପାନି ଗୁଡ଼ିକ ଏବେ ଗାଡ଼ି ମାଲିକଙ୍କ ଠାରୁ ବର୍ତ୍ତମାନ ହାରରେ ତୃତୀୟ ପକ୍ଷ ବୀମା ରାଶି ଆଦାୟ କରିବେ। ପୂର୍ବରୁ ଗତ ୫ ତାରିଖରେ ଆଇଆରଡିଏଆଇ ଗାଡ଼ି ଗୁଡ଼ିକର ତୃତୀୟ ପକ୍ଷ ବୀମା ରାଶି ବୃଦ୍ଧି କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲା। ୭୫ ସିସିରୁ କମ୍ ଇଞ୍ଜିନ କ୍ଷମତା ବିଶିଷ୍ଟ ଦୁଇ ଚକିଆ ଗାଡ଼ିର ତୃତୀୟ ପକ୍ଷ ବୀମା ରାଶି ୪୮୨ ଟଙ୍କା ଥିବାବେଳେ ଏହାକୁ ୫୦୬ ଟଙ୍କାକୁ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଥିଲା। ସେହିଭଳି ୭୫ ସିସିରୁ ୧୫୦ ସିସି ବିଶିଷ୍ଟ ଦୁଇ ଚକିଆ ଯାନର ତୃତୀୟ ପକ୍ଷ ବୀମା ପ୍ରିମିୟମ ୭୫୨ ଟଙ୍କାରୁ ୭୬୯ ଟଙ୍କାକୁ, ୧୫୦ ସିସିରୁ ୩୫୦ ସିସି ବିଶିଷ୍ଟ ଦୁଇ ଚକିଆ ଯାନର ତୃତୀୟ ପକ୍ଷ ବୀମା ରାଶି ୧୧୯୩ ଟଙ୍କାରୁ ୧୩୦୧ ଟଙ୍କାକୁ ବୃଦ୍ଧି ପ୍ରସ୍ତାବ ରଖାଯାଇଛି। ୩୫୦ ସିସିରୁ ଅଧିକ ଇଞ୍ଜିନ କ୍ଷମତା ବିଶିଷ୍ଟ ଦୁଇ ଚକିଆ ଯାନର ତୃତୀୟ ପକ୍ଷ ବୀମା ରାଶିକୁ ୨୩୨୩ ଟଙ୍କାରୁ ୨୫୭୧ ଟଙ୍କାକୁ ବୃଦ୍ଧି ଯୋଜନା ରହିଛି। ସେହିଭଳି ୧୦୦୦ ସିସି ପର୍ଯ୍ୟନ୍ତ ଚାରି ଚକିଆ ଯାନର ତୃତୀୟ ପକ୍ଷ ବୀମା ବାବଦରେ ଏବେ ଗ୍ରାହକଙ୍କୁ ୨୦୭୨ ଟଙ୍କା ଦେବାକୁ ପଡ଼ୁଥିବାବେଳେ ଏହାକୁ ୨୧୮୨ ଟଙ୍କାକୁ ବଢ଼ାଯିବାର ପ୍ରସ୍ତାବ ରହିଛି। ୧୦୦୦ ସିସିରୁ ଅଧିକ ଏବଂ ୧୫୦୦ ସିସିରୁ କମ୍ ଗାଡ଼ିର ତୃତୀୟ ପକ୍ଷ ବୀମା ରାଶି ୩୨୨୧ ଟଙ୍କାରୁ ୩୩୮୩ ଟଙ୍କାକୁ ବୃଦ୍ଧି ପ୍ରସ୍ତାବ ରହିଥିଲା। ତେବେ ବିଳାସପୂର୍ଣ୍ଣ ତଥା ୧୫୦୦ ସିସିରୁ ଅଧିକ ଇଞ୍ଜିନ କ୍ଷମତା ବିଶିଷ୍ଟ ଗାଡ଼ିର ତୃତୀୟ ପକ୍ଷ ବୀମା ରାଶି ୭୮୯୦ ଟଙ୍କାରେ ଅପରିବର୍ତ୍ତିତ ରହିବ ବୋଲି ଆଇଆରଡିଏଆଇ କହିଥିଲା।

ସମ୍ବନ୍ଧିତ ଖବର