ପେଟ୍ରୋଲ, ଡିଜେଲରୁ ଭାଟ୍‌ କମାଇଲେ ୨ ରାଜ୍ୟ

ମୁମ୍ବାଇ: ପେଟ୍ରୋଲ ଏବଂ ଡିଜେଲ ଉପରୁ ଦୁଇଟି ରାଜ୍ୟ ଭାଟ୍‌ ବା ମୂଲ୍ୟଯୁକ୍ତ ଟିକସ ହ୍ରାସ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଗୁଜରାଟ ପେଟ୍ରୋଲ ଏବଂ ଡିଜେଲ ଉପରୁ ୪ ପ୍ରତିଶତ ଭାଟ୍‌ କମାଇଛି। ଫଳରେ ଆଜି ମଧ୍ୟରାତ୍ରରୁ ଗୁଜରାଟରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ୯୩ ପଇସା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ୭୨ ପଇସା ହ୍ରାସ ଘଟିଛି।  ମଧ୍ୟରାତ୍ରରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ସେହିଭଳି ଗୁଜରାଟ ପରେ ମହାରାଷ୍ଟ୍ର ସରକାର ଭାଟ୍‌ କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଲିଟର ପିଛା ୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧ ଟଙ୍କା ଭାଟ୍‌ କମାଇବାକୁ ମହାରାଷ୍ଟ୍ର କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ଲିଟର ପିଛା ୨ ଟଙ୍କା ହ୍ରାସ କରିବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟଗୁଡ଼ିକୁ ୫ ପ୍ରତିଶତ ଭାଟ୍‌ କମାଇବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଅନେକ ରାଜ୍ୟ ରାଜି ନାହାନ୍ତି।

ସମ୍ବନ୍ଧିତ ଖବର