ଟିକଟ ଏଜେଣ୍ଟ୍‌ରୁ ଜେଟ୍‌ ମାଲିକ

୧୯୪୯ ମସିହା ଜୁଲାଇ ୨୯ରେ ପଞ୍ଜାବର ସାଙ୍ଗରୁର୍‌ରେ ନରେଶ ଗୋୟଲ୍ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ଗହଣା ବ୍ୟବସାୟୀ ଥିଲେ। ପିଲାଟି ଦିନରୁ ସେ ବାପାଙ୍କୁ ହରାଇଥିଲେ। ତାଙ୍କୁ ଯେତେବେଳେ ୧୧ ବର୍ଷ ବୟସ ହୋଇଥିଲେ ସେ ମା’ଙ୍କ ସହିତ ମାମୁଁ ଘରକୁ ଚାଲିଆସିଥିଲେ ଏବଂ ସେହିଠାରେ ରହି ପାଠପଢ଼ିଥିଲେ। ପଟିଆଲାର ସରକାରୀ ବିକ୍ରମ କଲେଜ୍‌ ଅଫ୍ କମର୍ସରୁ ସେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ପାଠପଢ଼ା ଶେ‌ଷ ହେବା ପରେ ମାସିକ ୩୦୦ ଟଙ୍କା ଦରମାରେ ସେ ନିଜ ମାମୁଁଙ୍କ ଟ୍ରାଭେଲ୍‌ ଏଜେନ୍ସିରେ ଚାକିରି କରିଥିଲେ। ଏହା ପରେ ସେ ଲେବାନିଜ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ପାଇଁ ଟିକଟ ଏଜେଣ୍ଟ ଭାବେ କାମ କରିଥିଲେ। ୧୯୬୯ରୁ ୧୯୭୪ ମଧ୍ୟରେ ସେ ଅନେକ ବିଦେଶୀ ବିମାନ କଂପାନି ସହ କାମ କରିବାର ସୁଯୋଗ ପାଇଥିଲେ। ସେ ଇରାକି ଏୟାରଲାଇନ୍ସ, ରୟାଲ୍ ଜୋର୍ଡାନିଆନ୍ ଏୟାରଲାଇନ୍ସ, ମିଡିଲ୍ ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ଓ ଫିଲିପାଇନ୍ସ ଏୟାରଲାଇନ୍ସ ସହ କାମ କରିବାର ସୁଯୋଗ ପାଇଥିଲେ। ସେହି ସମୟରେ ତାଙ୍କୁ ଅନେକ ଦେଶ ଯାତ୍ରା କରିବାର ସୁଯୋଗ ମିଳିଥିଲା ଓ ସେ ବିମାନ ଚଳାଚଳ ବ୍ୟବସାୟ ଉପରେ ବିପୁଳ ଅଭିଜ୍ଞତା ହାସଲ କରିଥିଲେ। ୧୯୯୧ରେ ଯେତେବେଳେ ଭାରତୀୟ ଅର୍ଥନୀତିକୁ ଉନ୍ମୁକ୍ତ କରାଗଲା ସେହି ସମୟରେ ସେ ଜେଟ୍ ଏୟାରୱେଜ୍‌କୁ ସ୍ଥାପନ କରିଥିଲେ। ଏହାର ଦୁଇ ବର୍ଷ ପରେ ଦୁଇଟି ବିମାନକୁ ନେଇ ଜେଟ୍ ଏହାର ଯାତ୍ରା ଆରମ୍ଭ କରିଥିଲା। କିଛି ବର୍ଷ ଭିତରେ ଏହା ଭାଗ୍ୟ ବଦଳିଯାଇଥିଲା। କୁଏତ୍ ଏୟାର ଏବଂ ଗଲ୍‌ଫ ଏୟାର ଭଳି ବିମାନ କଂପାନି ଜେଟ୍‌ରେ ପୁଞ୍ଜିନିବେଶ କରିଥିଲେ। ଏହା ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲା। ଏୟାର ଇଣ୍ଡିଆ ପରେ ଜେଟ୍ ଦେଶର ଦ୍ବିତୀୟ କଂପାନି ଭାବେ ଏକ ସମ୍ପୂର୍ଣ୍ଣ ବିମାନ କଂପାନି (ଫୁଲ ସର୍ଭିସ୍‌ କ୍ୟାରିୟର୍‌) ହୋଇପାରିଥିଲା। ଜେଟ୍‌ରେ ତାଙ୍କ ପତ୍ନୀ ଅନୀତା ଜଣେ ମାର୍କେଟିଂ ଆନାଲିଷ୍ଟ୍‌ ଭାବେ ଯୋଗ ଦେଇଥିଲେ। କିଛି ଦିନ ଭିତରେ ସେ କଂପାନିର ମାର୍କେଟିଂ ଓ ବିକ୍ରି ବିଭାଗର ମୁଖ୍ୟ ହୋଇଥିଲେ। ଏହାର ନଅ ବର୍ଷ ପରେ ଉଭୟ ନରେଶ ଏବଂ ଅନୀତାଙ୍କ ବିବାହ ହୋଇଥିଲା। ତାଙ୍କର ଦୁଇଟି ସନ୍ତାନ (ପୁଅ ନିଭାନ୍ ଗୋୟଲ ଏବଂ ଝିଅ ନମ୍ରତା ଗୋୟଲ) ଅଛନ୍ତି। ଇଣ୍ଡିଗୋ ଓ ସ୍ପାଇସ୍‌ ଜେଟ୍‌ ବିମାନ ସେବା ଆରମ୍ଭ କରିବା ପରେ ଭାରତରେ ସୁଲଭ ମୂଲ୍ୟର ବିମାନ ସେବା ବିପ୍ଳବ ଆରମ୍ଭ ହୋଇଥିଲା। କମ୍ ଦାମ୍‌ରେ ଟିକଟ ଉପଲବ୍ଧ କରାଇ ଏହି ଦୁଇ ବିମାନ କଂପାନି ଯାତ୍ରୀମାନଙ୍କୁ ନିଜ ଆଡ଼କୁ ଟାଣିନେଇଥିଲେ। ନିଜ ବଜାର ଅଂଶ ବଞ୍ଚାଇବାକୁ ସଂଘର୍ଷ କରୁଥିବା‌ ଜେଟ୍‌ ପାଇଁ ତେଲ ଦର ଏବଂ ଡଲାର ମୂଲ୍ୟ ଘାତକ ସାଜିଥିଲା। ବିଗତ ୧୧ ବର୍ଷ ଭିତରେ ୯ ବର୍ଷ ପର୍ଯ୍ୟନ୍ତ ଜେଟ୍‌ କ୍ଷତି ସହିଥିଲା। କ୍ଷତି ସହିତ ବିପୁଳ ପରିମାଣର ଋଣ ଜେଟ୍‌ର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିଲା।

ସମ୍ବନ୍ଧିତ ଖବର