ଟାଟା-ସାଇରସ୍‌ ବିବାଦ : ସୁପ୍ରିମକୋର୍ଟରେ ଟାଟାର ବିଜୟ

ନୂଆଦିଲ୍ଲୀ : ସାଇରସ୍‌ ମିସ୍ତ୍ରୀଙ୍କ ସହ ଆଇନଗତ ଲଢ଼େଇରେ ଟାଟା ଗ୍ରୁପ୍‌କୁ ଆଜି ବଡ଼ ବିଜୟ ମିଳିଛି। ଏହି ମାମଲାରେ ସୁପ୍ରିମ୍‌କୋର୍ଟ ଟାଟା ସପକ୍ଷରେ ରାୟ ଦେଇଛନ୍ତି। ସାଇରସ୍‌ଙ୍କୁ କଂପାନିର ଅଧ୍ୟକ୍ଷ ଭାବେ ପୁନଃ ନିଯୁକ୍ତ କରିବା ଲାଗି ନ୍ୟାସନାଲ୍ କଂପାନି ଲ’ ଆପିଲିଟ୍ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଏଟି) ଦେଇଥିବା ରାୟକୁ ସୁପ୍ରିମକୋର୍ଟ ବଦଳାଇ ଦେଇଛନ୍ତି। ଟାଟା ସନ୍ସକୁ ଏକ ପ୍ରାଇଭେଟ୍ ଲିମିଟେଡ୍‌ କଂପାନିରେ ପରିଣତ କରାଯିବା ବିରୋଧରେ ସାଇରସ୍‌ ଯେଉଁ ଆବେଦନ କରିଥିଲେ ତାହାକୁ ମଧ୍ୟ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି।

ପ୍ରଧାନ ବିଚାରପତି ଏସ୍‌ଏ ବୋବ୍‌ଡେ‌ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଏହି ବହୁ ଚର୍ଚ୍ଚିତ କର୍ପୋରେଟ୍ ଲଢ଼େଇର ରାୟ ପ୍ରକାଶ କରିଛନ୍ତି। ଟାଟା ସନ୍ସରେ ସାଇରସ୍‌ଙ୍କ ପରିବାରର ଥିବା ୧୮.୫ ପ୍ରତିଶତ ଅଂଶଧନର ଉଚିତ ମୂଲ୍ୟ ଦେବା ଲାଗି ସାଇରସ୍‌ଙ୍କ ତରଫରୁ ଯେଉଁ ଆବେଦନ କରାଯାଇଥିଲା ତାହାକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି। ଟାଟା ସନ୍ସ ସମ୍ପତ୍ତି ମୂଲ୍ୟ ଆଧାରରେ ଏହି ମୂଲ୍ୟ ନିର୍ଧାରିତ ହେବ ବୋଲି କୋର୍ଟ କହିଛନ୍ତି। ଟାଟା ସନ୍ସରେ ସାଇରସ୍‌ଙ୍କ ପରିବାରର କଂପାନି ସାପୋର୍ଜି ପାଲୋଞ୍ଜି ଗ୍ରୁପ୍‌ର ଥିବା ୧୮.୫% ଅଂଶଧନର ମୂଲ୍ୟ ୧.୭୬ ଲକ୍ଷ କୋଟି ଟଙ୍କା ହେବ ବୋଲି ସାଇରସ୍‌ଙ୍କ ପରିବାର ତରଫରୁ କୋର୍ଟଙ୍କୁ କୁହାଯାଇଥିଲା। କିନ୍ତୁ ଟାଟା ସନ୍ସ କହିଥିଲା ଯେ ସେହି ସବୁ ଅଂଶଧନର ମୂଲ୍ୟ ୮୦,୦୦୦ କୋଟି ଟଙ୍କା ହେବ। ଅଂଶଧନର ମୂଲ୍ୟକୁ ନେଇ ଦୁଇ ପକ୍ଷ ମଧ୍ୟରେ ମତଭେଦ ରହିଥିଲା। ଆଜି ସୁପ୍ରିମ୍‌କୋର୍ଟ ରାୟ ଶୁଣାଇବା ପରେ ଟାଟା ଗ୍ରୁପ୍‌ ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ଉଲ୍ଲସିତ ହୋଇ କହିଛନ୍ତି ଯେ ମୁଁ ସୁପ୍ରିମକୋର୍ଟଙ୍କ ପ୍ରତି କୃତଜ୍ଞ। ମୋର ସାଧୁତା ଓ କଂପାନିର ମୂଲ୍ୟବୋଧ ଉପରେ ‌ବାରମ୍ବାର ଆକ୍ରମଣ ହେଉଥିଲା। ସୁପ୍ରିମକୋର୍ଟଙ୍କ ରାୟ ଟାଟା ସନ୍ସର ମୂଲ୍ୟବୋଧ ପ୍ରତି ଏକ ସ୍ବୀକୃତି ସ୍ବରୂପ। କଂପାନି ସର୍ବଦା ନୀତି ଆଦର୍ଶ ଅନୁସାରେ ପରିଚାଳିତ ହେଉଛି ବୋଲି ସେ କହିଛନ୍ତି।

୨୦୧୬ ଅକ୍ଟୋବରରେ ବୋର୍ଡ ବୈଠକ ପୂର୍ବରୁ ସାଇରସ୍‌ଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିଲା। ତାହାକୁ ସାଇରସ୍‌ ଏକ ଅପମାନ ଭାବେ ବିଚାର କରି ନ୍ୟାୟ ପାଇବା ଲାଗି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଏନ୍‌ସିଏଲ୍‌ଏଟିରେ ତାଙ୍କୁ ବିଜୟ ମିଳିଥିଲା। କିନ୍ତୁ ସୁପ୍ରିମ୍‌କୋର୍ଟରେ ସେ ସେହି ଲ‌ଢ଼େଇ ହାରିଯାଇଛନ୍ତି।

ସମ୍ବନ୍ଧିତ ଖବର