ନିଲାମ ହୋଇପାରିଲାନି ଓଡ଼ିଶାର ୨ କୋଇଲା ଖଣି, ଦ୍ବିତୀୟ ଉଦ୍ୟମ ବିଫଳ

ଗୋଟିଏ ବି ବିଡ୍ ଆସିଲାନି

ନୂଆଦିଲ୍ଲୀ: ଓଡ଼ିଶାର ଦୁଇଟି କୋଇଲା ଖଣି ଛେଣ୍ଡିପଦା, ଛେଣ୍ଡିପଦା-୨ କୋଇଲା ଖଣିକୁ ନିଲାମ କରିବାର ଦ୍ବିତୀୟ ଉଦ୍ୟମ ମଧ୍ୟ ବିଫଳ ହୋଇଛି। ନିଲାମ ପାଇଁ ଚାରିଟି ଖଣି ଉପଲବ୍ଧ ଥିଲା। ଏହି ସବୁ ଖଣି ପ୍ରଥମ ପର୍ଯ୍ୟାୟ ନିଲାମରେ ବିକ୍ରି ହୋଇପାରିନଥିଲା। ତେଣୁ ‌କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ତରଫରୁ ପୁନର୍ବାର ସେଗୁଡ଼ିକୁ ବିକ୍ରି ପାଇଁ ଉଦ୍ୟମ କରାଯାଇଥିଲା। ସର୍ତ୍ତାବଳୀରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନଥିଲା। ୨୦୨୦ ଡିସେମ୍ବରରେ ଏଥିପାଇଁ ବିଡ୍ ଆହ୍ବାନ କରାଯାଇଥିଲା। ବୈଷୟକି ବିଡ୍‌ ଦାଖଲ କରିବାର ଶେଷ ତାରିଖ ଥିଲା ୨୦୨୧ ଜାନୁଆରି ୨୭। ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଆସିଥିବା ବିଡ୍‌ଗୁଡ଼ିକୁ ଆଜି ନୂଆଦିଲ୍ଲୀର ଶାସ୍ତ୍ରୀ ଭବନରେ ଥିବା କୋଇଲା ମନ୍ତ୍ରଣାଳୟରେ ଦିନ ୧୨ଟାରେ ଖୋଲାଯାଇଥିଲା। ବିଡ୍‌ ଦାଖଲ କରିଥିବା ସଂସ୍ଥାର ପ୍ରତିନିଧିମାନେ ସେଠା‌ରେ ଉପସ୍ଥିତ ଥିଲେ।

ନିଲାମରେ ଉପଲବ୍ଧ ଥିବା ଚାରିଟି ଖଣିରୁ ମାତ୍ର ଗୋଟିଏ ଖଣି ପାଇଁ ଗୋଟିଏ ବିଡ୍‌ ଆସିଥିବା ବେଳେ ଅନ୍ୟ ତିନିଟି ଖଣି ନେବାକୁ କୌଣସି ସଂସ୍ଥା ଆଗ୍ରହ ଦେଖାଇ ନଥିବା ଜଣାପଡ଼ିଛି। କେବଳ କୋରାଲୋଇ (ଏ) ଖଣି ପାଇଁ ଗୋଟିଏ ବିଡ୍ ଆସିଛି। ଛେଣ୍ଡିପଦା, ଛେଣ୍ଡିପଦା-୨ ଓ ସେରେଗଡ଼ କୋଇଲା ଖଣି ପାଇଁ ଗୋଟିଏ ବି ସଂସ୍ଥା ବିଡ୍‌ ଦାଖଲ କରିନାହାନ୍ତି। ସେରଗଡ଼ କୋଇଲା ଖଣି ଝାଡ଼ଖଣ୍ଡରେ ରହିଛି।

ସମ୍ବନ୍ଧିତ ଖବର