ପେଟ୍ରୋଲ ଦର ଠାରୁ ଟିକସ ଅଧିକ

ମୂଳ ଦରର ୧୦୫% ଟିକସ

ନୂଆଦିଲ୍ଲୀ: ଚଳିତ ମାସ ୫ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଅତିରିକ୍ତ ଉତ୍ପାଦନ ଶୁଳ୍କ ଏବଂ ସଡ଼କ ଓ ଭିତ୍ତିଭୂମି ସେସ୍ ବାବଦରେ ୨ ଟଙ୍କା ବୃଦ୍ଧି କରିଛନ୍ତି। ଏହାର ପ୍ରଭାବ ତେଲ ଦର ଉପରେ ୬ ତାରିଖରୁ ଦେଖିବାକୁ ମିଳିଛି। ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୫୦ ପଇସା ଏବଂ ଡିଜେଲ ଦର ୨ ଟଙ୍କା ୩୦ ପଇସା ବୃଦ୍ଧି ଘଟିଛି। ଏଥିଯୋଗୁ ‌‌ପେଟ୍ରୋଲ ଏବଂ ଡିଜେଲ ଦରର ଖୁଚୁରା ମୂଲ୍ୟ ଚଳିତବର୍ଷର ସର୍ବୋଚ୍ଚ ସ୍ତର ପାଖାପାଖି ପହଞ୍ଚି ଯାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୬ ତାରିଖରେ ୭୩ ଟଙ୍କାରେ ଏବଂ ଡିଜେଲ ଦର ୬୬ ଟଙ୍କା ୭୦ ପଇସାରେ ପହଞ୍ଚି ଯାଇଛି। ଫଳରେ ପେଟ୍ରୋଲ ବାବଦରେ ଖାଉଟି ଯେତିକି ପଇସା ଗଣୁଛନ୍ତି ତାହାର ଅଧାରୁ ଅଧିକ କେନ୍ଦ୍ର ଏବଂ ରାଜ୍ୟ ସରକାର ଟିକସ ବାବଦରେ ‌ନେଉଛନ୍ତି। ପେଟ୍ରୋଲ ଉପରେ ଟିକସ ହାର ଲିଟର ପିଛା ୩୫ ଟଙ୍କା ୫୦ ପଇସା ବା ୧୦୫ ପ୍ରତିଶତରେ ପହଞ୍ଚିଛି। ଏହି ଟିକସରେ ଉତ୍ପାଦନ ଶୁଳ୍କ ବାବଦରେ ଆଦାୟ କରାଯାଉଛି ୧୯ ଟଙ୍କା ୯୮ ପଇସା। ଦିଲ୍ଲୀରେ ଗତ ୬ ତାରିଖରେ ଗ୍ରାହକ ଗଣୁଥିବା ୭୨ ଟଙ୍କା ୯୬ ପଇସାରୁ କିଏ କେତେ ଆଦାୟ କରୁଛନ୍ତି ତାହାକୁ ଦେଖିଲେ ଜଣାପଡ଼େ ଡିଲରମାନେ ୩୩ ଟଙ୍କା ୯୧ ପଇସା ଦେଇ ପେଟ୍ରୋଲ କିଣୁଛନ୍ତି। କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବାବଦରେ ୧୯ ଟଙ୍କା ୯୮ ପଇସା, ଦିଲ୍ଲୀ ସରକାର ଭାଟ୍ ବାବଦରେ ୧୫ ଟଙ୍କା ୫୧ ପଇସା ଆଦାୟ କରୁଛନ୍ତି। ଏହାବାଦ୍ ଡିଲରମାନେ ସେମାନଙ୍କ କମିସନ ବାବଦରେ ୩ ଟଙ୍କା ୫୬ ପଇସା ଆଦାୟ କରୁଛନ୍ତି।
ତେବେ ଦିଲ୍ଲୀରେ ଗ୍ରାହକଙ୍କୁ ପେଟ୍ରୋଲ ତୁଳନା‌ରେ ଡିଜେଲରେ ଅପେକ୍ଷାକୃତ କମ୍ ଟିକସ ଦେବାକୁ ପଡ଼ୁଛି। ଗ୍ରାହକ ଦେଉଥିବା ଡିଜେଲ ଲିଟର ପିଛା ୬୬ ଟଙ୍କା ୬୯ ପଇସା ଗ୍ରାହକ ହେଉଥିବାବେଳେ ଏଥିରେ ଉତ୍ପାଦନ ଶୁଳ୍କ ୧୫ ଟଙ୍କା ୮୩ ପଇସା, ଭାଟ୍ ୯ ଟଙ୍କା ୮୨ ପଇସା ଏବଂ ଡିଲର କମିସନ ୨ ଟଙ୍କା ୫୦ ପଇସା ରହିଛି। ଡିଲରମାନେ ଡିଜେଲକୁ ୩୮ ଟଙ୍କା ୫୪ ପଇସାରେ କିଣୁଛନ୍ତି। ଡିଜେଲ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବାବଦରେ ୨୫ ଟଙ୍କା ୬୫ ପଇସା ବା ମୂଳ ଦରର ୬୭ ପ୍ରତିଶତ ଟିକସ ଆକାରରେ ଦେଉଛନ୍ତି।

ସମ୍ବନ୍ଧିତ ଖବର