ପ୍ରତିରକ୍ଷା କାରଖାନା ପାଇଁ ଟାଟାକୁ ଆମନ୍ତ୍ରଣ

ଭୁବନେଶ୍ୱର: ନରାଜଠାରେ ଟାଟା ପାଓ୍ଵାରକୁ ପ୍ରଦାନ କରାଯାଇଥିବା ୮୭୧ ହେକ୍ଟର ଜମିରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପୁଞ୍ଜ ସ୍ଥାପନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି। ଟାଟା ସନ୍ସର ଅଧ୍ୟକ୍ଷ ନଟରାଜନ୍‌ ଚନ୍ଦ୍ରଶେଖରନ୍‌ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଏହି ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପୁଞ୍ଜ ସମେତ ଅନ୍ୟ କେତେକ କାରଖାନା ସ୍ଥାପନ ଓ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ନଟରାଜନ୍‌ଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିରେ କଳିଙ୍ଗନଗରଠାରେ ଇସ୍ପାତର ଆନୁଷଙ୍ଗିକ ଶିଳ୍ପ ପୁଞ୍ଜ ସ୍ଥାପନ ପ୍ରସ୍ତାବ ମଧ୍ୟ ରହିଛି।
ଟାଟା ମୋଟସକୁ ରାଜ୍ୟରେ ଏକ ଇ-ଭେଇକିଲ୍‌ ପ୍ରକଳ୍ପ ନିର୍ମାଣ କରିବା ପାଇଁ କୁହାଯାଇଛି। ସେହିଭଳି ପାରାଦୀପ ଠାରେ ଟାଟା କେମିକାଲ୍ସ ପକ୍ଷରୁ ନିର୍ମାଣ ୟୁନିଟ୍‌ ସ୍ଥାପନ ଏବଂ ଗୋପାଳପୁର ଏସ୍‌ଇଜେଡ୍‌ ଏବଂ ଡିଟିଏରେ ଅଧିକ ପୁଞ୍ଜିନିବେଶ କରିବାକୁ ସରକାର କହିଛନ୍ତି।
ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀଠାରେ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସାଲିଟି ହସ୍ପିଟାଲ କାର୍ଯ୍ୟକୁ କମ୍ପାନି ତ୍ୱରାନ୍ଵିତ କରିବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏତଦ୍‌ବ୍ୟତୀତ ଟାଟା ଏଆଇଜି ପକ୍ଷରୁ ଫସଲ ବୀମା ବାବଦ କ୍ଷତିପୂରଣ ପ୍ରଦାନକୁ ତ୍ୱରାନ୍ଵିତ କରିବା ଏବଂ ରାଜ୍ୟର ଯୁବବର୍ଗକୁ ବିଶ୍ୱଶ୍ରେଣୀର ତାଲିମ ଦେବାଲାଗି ଟାଟା କମ୍ପାନି ଶିଳ୍ପ ସହଯୋଗୀଭାବେ ଭାଗ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଇଞ୍ଜିନିୟରିଂ କଲେଜ, ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ କ୍ୟାମ୍ପସ ପ୍ଲେସମେଣ୍ଟ୍‌କୁ ତ୍ୱରାନ୍ଵିତ କରିବାକୁ କୁହାଯାଇଛି। ସେହିଭଳି ରାଜ୍ୟର କେତୋଟି ଆଇଟିଆଇରେ ଭୋଲ୍‌ଟାସ୍‌ ଏବଂ ଥାଇସେନକ୍ରୁପ୍‌ ସହିତ ମିଶି ଓ୍ଵାର୍କସପ୍‌ ସ୍ଥାପନ ଉପରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ରାଜ୍ୟର ମିସନ୍‌ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ମହିଳାଙ୍କ ପାଇଁ ଅଣୁ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ କରିବାକୁ କମ୍ପାନିକୁ କୁହାଯାଇଛି।
ମୁଖ୍ୟମନ୍ତ୍ରୀ ଦେଇଥିବା ସମସ୍ତ ପ୍ରସ୍ତାବ ଉପରେ ଟାଟା କମ୍ପାନି ବିଚାର କରିବା ସହିତ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବ ବୋଲି ଶ୍ରୀ ଚନ୍ଦ୍ରଶେଖରନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର. ବାଲକ୍ରିଷ୍ଣନ୍‌, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେଙ୍କ ସମେତ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବଙ୍କ ସମେତ ଟାଟା ଷ୍ଟିଲ୍‌ ଏମ୍‌ଡି ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର