ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହ ଏଚ୍‌ଡିଏଫ୍‌ସିର ମିଶ୍ରଣ: ଦେଶର ଦ୍ବିତୀୟ ବଡ଼ ସଂସ୍ଥା ଭାବେ ଉଭା ହେବ

ମୁଁ ଦୁଇ ରାତି ଶୋଇପାରି ନଥିଲି: ଅଧ୍ୟକ୍ଷ

ମୁମ୍ବାଇ: ଦେଶର ବଡ଼ ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଆହୁରି ବଡ଼ ହେବାକୁ ଯାଉଛି। ଯେଉଁ ମାଲିକାନା ସଂସ୍ଥା ଏହାକୁ ସ୍ଥାପନ କରିଥିଲା ସେହି ହାଉସିଂ ଫାଇନାନ୍ସ କଂପାନି ଏଚ୍‌ଡିଏଫ୍‌ସି ଏହା ଅଧୀନକୁ ଆସିବ। ଉଭୟ ସଂସ୍ଥା ମଧ୍ୟରେ ମିଶ୍ରଣ ହେବ ବୋଲି ଆଜି ଘୋଷଣା କରାଯାଇଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୪୨ଟି ସେୟାର ବଦଳରେ ଏଚ୍‌ଡିଏଫ୍‌ସିର ୨୫ଟି ସେୟାର ଆଧାରରେ ଏହି ମିଶ୍ରଣ ହେବ। ଉଭୟ ସଂସ୍ଥାର ମିଶ୍ରଣରେ ଯେଉଁ ନୂଆ ସଂସ୍ଥା ସ୍ଥାପନ ହେବ ସେଥିରେ ଏଚ୍‌ଡିଏଫ୍‌ସିର ୪୧% ଅଂଶଧନ ରହିବ। ଏଚ୍‌ଡିଏଫ୍‌ସି ଅଧୀନରେ ୬.୨୩ ଲକ୍ଷ କୋଟି ଟଙ୍କା ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅଧୀନରେ ୧୯.୩୮ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏଚ୍‌ଡିଏଫ୍‌ସି ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମିଶ୍ରଣରୁ ଯେଉଁ ସଂସ୍ଥା ସୃଷ୍ଟି ହେବ ତାହା ଦେଶର ଦ୍ବିତୀୟ ବଡ଼ କଂପାନି ଭାବେ ଉଭା ହେବ। ଦ୍ବିତୀୟ ସ୍ଥାନରେ ଥିବା ଟିସିଏସ୍‌କୁ ଏହା ପଛରେ ପକାଇଦେବ। ଏହି ମିଶ୍ରଣକୁ ଭାରତୀୟ ବ୍ୟାଙ୍କିଙ୍ଗ୍‌ ଶିଳ୍ପର ଅନ୍ୟତମ ବଡ଼ ମିଶ୍ରଣ ବୋଲି କୁହାଯାଉଛି। ମିଶ୍ରଣ ପରେ ଏହି ସଂସ୍ଥା ଦେଶର ଆଇସିଆଇସିଆଇ ବ୍ୟାଙ୍କ ଠାରୁ ଦୁଇ ଗୁଣା ବଡ଼ ହୋଇଯିବ। ଏହି ଅବସରରେ ଏଚ୍‌ଡିଏଫ୍‌ସିର ଅଧ୍ୟକ୍ଷ ଦୀପକ ପାରେଖ କହିଛନ୍ତି ଯେ ମିଶ୍ରଣରେ ଗଠିତ ହେବାକୁ ଥିବା ସଂସ୍ଥାର କେହି ପ୍ରମୋଟର ରହିବେ ନାହିଁ। ତାହା ସମ୍ପୂର୍ଣ୍ଣ ରୂପେ ପବ୍ଲିକ୍ କଂପାନିରେ ପରିଣତ ହେବ। ଅଂଶଧନକାରୀମାନେ ସଂସ୍ଥାର ମାଲିକ ହେବେ। ମିଶ୍ରଣ ଘୋଷଣାର ଚାପ ଏତେ ଅଧିକ ଥିଲା ଯେ ମୁଁ ଦୁଇ ରାତି ଶୋଇପାରିନଥିଲି ବୋଲି ଦୀପକ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ପୁଅ ବଡ଼ ହୋଇଯାଏ, ସେ ବାପର ବ୍ୟବସାୟକୁ ସମ୍ଭାଳିଥାଏ। ଆମର ମିଶ୍ରଣ ସେହି ଅନୁସାରେ ହୋଇଛି।

ଆଇସିଆଇସିଆଇ ପକ୍ଷରୁ ଏଚ୍‌ଡିଏଫ୍‌ସିକୁ ପ୍ରତିଷ୍ଠା କରାଯାଇଥିଲା। ଋଣ ନେଇ ଲୋକମାନେ ଯେଭଳି ସୁବିଧାରେ ଘର କିଣିପାରିବେ ସେହି ଲକ୍ଷ୍ୟ ନେଇ ଏହି ସଂସ୍ଥା ସ୍ଥାପନ କରାଯାଇଥିଲା। ଆଇସିଆଇସିଆଇ ପକ୍ଷରୁ ଉଦ୍ୟୋଗ ଜଗତକୁ ଋଣ ଦେବା ଉପରେ ଗୁରୁତ୍ବ ଦିଆଯାଉଥିଲା। ଫୋର୍ଡ ଫାଉଣ୍ଡେସନରୁ ମିଳିଥିବା ଅନୁଦାନକୁ ନେ ଆଇସିଆଇସିଆଇକୁ ଗଠନ କରାଯାଇଥିଲା। ମାତ୍ର ନବେ ଦଶକରେ ଯେତେବେଳେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଲାଇସେନ୍ସ ଦିଆଗଲା ସେହି ସମୟରେ ଏଚ୍‌ଡିଏଫ୍‌ସି ଓ ଆଇସିଆଇସିଆଇକୁ ଅଲଗା ବ୍ୟାଙ୍କ ଆରମ୍ଭ କରିବାକୁ କୁହାଯାଉଥିଲା। ଏହା ପରେ ଉଭୟ ସଂସ୍ଥା ବ୍ୟାଙ୍କ କାରବାରରେ ଆଗକୁ ବଢ଼ିଥିଲେ। ୨୦୦୨ରେ ଆଇସିଆଇସିଆଇ ବ୍ୟାଙ୍କ ସହ ଆଇସିଆଇସିଆଇର ମିଶ୍ରଣ ହୋଇଥିଲା। ବହୁ ବର୍ଷ ପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହ ଏଚ୍‌ଡିଏଫ୍‌ସିର ମିଶ୍ରଣ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର