ଇସ୍ପାତ କ୍ଷେତ୍ରର କ୍ଷୁଦ୍ର ସଂସ୍ଥା ପୁନରୁଦ୍ଧାରକୁ ଗୁରୁତ୍ବ

ଭୁବନେଶ୍ବର : ଇସ୍ପାତ କ୍ଷେତ୍ର ସହ ଜଡ଼ିତ ଥିବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ପୁନରୁଦ୍ଧାର ଲାଗି କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ କହିଛନ୍ତି। ସିଆଇଆଇ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ୍ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ କ୍ଷୁଦ୍ର ସଂସ୍ଥାଗୁଡ଼ିକୁ ପୁନରୁଦ୍ଧାର କରିବା ଲାଗି ସରକାର ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଇସ୍ପାତ ମୂଲ୍ୟରେ ହୋଇଥିବା ବୃଦ୍ଧି ସମ୍ପର୍କରେ ସେ କହିଛନ୍ତି ଯେ କରୋନା ମହାମାରୀ ବ୍ୟାପିବା ପରଠାରୁ ଦେଶ ଭିତରେ ଇସ୍ପାତ ମୂଲ୍ୟ ବହୁତ ବଢ଼ିଛି। ଚଳିତ ଆର୍ଥିକ ବର୍ଷରେ ମଧ୍ୟ ସେହି ଧାରା ଜାରି ରହିଛି। ଇସ୍ପାତ କ୍ଷେତ୍ରରେ ପୁରୁଣା କାରଖାନାଗୁଡ଼ିକର ଆଧୁନିକୀକରଣ ଓ ଉନ୍ନତି ଆଣି ସେଗୁଡ଼ିକର ଦକ୍ଷତା ବଢ଼ାଇବା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଛନ୍ତି।

ଏହି ଅବସରରେ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରଶିକା ଚୌବେ ଇସ୍ପାତ ଲକ୍ଷ୍ୟ: ୨୦୩୦ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ସିଆଇଆଇ-ପୂର୍ବାଞ୍ଚଳର ଅଧ୍ୟକ୍ଷ ଶଶିଶେଖର ମହାନ୍ତି, ଉପାଧ୍ୟକ୍ଷ ତଥା ଜେଏସ୍‌ଡବ୍ଲୁ (ଓଡ଼ିଶା ଖଣି ପ୍ରକଳ୍ପ)ର ସିଓଓ ରଞ୍ଜନ ନାୟକ, ନାଲ୍‌କୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର, ଜେଏସ୍‌ପିଏଲ୍‌ର ଏମ୍‌ଡି ଭି ଆର୍‌ ବର୍ମା, ସିଆଇଆଇ ଝାଡ଼ଖଣ୍ଡର ସଂଯୋଜକ ସୋମେଶ ବିଶ୍ବାସ, ଟାଟା ଷ୍ଟିଲ୍ ମାଇନିଂର ଏମ୍‌ଡି ଏମ୍‌ ସି ଥୋମାସ, ଏମ୍‌ସିଏଲ୍‌ର ନିର୍ଦେଶକ କେଶବ ରାଓ, ଓଏମ୍‌ସିର ନିର୍ଦେଶକ (ଖଣି) ସବ୍ୟସାଚୀ ମହାନ୍ତି, ବେଦାନ୍ତର ସିଓଓ (ଧାତବ) ଦୀପକ ପ୍ରସାଦ ଓ କେପିଏମ୍‌ଜି ଆଡ୍‌ଭାଇଜରିର ବିଦ୍ୟୁତ ଚକ୍ରବର୍ତୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର