ଏୟାର ଇଣ୍ଡିଆ କିଣି ଫସିଗଲା କି ଟାଟା ? ଯାତ୍ରୀଙ୍କୁ ୯୮୦ କୋଟି ଟଙ୍କା ଫେରସ୍ତ ପାଇଁ ଆମେରିକାର ନିର୍ଦ୍ଦେଶ

ନୂଆଦିଲ୍ଲୀ : ବୋଧହୁଏ ଏୟାର ଇଣ୍ଡିଆକୁ କିଣି ଫସିଯାଇଛି ଟାଟା । କାରଣ ପୂର୍ବରୁ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ହୋଇଥିବା କୁପରିଚାଳନା ଓ ଅନିୟମିତତାର କୁଫଳ ଏବେ ଭୋଗୁଛି ଟାଟା । କୋଭିଡ୍ ମହାମାରୀ ସମୟରେ ବାତିଲ ହୋଇଥିବା କିମ୍ବା ବିଳମ୍ବ ହୋଇଥିବା ଫ୍ଲାଇଟର ଯାତ୍ରୀମାନଙ୍କୁ ଭଡ଼ା ଫେରସ୍ତ ବାବଦରେ ୧୨୧.୫ ନିୟୁତ ଡଲାର ( ଭାରତୀୟ ମୁଦ୍ରାରେ ୯୮୦ କୋଟି ଟଙ୍କା) ଓ ଜୋରିମାନା ବାବଦରେ ୧.୪ ନିୟୁତ ଡଲାର ( ୧୧ କୋଟି ଟଙ୍କା) ପ୍ରଦାନ ପାଇଁ ଆମେରିକାର ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି ।

କେବଳ ଏୟାର ଇଣ୍ଡିଆ ନୁହେଁ ମୋଟ ୬ଟି ଅନ୍ତର୍ଜାତୀୟ ଏୟାରଲାଇନ୍ସଙ୍କୁ ମୋଟ ୬୦୦ ନିୟୁତ ଡଲାର ପ୍ରଦାନ ପାଇଁ ଏହି ବିଭାଗ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ଏୟାରଲାଇନ୍ସଙ୍କ ମଧ୍ୟରେ ଅଛନ୍ତି ଫ୍ରଣ୍ଟିଅର, ଟାପ୍ ପର୍ତ୍ତୃଗାଲ,ଏରୋ ମେକ୍ସିକୋ, ଆଭିଆଙ୍କା ।

କରୋନା ମହାମାରୀ ସମୟରେ ଅନେକ ଫ୍ଲାଇଟ ବାତିଲ ହୋଇଥିଲା କିମ୍ବା ସମୟ ପରିବର୍ତ୍ତନ ହୋଇଥିଲା । ଏହା ଦ୍ବାରା ଟିକେଟ୍ କାଟିଥିବା ଅନେକ ଯାତ୍ରୀ କ୍ଷତି ସହିବା ସହ ସମସ୍ୟାରେ ପଡ଼ିଥିଲେ । ଏହା ସତ୍ତ୍ବେ ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀମାନଙ୍କୁ ଟିକେଟ୍ ବାବଦ ଅର୍ଥ ଫେରସ୍ତ କରାଯାଇନଥିବା କିମ୍ବା ବିଳମ୍ବରେ ଫେରସ୍ତ କରାଯାଇଥିଲା । ଏୟାର ଇଣ୍ଡିଆର ନିୟମ ଅନୁସାରେ ଯାତ୍ରୀ  ଅନୁରୋଧ କଲେ ହିଁ ଫେରସ୍ତ ମିଳିବ ( ଅର୍ଥାତ ଜଣେ ଯାତ୍ରୀ ଅନୁରୋଧ ନ କଲେ ଆପେ ଆପେ ଫେରସ୍ତ ମିଳିବ ନାହିଁ ) । ଏହା ସତ୍ତ୍ବେ ୧୯୦୦ ଜଣ ଯାତ୍ରୀଙ୍କ ଫେରସ୍ତ ଆବେଦନକୁ ୧୦୦ ଦିନ ପରେ ବି ଫେରସ୍ତ ଦିଆଯାଇନଥିଲା । ପୁଣି ଏସବୁ ଘଟଣା ଟାଟା ଦ୍ବାରା ଏୟାର ଇଣ୍ଡିଆ ଅଧିଗ୍ରହଣ ପୂର୍ବରୁ ହୋଇଥିଲା ।

କିନ୍ତୁ ଆମେରିକା ସରକାରଙ୍କ ନିୟମ ଅନୁସାରେ ଏୟାରଲାଇନ୍ସମାନେ ଫେରସ୍ତ ଦେବାକୁ ବାଧ୍ୟ । ଏଣୁ ଆମେରିକାର ପରିବହନ ବିଭାଗ ଏୟାର ଇଣ୍ଡିଆ ଓ ଅନ୍ୟମାନଙ୍କ ଉପରେ ଏହି ନିର୍ଦ୍ଦେଶ ଜାରି କରିଛି ।

 

ସମ୍ବନ୍ଧିତ ଖବର