କାମଧନ୍ଦା ଖୋଜିବା ଛାଡ଼ିଦେଲେଣି ଭାରତୀୟ: ୯୦ କୋଟି ଲୋକଙ୍କ ମଧ୍ୟରୁ ଅଧିକାଂଶ ନିରାଶ

ଆମେରିକା ଓ ରୁଷ୍‌ ଜନସଂଖ୍ୟା ସହ ସମାନ

ନୂଆଦିଲ୍ଲୀ: ନୂଆ ନିଯୁକ୍ତି ସୃଷ୍ଟି ହେଉନି। ସଠିକ୍ ପ୍ରକାର ଚାକିରି ମିଳୁନି। ସେଥିପାଇଁ ଭାରତର ୯୦ କୋଟି ଶ୍ରମ ଶକ୍ତିଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ଚାକିରି ଖୋଜିବା ବନ୍ଦ କରିଦେଇଛନ୍ତି। ସେମାନଙ୍କ ସଂଖ୍ୟା ଆମେରିକା ଓ ରୁଷ୍‌ର ଜନସଂଖ୍ୟା ସହ ସମାନ। ସେମାନେ ଆଉ ନିଜ ପାଇଁ ଚାକିରି ଖୋଜୁନାହାନ୍ତି। ଚାକିରି ଖୋଜି ନପାଇବାରୁ ସେ ନିରାଶ ହୋଇପଡ଼ିଛନ୍ତି। ବିଶେଷ କରି ମହିଳାମାନେ ଶ୍ରମ ଶକ୍ତିରୁ ଦୂରେଇ ଯାଉଛନ୍ତି ବୋଲି ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ୨୦୧୭ରୁ ୨୦୨୨ ଭିତରେ ଦେଶର ନିଯୁକ୍ତି କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ଯାହା ୪୬% ଥିଲା ତାହା ୪୦ ପ୍ରତିଶତକୁ ହ୍ରାସ ପାଇଛି। ପ୍ରାୟ ୨.୧ କୋଟି ମହିଳା ଶ୍ରମ ଶକ୍ତିରୁ ବାହାରି ଯାଇଛନ୍ତି। ‌ଫଳରେ, ନିଯୁକ୍ତି ପାଇବାକୁ ଚାହୁଥିବା ଯୋଗ୍ୟ ଲୋକ ସଂଖ୍ୟା ମାତ୍ର ୯ ପ୍ରତିଶତ ରହିଯାଇଛି। ଭାରତର ଦୁଇ ତୃତୀୟାଂଶ ଜନସଂଖ୍ୟାର ବୟସ ୧୫ରୁ ୬୪ ବର୍ଷ ମଧ୍ୟରେ ରହିଛି। ଯେଉଁ କିଛି ଚାକିରି ବାହାରୁଛି ସେଥିପାଇଁ ବହୁ ସଂଖ୍ୟକ ପ୍ରାର୍ଥୀ ଆବେଦନ କରୁଛନ୍ତି। ସ୍ଥାୟୀ ସରକାରୀ ପଦର ନିଯୁକ୍ତି ବାହାରିଲେ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀଙ୍କ ସମେତ ନିୟୁତାଧିକ ଆବେଦନ ଆସୁଛି। ଚାକିରି ଖୋଜୁଥିବା ଲୋକମାନଙ୍କ ପାଇଁ ୨୦୩୦ ସୁଦ୍ଧା ଅତିକମ୍‌ରେ ୯୦ ନିୟୁତ ଅଣ ଚାଷ ନିଯୁକ୍ତି ଦରକାର। ମ୍ୟାକିନ୍‌ସେ ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏକ ରିପୋର୍ଟରେ ଏଭଳି ଆକଳନ କରାଯାଇଥିଲା। ସେଥିପାଇଁ ଜିଡିପିରେ ବାର୍ଷିକ ୮ରୁ ୮.୫% ଅଭିବୃଦ୍ଧି ଦରକାର।

