ଜାତି, ଧର୍ମ ଭେଦଭାବ କରେନି ପ୍ରଯୁକ୍ତି: ସୌମ୍ୟ

ଗ୍ଲୋବାଲ୍ ଅଟୋମେସନ୍ କନ୍‌କ୍ଲେଭ୍‌ ୨୦୨୨

ଭୁବନେଶ୍ବର: ଅର୍ଥନୈତିକ ବିକାଶ ଲାଗି ସାମାଜିକ ସନ୍ତୁଳନ ରହିବା ଜରୁରୀ। ଏହି ସନ୍ତୁଳନ ପ୍ରଯୁକ୍ତି ଜରିଆରେ ହାସଲ ହୋଇପାରିବ। ପ୍ରଯୁକ୍ତି କେବେ ଜାତି, ଧର୍ମକୁ ନେଇ ଭେଦଭାବ କରେନି। ସବୁ ବର୍ଗର ଲୋକଙ୍କ ପାଇଁ ତାହା ସମାନ ବୋଲି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ଟେଷ୍ଟ୍‌ ଅଟୋମେସନ୍‌ ଫୋରମ୍ ଓ ମୋସ୍‌୧୦ ଟେକ୍ନୋଲୋଜିସ୍ ପକ୍ଷରୁ ଆୟୋଜିତ ‘ଗ୍ଲୋବାଲ୍ ଅଟୋମେସନ୍ କନ୍‌କ୍ଲେଭ୍ ୨୦୨୨’‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଆଜି ଆମେ ଯେଉଁ ଆହ୍ବାନଗୁଡ଼ିକ ସାମ୍ନା କରୁ‌ଛେ, କିଛି ବର୍ଷ ପୂର୍ବେ ତାହା ଭିନ୍ନ ଥିଲା। ସେତେବେଳେ ଶ୍ରମ ଓ ପୁଞ୍ଜି ଥିଲା ସମାଜର ଦୁଇ ପ୍ରମୁଖ ଉପାଦାନ। ତୃତୀୟ ଉପାଦାନ ଭାବେ ପ୍ରଯୁକ୍ତିକୁ ବିଚାର କରାଯାଉଥିଲା। ପ୍ରଯୁକ୍ତିକୁ ଶ୍ରମର ଶତ୍ରୁ ଦୃଷ୍ଟିରେ ଦେଖାଯାଉଥିଲା। ଅତୀତରେ ଯେତେବେଳେ ବ୍ୟାଙ୍କ ସେବାରେ ପ୍ରଯୁକ୍ତିର ପ୍ରୟୋଗ ଆରମ୍ଭ ହେଲା ତାହାକୁ ବିରୋଧ କରି ସାରା ଦେଶରେ ତୀବ୍ର ଆନ୍ଦୋଳନ ହୋଇଥିଲା। ଏବେ କିନ୍ତୁ ସେକଥାକୁ ହୁଏତ ଆଜିର ପିଢ଼ି ସହଜରେ ବିଶ୍ବାସ କରିବେ ନାହିଁ ବୋଲି ସେ କହିଛନ୍ତି।

କନ୍‌କ୍ଲେଭ୍‌ରେ ଉପସ୍ଥିତ ଯୁବକଯୁବତୀଙ୍କୁ ଆହ୍ବାନ ଦେଇ ସେ କହିଛନ୍ତି ପ୍ରଯୁକ୍ତି ହେଉଛି ଏକ ଚିନ୍ତାଧାରା। ତାହାକୁ ବିକଶିତ କରିବା ଲାଗି କୌଣସି ଡିଗ୍ରି ଦରକାର ନାହିଁ। ଇଚ୍ଛ‌ାଶକ୍ତି ଓ ଉଦ୍ୟମ ବଳରେ ଯେକେହି ନୂଆ ପ୍ରଯୁକ୍ତି ବିକାଶ କରିପାରିବ। ସମୟର ବ୍ୟବହାରକୁ ପ୍ରଯୁକ୍ତି ବହୁଗୁଣିତ କରିଥାଏ ବୋଲି ସେ କହିଛନ୍ତି। ନିର୍ଦିଷ୍ଟ ଲକ୍ଷ୍ୟ ‌ନେଇ କାର୍ଯ୍ୟ କରିବା ଲାଗି ସେ ସେମାନଙ୍କୁ କହିଛନ୍ତି। ନୂଆ ପ୍ରଯୁକ୍ତିର ଆବିର୍ଭାବ ଦ୍ବାରା ପୁରୁଣା ପ୍ରଯୁକ୍ତି କିଭଳି ଅଲୋଡ଼ା ହୋଇପଡ଼େ ସେ ବିଷୟରେ ମଧ୍ୟ ଶ୍ରୀ ପଟ୍ଟନାୟକ କୋଡାକ୍‌ର ଉଦାହରଣ ଦେଇ ଆଲୋଚନା କରିଥିଲେ।

ସିପେଟ୍‌:ଏସ୍‌ଏଆର୍‌ପି-ଏଲ୍‌ଏଆର୍‌ପିଏମ୍‌ର ନିର୍ଦେଶିକା ଡ. ସ୍ମିତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ ଅଟୋମେସନ୍ ଓ ପ୍ରଯୁକ୍ତି ସମାଜରେ ପରିବର୍ତ୍ତନ ଆଣିଥାଏ। ଏଥି ସହିତ ସେ ଉପସ୍ଥିତ ଯୁବକଯୁବତୀମାନଙ୍କୁ ଉଦ୍ୟମିତା ‌କ୍ଷେତ୍ରରେ ପ୍ରବେଶ କରିବାକୁ ଆହ୍ବାନ ଦେଇଛନ୍ତି। ସ୍ମାର୍ଟୱାଚ୍‌ର ବହୁଳ ବ୍ୟବହାର ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି।

ଏହି ଅବସରରେ କନ୍‌କ୍ଲେଭ୍‌ର ସଂଯୋଜକ ତଥା ମୋସ୍‌୧୦ ଟେ‌କ୍ନୋଲୋଜିସ୍‌ର ସିଇଓ ତଥା ସହ ପ୍ରତିଷ୍ଠାତା ତ୍ରିବିକ୍ରମ ରଥ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆଗାମୀ ଦିନରେ ବାଙ୍ଗାଲୋର, ହାଇଦ୍ରାବାଦ ଭଳି ଦେଶର ପ୍ରମୁଖ ସହରରେ ଏଭଳି କନ୍‌କ୍ଲେଭ୍ ଆୟୋଜନ କରିବାର ଯୋଜନା ରହିଛି ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରଯୁକ୍ତିବିତ୍‌ ଡ. ଶ୍ରୀନିବାସନ ପଦ୍ମନାଭନ, ମନୋଜ କୁମାର ନାଗରାଜ, ସଂକଳ୍ପ କୁମାର ନାୟକ ଓ ସୁନିଲ କୁମାର ଭର୍ଚୁଆଲ୍ ମାଧ୍ୟମ‌ରେ ଯୋଡ଼ି ହୋଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଏକ କୁଇଜ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଥିଲା। ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର