୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ଟିକସମୁକ୍ତ

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ଟିକସମୁକ୍ତ ଗ୍ରାଚ୍ୟୁଇଟି ରାଶି ଦୁଇଗୁଣ କରିବା ସଂକ୍ରାନ୍ତ ବିଲ୍‌ ଆଜି ଲୋକସଭାରେ ଗୃହୀତ ହୋଇଛି। ଏବେ ଏହି କର୍ମଚାରୀମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ରାଶି ଉପରେ କୌଣସି ଟିକସ ଦେବାକୁ ପଡ଼ୁ ନଥିବାବେଳେ ନୂଆ ବିଲ୍‌ ଆଇନରେ ପରିଣତ ହେଲେ କର୍ମଚାରୀମାନଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ରାଶି ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ବିଲ୍‌ଟି ଲୋକସଭାରେ ଗୃହୀତ ହୋଇସାରିଥିବାରୁ ଏବେ ଏହାକୁ ରାଜ୍ୟସଭାକୁ ପଠାଯିବ।

ଉଲ୍ଲେଖଯୋଗ୍ୟ ଯେ ସପ୍ତମ ବେତନ ଆୟୋଗ ସୁପାରିସ କାର୍ଯ୍ୟକାରୀ ହେବା ପରେ ସରକାରୀ କର୍ମଚାରୀମାନଙ୍କ ପାଇଁ ଟିକସମୁକ୍ତ ଗ୍ରାଚ୍ୟୁଇଟି ରାଶି ସୀମା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସରକାରୀ କର୍ମଚାରୀଙ୍କୁ ଏହି ସୁବିଧା ମିଳିବା ପରେ ବିଭିନ୍ନ ଶ୍ରମିକ ସଂଗଠନ ଗୁଡ଼ିକ ଘରୋଇ କ୍ଷେତ୍ରର କର୍ମଚାରୀମାନଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ ଲାଗି ଦାବି କରି ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ଗ୍ରାଚ୍ୟୁଇଟି ପ୍ରଦାନ ଆଇନରେ ସଂଶୋଧନ ଆଣିଛନ୍ତି। ୧୦ ବା ତଦୂର୍ଦ୍ଧ କର୍ମଚାରୀ କାର୍ଯ୍ୟ କରୁଥିବା ଘରୋଇ ସଂସ୍ଥାରେ ଜଣେ ନିରବଚ୍ଛିନ୍ନ ଭାବେ ଅତିକମ୍‌ରେ ୫ ବର୍ଷ ଚାକିରି କରିଥିଲେ ଏହି ଆଇନ ପରିସରରେ ଆସିବେ।

ସମ୍ବନ୍ଧିତ ଖବର