ଯୁବ ଜନସଂଖ୍ୟାକୁ ଭାରତର ସବୁଠୁ ବଡ଼ ଶକ୍ତି ଭାବେ ବିଚାର କରାଯାଉଥିଲା। ମାତ୍ର ସେମାନଙ୍କୁ ସଠିକ୍ ନିଯୁକ୍ତି ଯୋଗାଇବାରେ ସରକାର ବିଫଳ ହୋଇଥିବାରୁ ତାହା ଦେଶର ଅଭିବୃଦ୍ଧିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏବେ ଭାରତ ପାଖରେ ବିଶ୍ବର ସବୁଠୁ ବିକାଶଶୀଳ ଦେଶର ଯେଉଁ ମାନ୍ୟତା ରହିଛି ତାହା ଅଧିକ ଦିନ ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯୁବପିଢ଼ିଙ୍କୁ ଠିକ୍ ଭାବେ ପରିଚାଳନା କରିନପାରିଲେ ଭାରତ ନିମ୍ନ ଆୟବର୍ଗର ଦେଶ ହୋଇଯିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଯୁବ ଜନସଂଖ୍ୟାର ଯେଉଁ ଶକ୍ତି ଭାରତ ପାଖରେ ରହିଛି ତାହା ଆଉ କିଛି ବର୍ଷ ପରେ ହଜିଯିବ। ଏବେ ଯୁବାବସ୍ଥାରେ ଥିବା ଲୋକମାନେ ବୟସ୍କ ହୋଇଯିବେ କିନ୍ତୁ ଧନୀ ହୋଇପାରିବେନି। ତାହା ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି।

କୁହାଯାଉଛି ଯେ ୨୦୧୬ରେ ବିମୁଦ୍ରୀକରଣ ଘୋଷଣା ହେବା ଓ ତାହାର ଗୋଟିଏ ବର୍ଷ ପରେ ୨୦୧୭ରେ ତରବରିଆ ଭାବେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରାଯିବାରୁ ଅର୍ଥନୀତିକୁ ବଡ଼ ଧକ୍କା ଲାଗିଛି। ‌ତା’ପରଠାରୁ ନିଯୁକ୍ତି ବଜାର ମନ୍ଥର ହୋଇଯାଇଛି। ମହାମାରୀ ପରେ ଏହି ସମସ୍ୟା ବହୁଗୁଣିତ ହୋଇପଡ଼ିଛି। ବେକାର ଥିବା ଅଧିକାଂଶ ଭାରତୀୟ ହେଉଛନ୍ତି ଛାତ୍ରଛାତ୍ରୀ ଅଥବା ଗୃହିଣୀ। ସେମାନେ ଭଡ଼ାରୁ ହେଉଥିବା ଆୟ, ଘରର ବୟସ୍କଙ୍କ ପେନ୍‌ସନ୍ ଓ ସରକାର ଦେଉଥିବା ଆର୍ଥିକ ସହାୟତା ଉପରେ ନିର୍ଭରଶୀଳ ରହିଛନ୍ତି। ପ୍ରଯୁକ୍ତିରେ ଦ୍ରୁତ ପରିବର୍ତ୍ତନ ହେଉଥିବା ସମୟରେ ସେମାନେ ଚାକିରି ପାଇବା ପାଇଁ ଦରକାର ଦକ୍ଷତା ହାସଲ କରିବାରେ ବିଫଳ ହୋଇଛନ୍ତି। ଦେଶର ଜନସଂଖ୍ୟାରେ ୪୯ ପ୍ରତିଶତ ମହିଳା ହୋଇଥିବା ବେଳେ ସୁରକ୍ଷା ଓ ଘରେ ଅଧିକ ସମୟ କାମ କରିବାକୁ ପଡ଼ୁଥିବାରୁ ଅଧିକାଂଶ ମହିଳା ନିଯୁକ୍ତି କ୍ଷେତ୍ରରେ ପ୍ରବେଶ କରିପାରୁନାହାନ୍ତି। ମାତ୍ର ୧୮ ପ୍ରତିଶତ ମହିଳା ଅର୍ଥନୈତିକ ଉତ୍ପାଦନରେ ଯୋଗଦାନ ଦେଉଛନ୍ତି ଯାହା ବିଶ୍ବ ହାର ତୁଳନାରେ ଅଧା।

ସମ୍ବନ୍ଧିତ ଖବର