ଭିଡିଓକନ୍‌ ଋଣ ବିବାଦ: ସିବିଆଇ ଆରମ୍ଭ କଲା ଖୋଳତାଡ଼

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ଏମ୍‌ଡିି ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଖୋଳତାଡ଼ ଆରମ୍ଭ କରିଛି। ଏହି ମାମଲାରେ ସିବିଆଇ ଦୀପକ କୋଚ୍ଚରଙ୍କ ସମେତ ଭିଡିଓକନ୍‌ର କେତେଜଣ ଅଧିକାରୀ ଓ ଅନ୍ୟମାନଙ୍କ ବିରୋଧରେ ପ୍ରାରମ୍ଭିକ ଅନୁସନ୍ଧାନ (ପ୍ରିଲିମିନାର ଏନ୍‌କ୍ୱାରି) ଆରମ୍ଭ କରିଛି। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମଞ୍ଜୁର କରା ଯାଇଥିବା ଋଣରେ କୌଣସି ପ୍ରକାର ଭୁଲ କାର୍ଯ୍ୟ କରାଯାଇଛି କି ନାହିଁ ସେ ନେଇ ନିଶ୍ଚିତ ହେବା ଲାଗି ସିବିଆଇ ଏହି ଯାଞ୍ଚ ଆରମ୍ଭ କରିଛି। ସିବିଆଇ ଏହି ମାମଲାରେ ଖୁବ୍‌ଶୀଘ୍ର ଦୀପକ କୋଚ୍ଚର ଓ ଆଇସିଆଇସିଆଇ ବ୍ୟାଙ୍କର କେତେଜଣ ଅଧିକାରୀଙ୍କୁ ପଚରାଉଚୁରା ପାଇଁ ଡାକିବ ବୋଲି ଜଣାଯାଇଛି। ଆଇସିଆଇସିଆଇ ବ୍ୟାଙ୍କ ସମେତ ଅନ୍ୟ କେତେକ ବ୍ୟାଙ୍କ ମିଶି ୨୦୧୨ ମସିହାରେ ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ପ୍ରଦାନ କରିଥିଲେ। ତେବେ ଏହି ମାମଲାରେ ବ୍ୟାଙ୍କର ପଦପଦବିରେ ରହି ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରିଥିବାର ପ୍ରଶ୍ନ ଉଠିଥିଲେ ମଧ୍ୟ ସିବିଆଇର ପ୍ରାରମ୍ଭିକ ଅନୁସନ୍ଧାନରେ ଆଇସିଆଇସିଆଇ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ନାମ ନାହିଁ। ତେବେ ଏହି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର କେତେଜଣ ଅଧିକାରୀଙ୍କୁ ପଚରାଉଚୁରା କରାଯାଇଛି ବୋଲି ଜଣାଯାଇଛି। ଋଣ ମଞ୍ଜୁର ସମୟରେ ଦାଖଲ ହୋଇଥିବା କାଗଜପତ୍ର ଏବଂ ଅନ୍ୟାନ୍ୟ ଦସ୍ତାବିଜକୁ ସିବିଆଇ ଏବେ ଅନୁଧ୍ୟାନ କରୁଛି। ଯଦି ଏଥିରେ କୌଣସି ଭୁଲ କାର୍ଯ୍ୟ ହୋଇଥିବାର ପ୍ରମାଣ ମିଳେ ତାହେଲେ ଚନ୍ଦା କୋଚ୍ଚର, ବିଜୟ କୋଚ୍ଚର ଏବଂ ଅନ୍ୟମାନଙ୍କୁ ବିସ୍ତତ ଭାବେ ପଚରାଉଚୁରା ପାଇଁ ଡକାଯିବ ବୋଲି ସିବିଆଇ ଅଧିକାରୀମାନଙ୍କ ସୂତ୍ରରୁ ଜଣାଯାଇଛି। ୬ ସପ୍ତାହ ପୂର୍ବେ ରୁଜୁ ହୋଇଥିବା ପ୍ରାରମ୍ଭିକ ଅନୁସନ୍ଧାନ ମାମଲାରେ ଭିଡିଓକନ୍‌କୁ ୩୨୫୦ କୋଟି ଟଙ୍କାର ଋଣ ପ୍ରଦାନ ପ୍ରକ୍ରିୟାରେ ସାମିଲ ଥିବା ବ୍ୟାଙ୍କର ନୋଡାଲ ଅଧିକାରୀଙ୍କ ବିବୃତିକୁ ରେକର୍ଡ କରାଯାଇଛି। ପ୍ରାରମ୍ଭିକ ଅନୁସନ୍ଧାନ ମାମଲାରେ ଦୀପକ କୋଚ୍ଚର ଓ ଅନ୍ୟ ଅଧିକାରୀଙ୍କ ସମେତ ଭିଡିଓକନ୍‌ ଗ୍ରୁପ୍‌ର ମୁଖ୍ୟ ବେଣୁଗୋପାଳ ଧୂତ୍‌ଙ୍କ ନାମ ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ ଯେ ତଥ୍ୟ ପ୍ରମାଣକୁ ଆଧାର କରି ସିବିଆଇ ବିଧିବଦ୍ଧ ମାମଲା ରୁଜୁ କରିବା କରିବା ପୂର୍ବରୁ ସିବିଆଇ ସିବିଆଇ ପ୍ରାରମ୍ଭିକ ଅନୁସନ୍ଧାନ କରିଥାଏ। ନିକଟରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍‌ ଗ୍ରୁପ୍‌କୁ ଦିଆଯାଇଥିବା ଋଣ ସମ୍ପର୍କରେ ପ୍ରଶ୍ନ ଉଠାଯାଇଥିଲା। ଏହି ଋଣ ମଞ୍ଜୁର ପରେ ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ଦ୍ୱାରା ସ୍ଥାପିତ ନ୍ୟୁପାଓ୍ଵାର ରିନେେଓ୍ଵବଲ୍‌ସ ଓ ବେଣୁ ଗୋପାଳ ଧୁତଙ୍କ ମଧ୍ୟରେ ଅର୍ଥ ନେଣଦେଣ ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର