ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଦୁଇ ଶିଳ୍ପପତି କଥା କଟାକଟି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ଦେଶର ଦୁଇ ଜଣ ଶିଳ୍ପପତି କଥା କଟାକଟି ହୋଇଛନ୍ତି। ଗତ ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବ୍ୟବସାୟୀମାନଙ୍କ ଏକ ସମ୍ମିଳନୀରେ ଏହି ଘଟଣା ଘଟିଥିଲା। ସେଥିରେ ୪୧ ଜଣ ଶିଳ୍ପପତି ଉପସ୍ଥିତ ଥିଲେ। ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌କୁ ନେଇ ଆଲୋଚନା ଆରମ୍ଭ ହେବା ପରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ମୁଖ୍ୟ କୁମାର ମଙ୍ଗଳମ୍‌ ବିର୍ଲା ଓ ପିରାମଲ୍‌ ଗ୍ରୁପ୍‌ର ଅଜୟ ପିରାମଲ୍‌ଙ୍କ ଭିତରେ କଥା କଟାକଟି ହୋଇଥିଲା। ସେମାନଙ୍କ ସବୁ କଥାକୁ ପ୍ରଧାନମନ୍ତ୍ରୀ ଶୁଣିଥିଲେ। କିନ୍ତୁ କୌଣସି ଟିପ୍ପଣୀ କରିନଥିଲେ। ଅଜୟ ପିରାମଲ୍‌ କହିଥିଲେ ଯେ ଏନ୍‌ସିଏଲ୍‌ଟିରେ ଦେବାଳିଆ ମାମଲାର ଶୁଣାଣି ଚାଲିଥିବା ବେଳେ ଯେଉଁ କଂପାନିଗୁଡ଼ିକ ଦୌଡ଼ରୁ ବାଦ ପଡ଼ୁଛନ୍ତି ସେମାନେ ଅନ୍ୟ ଉପାୟ ଅବଲମ୍ବନ କରି ପୁଣି ଥରେ ଦୌଡ଼ରେ ସାମିଲ ହେଉଛନ୍ତି। ଏହାର ଜବାବରେ ବିର୍ଲା କହିଥିଲେ ଯେ ଏନ୍‌ସିଏଲ୍‌ଟି ପ୍ରକ୍ରିୟାରେ ଯେଉଁ ସଂସ୍ଥା ସର୍ବୋଚ୍ଚ ବିଡ୍‌ ଦାଖଲ କରିବ, ସେ ବିଜୟୀ ହେବ। ଏହି ଦୁଇ ଶିଳ୍ପପତିଙ୍କ ମଧ୍ୟରେ ଏଭଳି କଥା କଟାକଟି ଚାଲିଥିବା ବେଳେ ସମ୍ମିଳନୀରେ ଉପସ୍ଥିତ ଥିବା ଅନ୍ୟ ଶିଳ୍ପପତିମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏଭଳି କଥା କଟାକଟିକୁ ଅନେକ ସିଇଓ ସହଜରେ ଗ୍ରହଣ କରିପାରିନଥିଲେ। ଉଲ୍ଲେଖଯୋଗ୍ୟ, ବିନାନି ସିମେଣ୍ଟ୍‌କୁ ନେଇ ଏନ୍‌ସିଏଲ୍‌୍‌ଟିରେ ବିର୍ଲା ଓ ପିରାମଲ୍‌ଙ୍କ କଂପାନି ମଧ୍ୟରେ ଲଢ଼େଇ ଚାଲିଛି।

ସମ୍ବନ୍ଧିତ ଖବର