ଭାରତୀୟଙ୍କ ବଡ଼ ଗାଡ଼ି ପ୍ରେମ, ବିକ୍ରି ହେଉଥିବା ଅଧା ଗାଡ଼ି ଏସ୍‌ୟୁଭି

ନୂଆଦିଲ୍ଲୀ: ଛୋଟ କାର୍‌ ପ୍ରତି ଭାରତୀୟ ଗ୍ରାହକଙ୍କ ମୋହଭଙ୍ଗ ହୋଇଥିବା ଭଳି ମନେ ହେଉଛି। ଏବେ ବଜାରରେ ବିକ୍ରି ହେଉଥିବା କାର୍‌ଗୁଡ଼ିକ ମଧ୍ୟରୁ ଅଧା ହେଉଛି ଏସ୍‌ୟୁଭି। ବଜାରରେ ବିକ୍ରି ହେଉଥିବା ପ୍ରତି ତିନିଟି ଯାତ୍ରୀବାହୀ ଯାନ ମଧ୍ୟରୁ ପ୍ରାୟ ଦୁଇଟି ଗାଡ଼ି ହେଉଛି ଏସ୍‌ୟୁଭି। ତେଣୁ ଗ୍ରାହକମାନେ ବଡ଼ ଗାଡ଼ି ପ୍ରେମ୍‌ରେ ପଡ଼ିଥିବା ଅନୁମାନ କରାଯାଉଛି। ଏସ୍‌ୟୁଭି ରାସ୍ତାରେ ଚାଲିବା ବେଳେ ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ଦମ୍‌ଦାର ମଧ୍ୟ। ଏହାକୁ ଲୋକମାନେ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରୁଥିବା ବେଳେ ଦରକାର ପଡ଼ିଲେ ପରିବାର ‌ସଦସ୍ୟଙ୍କୁ ନେଇ ଭ୍ରମଣରେ ଯାଇପାରୁଛନ୍ତି।

୨୦୨୦ ବର୍ଷ ସାରାରେ ‌ଭାରତରେ ୭,୦୭,୦୦୦ଟି ଏସ୍‌ୟୁଭି ବିକ୍ରି ହୋଇଥିଲା। ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ କିନ୍ତୁ ୫ ଲକ୍ଷରୁ ଅଧିକ ଏସ୍‌ୟୁୂଭି ବିକ୍ରି ହୋଇଛି। ଫଳରେ ଏସ୍‌ୟୁଭିର ବଜାର ଅଂଶ ଯାହା ଗତବର୍ଷ ୨୯% ଥିଲା ତାହା ୩୫%କୁ ବୃଦ୍ଧି ପାଇଛି। କେବଳ ମେ’ ମାସରେ ଯେତିକି ଯାତ୍ରୀବାହୀ ଗାଡ଼ି ବିକ୍ରି ହୋଇଛି ତାହାର ୪୮.୫% ହେଉଛି ଏସ୍‌ୟୁଭି। ଯେହେତୁ ଦେଶର ଅଧିକାଂଶ ସ୍ଥାନରେ ଲକ୍‌ଡାଉନ୍ ରହିଛି ତେଣୁ ଏହା ଭାରତୀୟ ଗାଡ଼ି ଶିଳ୍ପର ପ୍ରକୃତ ଚିତ୍ର ନୁହେଁ ବୋଲି କୁହାଯାଉଛି। ଗତବର୍ଷ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ହଟିବା ପରେ ଗାଡ଼ି ବିକ୍ରିରେ ଦ୍ରୁତ ସୁଧାର ଦେଖିବାକୁ ମିଳିଥିଲା। କିନ୍ତୁ ସବୁ ପ୍ରକାର ଗାଡ଼ି ପୂର୍ବଭଳି ବିକ୍ରି ହୋଇନଥିଲା। ଗ୍ରାହକମାନେ ବଡ଼ ଗାଡ଼ି କିଣିବା ଲାଗି ଅଧିକ ଆଗ୍ରହ ଦେଖାଇଥିଲେ। ବିଳାସପୂର୍ଣ୍ଣ କାର୍‌ ବିକ୍ରି ମଧ୍ୟ ବହୁତ ବଢ଼ିଥିଲା।

ହୁଣ୍ଡାଇ ମୋଟର ଇଣ୍ଡିଆର ନିର୍ଦେଶକ (ବିକ୍ରି ଓ ମାର୍କେଟିଂ) ତରୁଣ ଗର୍ଗ କହିଛନ୍ତି ଯେ ଭାରତରେ ଏସ୍‌ୟୁଭି ବିପ୍ଳବ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏସ୍‌ୟୁଭିର ବିକ୍ରି ଆହୁରି ବଢ଼ିବ ବୋଲି ସେ କହିଛନ୍ତି। ହୁଣ୍ଡାଇର ମୋଟ ବିକ୍ରିରେ ଏସ୍‌ୟୁଭି ଭାଗ ୪୫% ରହିଛି। ୨୦୧୫ରେ ତାହା ମାତ୍ର ୯% ଥିଲା। କଂପାନି ନିକଟରେ ଆଲ୍‌କାଜାର ନାମକ ଏସ୍‌ୟୁଭିକୁ ଉନ୍ମୋଚନ କରିଛି। ଏହାର ମୂଲ୍ୟ ୧୬ ଲକ୍ଷ ୩୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଭାରତରେ ଏହି ଗାଡ଼ିର ବୁକିଙ୍ଗ ଅଳ୍ପ କିଛି ସମୟ ଭିତରେ ୪୦୦୦ରୁ ଅଧିକ ହୋଇସାରିଲାଣି। ଏହା ହେଉଛି ଚଳିତ ବର୍ଷ କଂପାନିର ଚତୁର୍ଥ ଏସ୍‌ୟୁଭି ମଡେଲ୍‌। ଇତି ମଧ୍ୟରେ ସାଧାରଣ ଭାବେ ବ୍ୟବହାର ‌ହେଉଥିବା କାର୍‌ ବର୍ଗରେ କୌଣସି ବଡ଼ ଧରଣର ଉନ୍ମୋଚନ ଦେଖିବାକୁ ମିଳିନଥିଲା। ତେଣୁ କଂପାନିଗୁଡ଼ିକ ଏସ୍‌ୟୁଭି ଉପରେ ଅଧିକ ମନୋନିବେଶ କରୁଥିବା ବିଚାର କରାଯାଉଛି।

ମାରୁତି ସୁଜୁକିର କାର୍ଯ୍ୟନିବାହୀ ନିର୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ ୨୦୧୨ ବେଳକୁ ଏସ୍‌ୟୁଭି ସଂଖ୍ୟା ଦୁଇ ଥିଲା। ଏବେ ତାହା ୧୫ରେ ପହଞ୍ଚିଗଲାଣି। ବିଳାସପୂର୍ଣ୍ଣ କାର୍‌ ନିର୍ମାତା ମର୍ସିଡିସ୍‌-ବେଞ୍ଜ୍‌ ଚଳିତ ବର୍ଷ ଭାରତରେ ବିକିବାକୁ ଥିବା ସମସ୍ତ ୫୦ଟି ଜିଏଲ୍‌ଏସ୍‌-ମେବ୍ୟାକ୍ ବିକ୍ରି କରିସାରିଲାଣି। ଆସନ୍ତା‌ ବର୍ଷ ପାଇଁ ଏହା ଗ୍ରାହକଙ୍କ ଠାରୁ ବରାଦ ହାସଲ କରୁଛି। ମର୍ସିଡିସ୍‌-ବେଞ୍ଜ୍‌ ଇଣ୍ଡିଆର ପରିଚାଳନା ନିର୍ଦେଶକ ମାର୍ଟିନ୍ ସ୍ବାଙ୍କ୍‌ କହିଛନ୍ତି ଯେ ଲୋକମାନେ ବ୍ୟକ୍ତିଗତ ବ୍ୟବହାର ଲାଗି ବିଳାସପୂର୍ଣ୍ଣ କାର୍ କିଣୁଛନ୍ତି। ନିଜ ଏସ୍‌ୟୁଭିରେ ସହର ଭିତରେ ବୁଲାବୁଲି କରିବାକୁ ଅଧିକ ଗ୍ରାହକ ପସନ୍ଦ କରୁଛନ୍ତି। ଆରାମଦାୟକ ଯାତ୍ରା ଓ ସୁରକ୍ଷା ମଧ୍ୟ ଏହାର ଅନ୍ୟତମ କାରଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର